ଭଙ୍ଗାଦଦରା ଘରେ ଭବିଷ୍ୟତ ଗଢିବା ପାଇଁ ସଂଗ୍ରାମ କରୁଥିଲେ ଭାଇ ଭଉଣୀ : ପ୍ରଶାସନ ବଢାଇଲା ସହଯୋଗର ହାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମରେ ନିଜ ଭାଗ୍ୟକୁ ଆଦରି ଓଳିଏ ଖାଇ ଓଳିଏ ଉପାସ ରହି ଦିନ କାଟୁଥିଲେ ୩ ଭାଇ ଭଉଣୀ । ସେମାନଙ୍କ ପାଖରେ ନା ଥିଲା ଭଲ ବାସସ୍ଥାନ ନା ଥିଲା ଖାଇବାକୁ ଦାନା । ଏଭଳି ସ୍ଥିତିରେ ପିନ୍ଧିବାକୁ ଭଲ କନା କଥା ନକହିବା ଭଲ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ନୀଳ କୁଞ୍ଜ ନାମକ ବ୍ୟକ୍ତିଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ ଥିବା ବେଳେ ସେମାନେ ବର୍ତ୍ତମାନ ଭଙ୍ଗା ଦଦରା ଘରେ ଜୀବନ ବିତାଉଥିଲେ । ଘରଭିତରେ ବର୍ଷା ଦିନେ ପାଣି ପଶିଯାଉଥିବା ବେଳେ ଘର ଚାରିପଟେ ଜଙ୍ଗଲିଆ ବୁଦା ଥିବାରୁ ହିଂସ୍ର ଜୀବ ଜନ୍ତୁଙ୍କ ଭୟ ମଧ୍ୟ ରହିଥିଲା । ବାପା ନୀଳ କୁଞ୍ଜ ଆନ୍ଧ୍ର ପ୍ରଦେଶ ରେ ଦାଦନ ଖଟିବାକୁ ଯାଇ ସେଠାରେ ମାତ୍ରାଧିକ ନିଶାସକ୍ତ ହେବାରୁ ପିଲାମାନଙ୍କ ଭଲ ମନ୍ଦ କିଛି ପଚାରି ବୁଝୁ ନଥିବା ବେଳେ ସେପଟେ ମା ଆଡମେ କୁଞ୍ଜ ଦୀର୍ଘ ୩ ବର୍ଷ ହେବ ରୋଗ ଶଯ୍ୟାରେ ପଡି ଦେହାନ୍ତ ହୋଇଯାଇଥିବାରୁ ତିନି ଭାଇ ଭଉଣୀ ଅନେକ ଦିନ ଧରି ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଡିବା ପାଇଁ ସଂଗ୍ରାମ କରୁଥିଲେ । ଦୁଃଖ ଜର୍ଜରିତ ଜୀବନ ରେ ଆହା ପଦେ କହିବାକୁ କେହି ନଥିବା ବେଳେ ଜୀବନ ଜିଇଁବାର ରାହା ଖୋଜୁଥିଲେ ଏହି ତିନି ଭାଇ ଭଉଣୀ ।

ସରକାରଙ୍କ ତରଫରୁ ଏହି ୩ ଭାଇ ଭଉଣୀ ଙ୍କୁ ପାଠ ପଡ଼ିବା ପାଇଁ ସାହାଯ୍ୟ ସହଯୋଗ କଲେ ସେମାନେ ଜୀବନରେ ଶିକ୍ଷିତ ଏବଂ ଭଲ ମଣିଷ ହୋଇ ପାରିବେ ବୋଲି ନେହୁରା ହୋଇଥିବା ବେଳେ ଏବେ ଏମାନଙ୍କୁ ମିଳିଛି ପ୍ରଶାସନର ସହାୟତା । ଏହି ୩ ପିଲାଙ୍କ ବିଷୟରେ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ଉତ୍ତମ ମଣିଷ କରିବା ଦିଗରେ ନିଆଯାଇଛି ପଦକ୍ଷେପ । ଆଜି ମାଲକାନଗିରି ଡିଡବ୍ଲ୍ୟୁଓ ଶ୍ରୀନିବାସ ଆଚାରୀ ଏହି କୁନି କୁନି ପିଲାଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ଓ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ୩ ଜଣ ପିଲାଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି । ଶ୍ରୀ ଆଚାରୀଙ୍କ ସହ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଶିଶୁ ସୁରକ୍ଷା ବିଭାଗର ଅଧିକାରୀ ଓ ଅନ୍ୟ କର୍ମଚାରୀ ମାନେ ଏହି ପିଲାଙ୍କୁ ଉଦ୍ଧାର କରିଥିବା ବେଳେ ପ୍ରଶାସନର ଏପରି ପଦକ୍ଷେପକୁ ଅଞ୍ଚଳରେ ବେସ ପ୍ରଶଂସା କରାଯାଇଛି ।

nis-ad
Leave A Reply

Your email address will not be published.