ବିବାହିତା ମହିଳାଙ୍କୁ ଦୁର୍ଷ୍କମ ସହ ହତ୍ୟା ଧମକ, ଜଣେ ଅଟକ

ହିଞ୍ଜିଳିକାଟୁ : ପୁଲିସ ଭୟରେ ଘରେ ଆଶ୍ରୟ ନେବା ଓ ପରେ ସୁଯୋଗ ଉଣ୍ଡି ମହିଳାଙ୍କୁ ବଳପୂର୍ବକ ଦୁର୍ଷ୍କମ କରିବା ଘଟଣା ପ୍ରଘଟ କଲେ ମହିଳାଙ୍କ ସମେତ ସ୍ୱାମୀ ଓ ୨ ପୁଅଙ୍କୁ ହତ୍ୟା ଧମକ ଦେବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ଅଟକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ହିଞ୍ଜିଳି ଥାନା ଆଙ୍କୋରଡା ଗ୍ରାମର ଶତୃଘ୍ନ ନାୟକ । ପ୍ରକାଶ ଯେ, ଗତ ପ୍ରାୟ ୨ମାସ ପୂର୍ବେ ଆଙ୍କୋରଡା ଗ୍ରାମର ଶତୃଘ୍ନ ନାୟକ ରାମଚନ୍ଦ୍ରପୁର ଗ୍ରାମକୁ ଯାଇ ସର୍ମ୍ପକୀୟ ଭାଇ ମିଟୁ ନାୟକଙ୍କ ସହ ସାକ୍ଷାତ କରିଥିଲେ । ଏକ ମାମଲାରେ ପୁଲିସ ତାଙ୍କୁ ଖୋଜୁଛି ଏବଂ ପୁଲିସ ଠାରୁ ଦୂରେଇ ରହିବାକୁ ତାଙ୍କରି ଘରେ ଆଶ୍ରୟ ଦେବା ପାଇଁ ନିବେଦନ କରିଥିଲେ । ୪ ଦିନ ପରିବର୍ତ୍ତେ ଶତୃଘ୍ନ ପ୍ରାୟ ୨ମାସ ଧରି ସର୍ମ୍ପକୀୟ ଭାଇଙ୍କ ଘରେ ରହିଥିଲେ । ପରେ ସୁଯୋଗ ଉଣ୍ଡି ମିଟୁଙ୍କ ସ୍ତ୍ରୀ ବୁଡୁଙ୍କୁ ପ୍ରେମ ଜାଲରେ ଫସାଇ ବଳପୂର୍ବକ ଦୁର୍ଷ୍କମ କରି ଆସୁଥିଲେ । ମିଟୁ, ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ କଳିକଜିଆ ଆରମ୍ଭ ହୋଇଥିଲା । ପରେ ମହିଳା ଜଣଙ୍କ କେରଳରେ ରହୁଥିବା ଭାଇଙ୍କ ପାଖକୁ ଚାଲି ଯାଇଥିଲେ । ୨ମାସ ପରେ ମହିଳା ଜଣଙ୍କ ଗାଁକୁ ଫେରିବା ପରେ ସ୍ୱାମୀ ୨ପୁଅଙ୍କୁ ଘରେ ଛାଡି କେରଳ କାମ କରିବା ପାଇଁ ଚାଲି ଯାଇଥିବା ଜାଣି ପାରିଥିଲେ । ଶୁକ୍ରବାର ଶତୃଘ୍ନ ମହିଳାଙ୍କ ଘରକୁ ଆସି ମହିଳାଙ୍କୁ ଜୋର ଜବରଦସ୍ତ ଦୁର୍ଷ୍କମ କରିବା ପାଇଁ ଉଦ୍ୟମ କରିବା ସହ ମହିଳାଙ୍କ ଘରୁ ଆଧାରକାର୍ଡ, ବ୍ୟାଙ୍କ ଖାତା ସହ କିଛି ଜରୁରୀ କାଗଜପତ୍ର ନେଇ ଯାଇଥିଲେ । ଶତୃଘ୍ନ ଯିବା ସମୟରେ ଘଟଣା ବାହାରେ ପ୍ରଘଟ କଲେ ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ଓ ୨ପୁଅଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ମହିଳା ଜଣଙ୍କ ନିରୁପାୟ ହୋଇ ଶେଷରେ ଶୁକ୍ରବାର ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.