ବ୍ୟାଙ୍କ ଋଣ ଯୋଗାଇଦେବା ନା’ରେ ବୃଦ୍ଧାଙ୍କ ଠାରୁ ଠକେଇ

୧୪ ଦିନ ପରେ ୨ ଗିରଫ, ୨୦ ହଜାର ଟଙ୍କା ସମେତ ବାଇକ ଓ ୪ଭରି ଓଜନର ସୁନା ଜବତ

ହିଞ୍ଜିଳିକାଟୁ : ବିନା ସୁଧରେ ସାଢେ ୩ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଯୋଗାଇଦେବା ନା’ରେ ବୃଦ୍ଧାଙ୍କ ଠାରୁ ଲୁଟି ନେଇଥିଲେ ୨୨ ହଜାର ଟଙ୍କା ସମେତ ୪ଭରି ଓଜନର ସୁନା ଅଳଙ୍କାର । ଘଟଣାର ୧୪ ଦିନ ପରେ ହିଞ୍ଜିଳି ପୁଲିସକୁ ମିଳିଛି ସଫଳତା । ଠକେଇ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସୁନା ଅଳଙ୍କାର ତରଳାଇବା ଥିବା ଜଣେ ସୁନା ବେପାରୀଙ୍କୁ ପୁଲିସ ଗିରଫ କରିଛି । ଏଭଳି ଏକ ଘଟଣା ଗଞ୍‌ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମରେ ଦେଖିବାକୁ ମିଳିଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଗୋପାଳପୁର ଗ୍ରାମର ଜ୍ଞାନରଞ୍ଜନ ଦାସ ଏବଂ ଅନ୍ୟ ଜଣଙ୍କ ହେଲେ ସୁନା ବ୍ୟବସାୟୀ ବ୍ରତ୍ମପୁର ବଡ ବଜାର ଥାନା ଅଞ୍ଚଳର ନିତିଶ ଯାଦବ । ଗିରଫଙ୍କ ଠାରୁ ପୁଲିସ ୧୯ ହଜାର ୭ଶହ ଟଙ୍କା ସମେତ ଏକ ବଜାଜ ବାଇକ୍‌(ଓଡି୦୭ୟୁ ୦୩୬୮), ତରଳା ଯାଇଥିବା ପ୍ରାୟ ୪ଭରି ଓଜନର ସୁନା, ଏକ ଚମଡା ବ୍ୟାଗ ଓ ଏକ ହାତଲେଖା ଡାଏରୀକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନା କେସ ନଂ- ୨୨୫/୨୪ରେ ଏକ ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ମୁଖ୍ୟ ଅଭିଯୁକ୍ତ ଜ୍ଞାନରଞ୍ଜନ ପୂର୍ବରୁ ଠକେଇ ଅଭିଯୋଗରେ ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ୪ଟି, ପୋଲସରା ଥାନାରେ ୨ଟି ଏବଂ ଛତ୍ରପୁର ଥାନାରେ ଗୋଟିଏ ମାମଲାରେ ଜେଲ ଯାଇଥିବା ବେଳେ ତାଙ୍କରି ନାମରେ ବର୍ତ୍ତମାନ କୋଟିନଡା ଓ ପୁରୁଷୋତ୍ତମପୁର ଥାନରେ ଠକେଇ ମାମଲା ରହିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚଳିତ ମାସ ୭ ତାରିଖ ଦିନ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଗୋପାଳପୁର ଗ୍ରାମର ଜ୍ଞାନରଞ୍ଜନ ଦାସ ଏକ ବଜାଜ ମୋଟର ସାଇକେଲ (ଓଡି୦୭ୟୁ ୦୩୬୮) ଯୋଗେ ହିଞ୍ଜିଳି ଥାନା ସମରଝୋଳ ଗାଁର ବୃଦ୍ଧା କନକ ଡାକୁଆଙ୍କ ଘରେ ପହଞ୍ଚି ଥିଲେ । ବୃଦ୍ଧାଙ୍କ ଏସବିଆଇ ସାରୁ ଶାଖାରେ ବ୍ୟାଙ୍କ ଆକାଉଣ୍ଟ ଥିବା କହି ତାଙ୍କରି ନାମରେ ବିନା ସୁଧରେ ସାଢେ ୩ଲକ୍ଷ ଟଙ୍କା ଋଣ ଯୋଗାଣ ହୋଇଥିବା କହିଥିଲେ । ଋଣ ସକାଶେ ପ୍ରୋସେସିଙ୍ଗ ଚାର୍ଜ ବାବଦକୁ ୨୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ । ବୃଦ୍ଧା ଜଣଙ୍କ ଠକଙ୍କ ଲୋଭର ବଶବର୍ତ୍ତୀ ହୋଇ ୨୨ ହଜାର ଟଙ୍କା ଦେଇଥିଲେ । ପରେ ଠକ ଜଣଙ୍କ ଘରେ କିଛି ସୁନା ଅଛି କି ବୋଲି ପଚାରିଥିଲେ । ବୃଦ୍ଧା ଜଣଙ୍କ ୪ଭରି ଓଜନର ସୁନା ଅଳଙ୍କାର ଆଣି ଠକଙ୍କୁ ଦେଖାଇବା ପରେ ଠକ ବ୍ୟକ୍ତି ଜଣଙ୍କ ୨୨ ହଜାର ଟଙ୍କା ଓ ସୁନାକୁ ନେଇ କ୍ଷଣିକରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ବୃଦ୍ଧା ଜଣଙ୍କ ଠକାମୀର ଶୀକାର ହୋଇଥିବା ଜାଣିପାରି ଘଟଣା ନେଇ ଗତ ୭ ତାରିଖରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୨୨୫/୨୪ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ. ସିଦ୍ଧାର୍ଥ ଶଙ୍କର ଜେନା ଘଟଣାର ତଦନ୍ତ ଚଳାଇଥିଲେ । ସମରଝୋଳ ଛକ ଓ ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳର ସିସିଟିଭି ଫୁଟେଜ ଆଧାରକୁ ଭିତ୍ତି କରି ପୁଲିସ ଘଟଣାର ଛାନଭିନ ତଦନ୍ତ ଆରମ୍ଭ କରିଥିଲା । ଗୁରୁବାର ମୁଖ୍ୟ ଅଭିଯୁକ୍ତ ଜ୍ଞାନରଞ୍ଜନ ସମେତ ସୁନା ଅଳଙ୍କାର ତରଳାଇବା ଅଭିଯୋଗରେ ସହଯୋଗୀ ବ୍ରହ୍ମପୁର ବଡବଜାର ଅଞ୍ଚଳର ସୁନା ବ୍ୟବସାୟୀ ନିତେଶକୁ ବ୍ରହ୍ମପୁରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

nis-ad
Leave A Reply

Your email address will not be published.