ଓର୍କେଲ ପୋଲିସକୁ ସଫଳତା ,୧୫ କିଲୋ ଗଞ୍ଜେଇ ସହ ବାଇକ ଜବତ ଜଣେ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଓ ମାଫିଆଙ୍କ ଦ୍ୱାରାଏହାକୁ ବାହାର ରାଜ୍ୟକୁ ହେଉଥିବା ଚୋରା ଚାଲାଣକୁ ରୋକିବା ପାଇଁ ପୋଲିସ, ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । କିନ୍ତୁ ବିଡ଼ମ୍ବନାର ବିଷୟ ଏବେବି ଏହି ଅଞ୍ଚଳରୁ କିଛି ଅସାଧୁ ବ୍ୟବସାୟୀଙ୍କ ଦ୍ଵାରା ବେଆଇନ ଭାବେ ବାହାର ରାଜ୍ୟକୁ ହେଉଥିବା ଗଞ୍ଜେଇ ଚୋରା ଚାଲାଣ ଘଟଣା ଥମିବାରେ ନାଁ ଧରୁନାହିଁ । ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ସଫଳତା ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଶନିବାର ଦିନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏସ ଆଇ ଅଜିତ ସିଂ ବାରିହାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଅପରାହ୍ନ ପ୍ରାୟ ୧୨ଟା ସମୟରେ କୋରୁକୋଣ୍ଡା ବ୍ଲକ ପୁରୁଣା ଚିମଟାପାଲ୍ଲୀ ପଞ୍ଚାୟତ ଅଧୀନସ୍ତ ଅମ୍ବାଗୁଡା ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ମାଲକାନଗିରି ଥାନା ଅଧୀନସ୍ତ ଏମଭି-୨୬ ନମ୍ବର ଗ୍ରାମର ଅଶୋକ ମିସ୍ତ୍ରୀ-(୪୫) ନାମକ ବ୍ୟକ୍ତି ଗୋଟିଏ ମୋଟର ସାଇକେଲରେ ଦୁଇଟି ବ୍ୟାଗରେ କିଛି ଜିନିଷ ଧରି ଅମ୍ବାଗୁଡା ଗ୍ରାମ ନିକଟ ଘାଟି ରାସ୍ତାରେ ଆସୁଥିବା ଦେଖି ପୋଲିସ ତାଙ୍କୁ ଅଟକାଇ ଯାଞ୍ଚ କରିବାରୁ ତାଙ୍କ ବାଇକରେ ଥିବା ଦୁଇଟି ବ୍ୟାଗରେ ପ୍ରାୟ ୧୫କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ପୋଲିସ ଘଟଣା ସ୍ଥଳରୁ ଗଞ୍ଜେଇ, ଏକ ମୋବାଇଲ ଓ ବାଇକକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ଥିବା ଅଶୋକଙ୍କୁ ଗିରଫ କରି ଥାନାକୁ ଆଣିଥିଲେ ।ପଚରା ଉଚୁରା ସମୟରେ ଏହି ଗଞ୍ଜେଇକୁ ବିକିବା ପାଇଁ ନେଉଥିବା ନେଇ ଅଶୋକ ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି ବୋଲି ଜଣାପଡିଛି ।ଏନେଇ ଥାନାରେ ୨୨୬/୨୪ ଦଫା ୨୦(ବି)(ii)(ବି)/୨୫ ଏନଡିପିଏସ ଆକ୍ଟରେ ପୋଲିସ ଆଜି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଅଶୋକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ତଦନ୍ତ ଏସ ଆଇ ମନୋହର ସାହୁ ଜାରୀ ରଖିଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.