ଜଙ୍ଗଲ ନିଆଁକୁ ରୋକିବା ନିମନ୍ତେ ସାମୁହିକ ଶପଥ ପାଠ କଲେ ଶତାଧିକ ଗ୍ରାମବାସୀ

ସାଗରପାଲି ଓ ଝୁରିମାଲ ଠାରେ ଜଙ୍ଗଲକୁ ନିଆଁଦାଉରୁ ରକ୍ଷା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
ସୁନ୍ଦରଗଡ : ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଲପୁର ବନାଞ୍ଚଳର ନୂଆଡ଼ିହି ସେକ୍ସନରେ ଆଜିଠାରୁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ସାଗରପାଲି ଓ ଝୁରିମାଲର କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ କରାଯାଇଛି। ଉଜ୍ଜଲପୁର ବନାଞ୍ଚଳ ଅଧିକାରୀ ଦେବଦତ୍ତ ନନ୍ଦଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଏହି ସଚେତନତା ଅଭିଜାନ ଗାଁ ଗାଁ ରେ ଜଙ୍ଗଲ ନିଆଁ କୁ ରୋକିବା ନିମନ୍ତେ ଖୋରାକ ଯୋଗାଇବ। ଆଜି ପ୍ରଥମ ପର୍ଯ୍ୟାୟରେ ସାଗରପାଲି ଓ ଦ୍ଵିତୀୟ ପର୍ଯ୍ୟାୟରେ ଝୁରିମାଲ ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଭୟ ଗ୍ରାମରେ ସଚେତନତା ବୈଠକ ସଙ୍ଗେ ସଙ୍ଗେ ଦିଆମୁଣ୍ଡାର ଗୌରାଙ୍ଗ ସଙ୍କୀର୍ତ୍ତନ୍ୟ ମଣ୍ଡଳୀଙ୍କ ଆକର୍ଷଣୀୟ ସଚେତନତା କୀର୍ତ୍ତନ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ଉଭୟ ସାଗରପାଲି ଓ ଝୁରିମାଲ ଗ୍ରାମରେ ଶତାଧିକ ଗ୍ରାମବାସୀଙ୍କୁ ନେଇ ଏକ ସଚେତନତା ମୂଳକ ପଦଯାତ୍ରାର ଆୟୋଜନ କରାଯାଇଥିଲା ତଥା ସ୍ଲୋଗାନ ଓ ପ୍ଲାଇକାର୍ଡ ପ୍ରଦର୍ଶନ ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ସାମୁହିକ ଶପଥ ପାଠ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ବନପାଳ ବିନୋଦ ପଟ୍ଟନାୟକ, ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ, ଉନ୍ନୟନ ଅଧିକାରୀ ମନୋରଞ୍ଜନ ମଲ୍ଲିକ, ବନରକ୍ଷୀ ରୂପାଳି ସେନାପତି ଓ ପିଙ୍ଗଳା ସେଠ ଆୟୋଜନ କରିଥିଲେ। ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ କହିଛନ୍ତି ଯେ “ସୁନ୍ଦରଗଡ ବନଖଣ୍ଡର ପ୍ରତ୍ଯେକ ବନାଞ୍ଚଳର ଗାଁ ଗାଁ ରେ ସାମୁହିକ ସହଭାଗିତା, ଗୋଷ୍ଠୀ ସଚେତନତାକୁ ମୂଳ ଅସ୍ତ୍ର କରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାର ଯୋଜନା ରହିଛି। ସଚେତନତା ବୈଠକ, ସାଂସ୍କୃତିକ କାର୍ଯ୍ୟକ୍ରମ, ଭିଡ଼ିଓ ସୋ, ପଦଯାତ୍ରା ଇତ୍ୟାଦି ଦ୍ଵାରା ଜଙ୍ଗଲ ନିଆଁ ତ୍ତଥା ଧାନବିଳ ନିଆଁକୁ ରୋକିବାକୁ ପ୍ରୟାସ କରାଯିବ ତଥା ବ୍ୟାପକ ସଚେତନ କରାଯିବ ।

nis-ad
Leave A Reply

Your email address will not be published.