ଶିଶୁଙ୍କ ପାଇଁ ଦିନଟିଏ ଆଲୋଚନା କର୍ମଶାଳା

ଫୁଲବାଣୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ କନ୍ଧମାଳ, ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ମିଳିତ ସ‌ହ‌ଯୋଗରେ ‘‘ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ’” ଏବଂ “ ଶିଶୁଙ୍କ ପାଇଁ ଦିନଟିଏ ” ଶୀର୍ଷକ ଆଲୋଚନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ, କନ୍ଧମାଳ ଆଶିଷ ଇଶ୍ୱର ପାଟିଲ ଏଥିରେ ଅଧ୍ୟକ୍ଷତା କରି ସମ୍ପ୍ରସାରିତ ପରିବାର କିମ୍ବା ସମ୍ପର୍କୀୟମାନଙ୍କ ଘରେ ରହୁଥ‌ିବା ଅସୁରକ୍ଷିତ ପିଲାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତାର ବିକାଶ ପାଇଁ ଦିଆଯାଉଥ‌ିବା ମାସିକ ଅନୁଦାନକୁ ଶିଶୁ ମଙ୍ଗଳ ସମିତି ପକ୍ଷରୁ ତଥ୍ୟ ପାଇବାର ୧୫ ଦିନ ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାଲ୍ୟ ବିବାହ କରୁଥିବା ପୁଅ ଏବଂ ତା’କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କ ନାମରେ ସ୍ଥାନୀୟ ଥାନାରେ ଏତଲା ଦାୟର କରିବାକୁ ସିଡିପିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଚାଇଲ୍‌ଡ ଲାଇନ୍ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏହାର ପରବ । ସମୀକ୍ଷା ବୈଠକକୁ ସେହି ଏତଲା କପି ସାଙ୍ଗରେ ଆଣି ଆସିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଖଣ୍ଡମାଳ ଉପ-ଜିଲ୍ଲାପାଳ ଚିତ୍ତ ରଞ୍ଜନ ମହନ୍ତ କହିଲେ, ଏ ସମ୍ପର୍କୀତ ପ୍ରତ୍ୟେକ ଅଭିଯୋଗକୁ ଲିଖିତ ଆକାରେ ଦେଲେ ତାଙ୍କ ତରଫରୁ କିମ୍ବା ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ଶିଶୁମାନଙ୍କ ପାଇଁ ଥ‌ିବା ସରକାରୀ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ଇଚ୍ଛାଶକ୍ତି ଆବଶ୍ୟକ ବୋଲି ଉପ-ଜିଲ୍ଲାପାଳ ଶ୍ରୀ ମହନ୍ତ କହିଥିଲେ ।
ପାଓ୍ବାର ପଏଣ୍ଟ ମାଧ୍ୟମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଯେପରିକି ସ୍ପେସର୍‌ସିପ୍, ସେଥ‌ିପାଇଁ ଥ‌ିବା ଯୋଗ୍ୟତା, ଗ୍ରୀନ୍ ପ୍ୟାସେଜ୍ ଆଦି ଯୋଜନା ଉପରେ ଆଲୋଚନା କରିଥିଲେ । ଚାଇଲ୍ଡ ଲାଇନ୍ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ କ୍ଷିରୋଦ ପ୍ରସାଦ ନାୟକ ତାଙ୍କ ପ୍ରକଳ୍ପର କାର୍ଯ୍ୟ ଉପରେ ଆଲୋଚନା କରିଥିବା ବେଳେ, ଆକ୍ସନ୍ ଏଡ୍ ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ବାଲ୍ୟ ବିବାହ ଉପରେ କିଛି ତଥ୍ୟ ପ୍ରଦାନ କରିବା ସହିତ କିଶୋରୀ ବାଳିକା ମାନଙ୍କର ଗର୍ଭଧାରଣ ଏବଂ ତା’ର କୁପରିଣାମ ଉପରେ ଆଲୋଚନା କରିଥିଲେ । ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠୀ ସୁଦକ୍ଷା ଯୋଜନାରେ କିଭଳି ମାଟ୍ରିକ ଫେଲ୍ ଛାତ୍ରୀ ମାନଙ୍କୁ ଷ୍ଟାଇପେଣ୍ଡ ସହ ତାଲିମ ଦେବା ବ୍ୟବସ୍ଥା ରହିଛି ଓ ତାଲିମ ପରେ ପ୍ରାୟ ପିଲାଙ୍କୁ ନିଯୁକ୍ତି ମିଳିଯାଉଛି ସେ ବିଷୟରେ ଆଲୋଚନା କରିଥିଲେ । ସେହି ପିଲାମାନେ ଆଇ.ଟି.ଆଇ. ସାର୍ଟିଫିକେଟ୍ ସହିତ ଏନ୍.ଆଇ.ଓ.ଏସ୍. ଦ୍ଵାଦଶ ଶ୍ରେଣୀ ପାସ୍‌ ସାର୍ଟିଫିକେଟ୍ ପାଇପାରିବେ । ସେହିପରି, ଜିଲ୍ଲା ଦକ୍ଷତା ବିକାଶ -ତଥା- ନିୟୋଜନ ଅଧିକାରୀ ଶ୍ରୀ ପୁରୁଷୋ ତମ ମହାପାତ୍ର ଅଧାରୁ ପାଠ ଛାଡ଼ୁଥିବା ପୁଅମାନେ ସ୍ଥାନୀୟ ସରକାରୀ ବହୁ ବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ରେ କେଉଁ କେଉଁ ଟ୍ରେଡ୍‌ରେ ତାଲିମ ନେଇପାରିବେ ତାହା ଉପରେ ଆଲୋଚନା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଜିଲ୍ଲାର ଡ୍ରପ୍ ଆଉଟ୍ ପିଲାମାନଙ୍କୁ କାଉନ୍ସେଲିଙ୍ଗ୍ କରି ବିଭିନ୍ନ ଟ୍ରେଡ୍‌ରେ ତାଲିମ ଦେବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ତେଜ୍ କୁମାର ବାଗେ କହିଲେ, ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାରେ ସଚେତନତା ରଥ ପରିକ୍ରମା କରୁଛି। ଯଦି, କୌଣସି ଶିଶୁ ଦୋକାନ, ସଂସ୍ଥା, ହୋଟେଲ୍, ପେଟ୍ରୋଲ୍ ଟାଙ୍କି ଇତ୍ୟାଦିରେ କାମ କରୁଛି ତେବେ ଶ୍ରମ ବିଭାଗକୁ ଜଣାଇଲେ ବିଭାଗ ତୁରନ୍ତ ପଦକ୍ଷେପ ନେବ ବୋଲି ଶ୍ରୀ ବାଗେ ସୂଚନା ଦେଇଥିଲେ । ଜିଲ୍ଲାସମାଜ ମଙ୍ଗଳ ଅଧିକାରୀ ସରୋଜବାଳା ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ, ସୁରକ୍ଷା ଅଧିକାରୀ ଶ୍ରୀମତୀ କ୍ରିଷ୍ମା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।ଆଜିର ଏହି ବୈଠକରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରଜତ କୁମାର ଦିଗାଲ, ଅତିରିକ୍ତ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ ମିଶ୍ର, ଶିଶୁ ସଂପର୍କୀତ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ଅଧୋକାରୀ, ଶିକ୍ଷକ, ଅଧ୍ୟକ୍ଷ, ଆକ୍ସନ୍ ଏଡ୍, ସ୍ବାତୀ, ବନବାସୀ, ପ୍ରେମ୍, ଜନ ବିକାଶ, ଉତ୍କଳ ବାଳାଶ୍ରମ, ସ୍ବାଧାର ଗୃହ ଏବଂ ଶିଶୁ ସଂପର୍କୀତ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.