ଠକେଇ ମାମଲାରେ ଜଣେ ମହିଳାଙ୍କ ସମେତ ୨ ଜଣ ଦୋଷୀ ସାବ୍ୟସ୍ତ : ୩ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କଲେ ଅଦାଲତ

ଦେବଗଡ଼,୯ା୨:ମାନ୍ୟବର ଦେବଗଡ ଏସ୍‌ଡିଜେଏମ୍ ଲିଙ୍କିପ୍ରିୟା ସାହୁ ଏକ ଠକେଇ ମାମଲାର ବିଚାର କରି ଜଣେ ମହିଳାଙ୍କ ସମେତ ୨ଜଣ ଅଭିଯୁକ୍ତଙ୍କୁ ୩ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ୨୦୨୩ ମସିହାରେ ବାରକୋଟ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ଯାଜ୍ଞସେନୀ ଧଳ ନାମ୍ନୀ ଜଣେ ମହିଳା ଓ ତାଙ୍କର ସହଯୋଗୀ ମରଡଙ୍ଗ ଗ୍ରାମର ଜୟପ୍ରକାଶ ସାହୁ ବାରକୋଟ ଥାନାଂଚଳର ବିଭିନ୍ନ ଗ୍ରାମର ମହିଳା ମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ମିଳିବ ବୋଲି ପ୍ରତିଶୃତି ଦେଇ ଆଧାର କାର୍ଡ ସଂଗ୍ରହ କରିବାସହ ସମ୍ପୃକ୍ତ ମହିଳାଙ୍କ ନାମରେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଇ ଆତ୍ମସାତ କରିଥିଲେ । ଅଜଣାତରେ ସେମାନଙ୍କ ନାମରେ ଋଣ ଅର୍ଥ ଉଠାଯାଇଥିବା ସମ୍ପୃକ୍ତ ମହିଳା ମାନେ ଜାଣିବାପରେ ଏନେଇ ଅଭିଯୁକ୍ତ ମହିଳା ଯାଜ୍ଞସେନୀ ଓ ଜୟପ୍ରକାଶକୁ ପଚାରିବାରୁ ସେମାନେ କୌଣସି ସନ୍ତୋଷଜନକ ଉତର ଦେବା ପରିବର୍ତେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାସହ ନାନା ଧମକ ଚମକ ଦେଇଥିଲେ । ଏନେଇ ପୀଡିତା ମହିଳା ମାନେ ଗତ ୨୦୨୩ ମସିହା ମଇ ମାସ ୪ ତାରିଖରେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଠକେଇ ସମେତ ବିଭୀନ୍ନ ଦଫାରେ ଏକ ମାମଲା ଋଜୁ କରିବାସହ ଅଭିଯୁକ୍ତ ଯାଜ୍ଞସେନୀ ଓ ଜୟପ୍ରକାଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାନ୍ୟବର ଦେବଗଡ ଏସ୍‌ଡିଜେଏମ୍ ଲିଙ୍କିପ୍ରିୟା ସାହୁ ଏ ମାମଲାର ବିଚାର କରି ଗତ ୫ ତାରିଖ ଦିନ ଅଭିଯୁକ୍ତ ମହିଳା ଯାଜ୍ଞସେନୀ ଧଳଙ୍କୁ ୩ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ । ମାତ୍ର ଉକ୍ତ ଦିନ ଅନ୍ୟତମ ଅଭିଯୁକ୍ତ ଜୟପ୍ରକାଶ ଅଦାଲତରେ ଅନୁପସ୍ଥିତ ଥିବାରୁ ମାନ୍ୟବର ଅଦାଲତ ତାଙ୍କ ବିରୁଦ୍ଧରେ ରାୟ ସଂରକ୍ଷିତ ରଖିବା ସହ ଜାମିନ ବିହୀନ ପରୱନା ଜାରୀ କରିଥିଲେ । ଆଜି ଉକ୍ତ ଜାମିନ ବିହୀନ ପରୱନା ବଳରେ ବାରକୋଟ ଥାନା ପୁଲିସ ଜୟପ୍ରକାଶଙ୍କୁ ଗିରଫ କରି ଅଦାଲତରେ ହାଜର କରାଇଥିଲା ଓ ଅଦାଲତ ତାଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରି ଅନୁରୂପ ୩ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଉଷା ମାଝୀ ଓ ଶୈଳେନ୍ଦ୍ର କୁମାର ସାହୁ ପରିଚାଳନା କରୁଥିଲେ ।

nis-ad
Leave A Reply

Your email address will not be published.