ଜବତ ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ପୋଲିସ କନଷ୍ଟେବଳଙ୍କ ସମେତ ୪ ଗିରଫ : ୧୮ ଚକିଆ ଟ୍ରକ,ଜେସିବି ମ୍ୟାସିନ ଓ ବଲେରୋ ଜବତ

ଦେବଗଡ଼,୯ା୨:ପ୍ରାୟ ୧୨ ବର୍ଷ ପୂର୍ବେ ଖଣି ବିଭାଗ ପକ୍ଷରୁ ଜବତ ହୋଇଥିବା ଲୁହାପଥର ଗୁଣ୍ଡ ଚୋରାଚାଲାଣ ବେଳେ ବାରକୋଟ ଥାନା ପୋଲିସ ବ୍ୟବହୃତ ଏକ ୧୮ ଚକିଆ ଟ୍ରକ, ଏକ ଜେସିବି ମ୍ୟାସିନ ଓ ଏକ ବଲେରୋ ଗାଡିଜବତ କରିଛି । ଏଥିସହ ଏ ଘଟଣାରେ ସୁନ୍ଦରଗଡ ଜିଲା ବଣାଇ ଜେଲରେ କାର୍ଯ୍ୟରତ ଜକେଇକେଳା ଗ୍ରାମର କନେଷ୍ଟବଳ ସତ୍ୟାନନ୍ଦ ବେହେରା(୨୩)ଙ୍କ ଜଣେ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମାନେ ହେଲେ ବାରକୋଟ ଥାନା ବଲଣ୍ଡା ଗ୍ରାମର ସାଗର ସାହୁ(୩୧),ବଣାଇ ଥାନା ଅନ୍ତର୍ଗତ ଜକେଇକେଳା ଗ୍ରାମର ଅଜିତ କୁମାର ସାହୁ(୩୮)ଓ କେନ୍ଦୁଝର ଜିଲା ସ୍ୱାନପାଟଣା ଥାନା ଅନ୍ତର୍ଗତ କୁଆପୋଷି ଗ୍ରାମର ଯୁଧିଷ୍ଠିର ମହାନ୍ତ (୩୮)ବୋଲି ଜଣାପଡିଛି । ଗୁରୁବାର ବିଳମ୍ବିତ ରାତ୍ରୀରେ କନେଷ୍ଟବଳ ସତ୍ୟାନନ୍ଦ, ସାଗର, ଅଜିତ ଓ ଯୁଧିଷ୍ଠିର ଏକ ବଲେରୋ ଗାଡି(ନଂ-ଓଡି୧୪-କ୍ୟୁ-୧୧୨୧ )ଯୋଗେ ବାରକୋଟ ଥାନା ଅନ୍ତର୍ଗତ ରଞ୍ଜ ଗ୍ରାମରେ ପହଂଚିବା ପରେ ୪୯ନମ୍ବର ଜାତୀୟ ରାଜପଥ କଡରେ ଥିବା ଲୁହାପଥର ଗୁଣ୍ଡ ଗଦାରୁ ଏକ ଜେସିବି ମ୍ୟାସିନ(ନଂ-ଓଡି-୧୯ଡବ୍ଲୁ-୯୭୩୮)ଦ୍ୱାରା ଲୁହାଗୁଣ୍ଡ ଉଠାଇ ଏକ ଦୀର୍ଘକାୟ ୧୮ ଚକିଆ ଟ୍ରକ(ନଂ-ପିବି୦୫ଏଏଲ୍‌-୭୮୧୩) ରେ ଭର୍ତୀ କରୁଥିଲେ । ଏ ସମ୍ପର୍କରେ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ସୂଚନା ପାଇ ସେଠାରେ ଚଢଉ କରିବାକୁ ବାରକୋଟ ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁଯାୟୀ ବାରକୋଟ ଥାନା ପୁଲିସ ସେଠାରେ ପହଂଚି ବ୍ୟବହୃତ ଉପରୋକ୍ତ ଟ୍ରକ, ଜେସିବି ମ୍ୟାସିନ ଓ ବଲେରୋ ଗାଡିକୁ ଜବତ କରିଥିଲା । ଏଥିସହ ଏ ଘଟଣାରେ ସମ୍ପୃକ୍ତ କନଷ୍ଟେବଳ ସତ୍ୟାନନ୍ଦ, ସାଗର, ଅଜିତ ଓ ଯୁଧିଷ୍ଠିରକୁ ଗିରଫ କରି ବାରକୋଟ ଥାନାକୁ ନେଇଥିଲା । ତେବେ ପୁଲିସକୁ ଦେଖି ଟ୍ରକ ଓ ଜେସିବି ମ୍ୟାସିନର ଚାଳକ ଫେରାର ହୋଇଯାଇଥିଲେ । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଦେବଗଡ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ବାରକୋଟ ଥାନାରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ରଞ୍ଜ ଛକ ସମେତ ବାରକୋଟ ଥାନା ଅଂଚଳର ବଲାଣି, ଖୁଲୁଣ୍ଡିପାଣି ଓ ପୁରୁଣାପାଣି ଆଦି ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ କଡରେ ବେଆଇନ ଭାବେ ଟନ୍ ଟନ୍ ଲୁହାପଥର ଗୁଣ୍ଡ ଜମା କରି ଏଗୁଡିକୁ ଚୋରା ଚାଲାଣ କରାଯାଉଥିଲା । ସୂଚନା ପାଇ ୨୦୦୮ ମସିହାରେ ସମ୍ବଲପୁର ସ୍ଥିତ ଖଣି ବିଭାଗର ଉପ ନିର୍ଦ୍ଦେଶକ ରଞ୍ଜ ଲୁହାପଥର ଗୁଣ୍ଡ ଗଦା ସମେତ ଉପରୋକ୍ତ ସମସ୍ତ ବେଆଇନ ଲୁହାପଥର ଗୁଣ୍ଡ ଗଦା ଗୁଡିକରେ ଚଢଉ କରି ଖଣି ଓ ଖଣିଜ ଆଇନରେ ମାମଲା ଋଜୁକରିବା ସହ ଲୁହାପଥର ଗୁଣ୍ଡ ସବୁକୁ ଜବତ କରିଥିଲା । ଶେଷ ଥର ପାଇଁ ୨୦୨୨ ମସିହା ଏପ୍ରିଲ ୨୪ ତାରିଖ ପ୍ରତ୍ୟୁଷରେ ପୁରୁଣାପାଣି ଗ୍ରାମ ନିକଟସ୍ଥ ରାସ୍ତା କଡରେ ଥିବା ଲୁହାପଥର ଗୁଣ୍ଡ ଗଦାରୁ ଚୋରା ଚାଲାଣ ହେଉଥିବା ବେଳେ ବାରକୋଟ ଥାନା ପୁଲିସ ୨୦ଟନ ଲୁହାପଥର ବୋଝେଇ ହୋଇଥିବା ଏକ ଟ୍ରକକୁ ଜବତ କରିବା ସହ ଏ ଘଟଣାରେ ଗଞ୍ଜାମ ଜିଲା ଗାଙ୍ଗପୁର ଥାନାଂଚଳର ଲୁଦଲୁଦି ଗ୍ରାମର ୨ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗୁରୁତ୍ୱ ପୂର୍ଣ୍ଣ ବିଷୟ ଏହା ଯେ, ରଞ୍ଜ ଲୁହାପଥର ଗୁଣ୍ଡ ଗଦାରୁ ରାତ୍ରୀ ସମୟରେ ଲୁହାପଥର ଗୁଣ୍ଡ ଚୋରାଚାଲାଣ ହେଉଥିବା ନେଇ ପ୍ରାୟ ଏକମାସ ପୂର୍ବେ ‘’ ପକ୍ଷରୁ ବାରକୋଟ ଥାନା ଅଧିକାରୀଣି ଯାଜ୍ଞସେନୀ ପ୍ରଧାନଙ୍କୁ ପଚରା ଯାଇଥିଲା । ମାତ୍ର ଏହା ଦେବଗଡ ଥାନାଂଚଳରେ ଯାଉଥିବାରୁ ତାଙ୍କର କିଛି କହିବାର ନାହିଁ ବୋଲି ସେ ପ୍ରକାଶ କରିଥିଲେ । ଏ ସମ୍ପର୍କ ରେ ବାରକୋଟ ଥାନା ଅଧିକାରୀଣି ଯାଜ୍ଞସେନୀ ପ୍ରଧାନଙ୍କୁ ପଚାରିବା ପାଇଁ ଫୋନ୍ କରିଲେ ମଧ୍ୟ ଫୋନ୍ ରିସିଭ କରୁ ନଥିବାରୁ ମତାମତ ମିଳିପାରିଲା ନାହିଁ

nis-ad
Leave A Reply

Your email address will not be published.