ଜିଲ୍ଲାସ୍ତରୀୟ ଆଣ୍ଟି-ମ୍ୟାଲେରିଆ ମାସ ଅଭିଯାନ-୨୦୨୪ ଆରମ୍ଭ

ଫୁଲବାଣୀ : ଜିଲ୍ଲା ସ୍ତରୀୟ ଆଣ୍ଟି-ମ୍ୟାଲେରିଆ ମାସ ଅଭିଯାନ-୨୦୨୪ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ କହିଲେ ଯେ, ମ୍ୟାଲେରିଆ ପ୍ରତିରୋଧ ପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ଅନ୍ୟ ବିଭାଗ ଓ ସର୍ବୋପରି ଲୋକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଲୋକମାନେ ଯେଉଁ ପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମ୍ୟାଲେରିଆକୁ କେତେକାଂଶରେ ପ୍ରତିରୋଧ କରାଯାଇପାରିବ ମାତ୍ର ଜିଲ୍ଲାକୁ ମ୍ୟାଲେରିଆମୁକ୍ତ କରାଯାଇପାରିବ ନାହିଁ। ସେମାନେ ସେମାନଙ୍କର ପରିବେଶ ସଫା ରଖିବେ, ଘର ଆଖପାଖରେ ପାଣି ଜମିବାକୁ ଦେବେନି, ନିୟମିତ ମଶାରୀ ଟାଣିବା ସହିତ ଅନ୍ୟାନ୍ୟ ମଶା ନିବାରକ ବ୍ୟବହାର କରିବେ, ଦେହ, ହାତ ଓ ଗୋଡ଼କୁ ସମ୍ପୂର୍ଣ ଘୋଡ଼ାଇ ରଖିପାରିବା ଭଳି ପୋଷାକ ପିନ୍ଧିବେ ତେବେ ମଶା କାମୁଡ଼ାରୁ ରକ୍ଷା ପାଇପାରିବେ । ଫଳରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଅନ୍ୟାନ୍ୟ ଭୂତାଣୁ ଜନିତ ରୋଗରୁ ରକ୍ଷାପାଇ ପାରିବେ । ମ୍ୟାଲେରିଆ ଜଣାପଡ଼ିଲେ ଯଥାଶିଘ୍ର ଔଷଧ ଖାଇବା ସହିତ ପୁରା ମାତ୍ରାରେ ଔଷଧ ଖାଇବାକୁ ଡା. ଉପାଧ୍ୟାୟ ପରାମର୍ଶ ଦେଇଥିଲେ ।

ସେହିପରି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ଅରବିନ୍ଦ ଦାସ ମ୍ୟାଲେରିଆ, ଡେଙ୍ଗୁ, ଫାଇଲେରିଆ, ଓ ଜେ.ଇ. ରୋଗର ଲକ୍ଷଣ, ପ୍ରତିକାର ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା ଏହିସବୁ ଭେକ୍ଟରବାହିତ ରୋଗର ପ୍ରତିରୋଧ ପାଇଁ ବିଦ୍ୟାଳୟ ଗୁଡ଼ିକରେ ନିଆଯାଉଥ‌ିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ପାଓ୍ବାର ପଏଣ୍ଟ ମାଧ୍ୟମରେ ମ୍ୟାଲେରିଆ, ଫାଇଲେରିଆ ଓ ଡେଙ୍ଗୁ କିଭଳି ବ୍ୟାପେ, ରୋଗର ଲକ୍ଷଣ ଓ ପ୍ରତିକାର, ରୋଗରୁ ରକ୍ଷା ପାଇବାର ଉପାୟ, ରୋଗ ପ୍ରତି ସତର୍କ ଓ ସଚେତନ ଉପରେ ବୁଝାଇଥିଲେ । ସୂଚନାରୁ ଜଣାପଡ଼ିଛିଯେ, ୨୦୧୬ ମସିହାରେ କନ୍ଧମାଳ ଜିଲ୍ଲାରେ ୧୦ ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲା ବେଳେ, ୨୦୧୭ ମସିହାରେ ୩ ଜଣ, ୨୦୧୮ ମସିହାରେ ଶୂନ୍ୟ, ୨୦୧୯ ମସିହାରେ ୦୧ ଜଣ, ୨୦୨୦ ମସିହାରେ ୩ ଜଣ, ୨୦୨୧ ମସିହାରେ ୩ ଜଣ, ୨୦୨୨ ଓ ୨୦୨୩ ମସିହାରେ ୦୧ ଜଣ ଲେଖାଏଁ ମୃତ୍ୟୁବରଣ କରିଥିଲେ । ତେବେ ଆମେ ସମସ୍ତେ ସଚେତନ ହୋଇ ମିଳିତ ଭାବେ ପରିବେଶକୁ ସଫା ରଖିଲେ ଜିଲ୍ଲା ମ୍ୟାଲେରିଆ ମୁକ୍ତ ହୋଇପାରିବ। ଏହି କାର୍ଯ୍ୟକ୍ରମ ରେ ବିପି ଏ ଏଚ , ବିପି ଏମ, ବି ଭି ଡି ଟି ଏସ, ଡିପି ଏମ୍ ଡି ଏମ୍ ଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.