ପତ୍ନୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ…

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅନ୍ତର୍ଗତ କଣ୍ଟେଇ କୋଳି ଗ୍ରାମରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ସହ ଅଧିକ ଯୌତୁକ ପାଇଁ ଗଣ୍ଡଗୋଳ ନେଇ ପତ୍ନୀକୁ ଗାମୁଛା ସାହାଯ୍ୟରେ ତଣ୍ଟିଚିପି ହତ୍ୟା ପରେ ପ୍ରମାଣ ନଷ୍ଟ ଉଦ୍ୟମ ମାମଲାରେ ଅଭିଯୁକ୍ତ ସ୍ବାମୀ ଙ୍କୁ ଶୁକ୍ରବାର ଅତିରିକ୍ତ ଜିଲ୍ଳା ଜର୍ଜ ଛତ୍ରପୁର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ସ୍ବାମୀ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଏନ ଗଣେଶ।
ସୂଚନାଯୋଗ୍ୟ ଯେ, ୭ ସେପ୍ଟେମ୍ବର ୨୦୧୮ ମସିହାରେ ହିଞ୍ଜିଳି ଥାନା ଅନ୍ତର୍ଗତ କଣ୍ଟେଈକୋଳି ଗ୍ରାମର ଏନ୍ ଗଣେଶ ଓ ତାଙ୍କ ପରିବାର ଯୌତୁକ ଓ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ ଏନ ଲତା ଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏଥି ନେଇ ମୃତା ଏନ୍ ଲତାଙ୍କ ଭାଇ ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଡେରା ସାହିର ଏ ତାରିଣୀ ପୋଲୁ ଘଟଣା ଦିନ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ତତ୍ କାଳୀନ ହିଞ୍ଜିଳି ଥାନା ଆଇଆଇସି ତଥା ବର୍ତ୍ତମାନ ପୁରୀ ସଦର ଡିଏସପି ପ୍ରଶାନ୍ତ କୁମାର ସାହୁ ଓ ହିଞ୍ଜିଳି ପୋଲିସ ଟିମ ମଶାଣିରୁ ହାଡ଼,ପାଉଁଶ ଜବତ ସହ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଗାମୁଛାକୁ ମଧ୍ୟ ଜବତ କରିଥିଲେ। ପୋଲିସ ଲତାଙ୍କ ସ୍ବାମୀ ଏନ. ଗଣେଶ, ଶାଶୁ ଏନ୍. ଦେବା କୁମାରୀ, ଦେଢଶୁର ଏନ୍. ବାଲରାଜୁଙ୍କୁ ଗିରଫ କରିଥିଲେ। ଅନ୍ୟପକ୍ଷରେ ଶବଦାହ କରି ପ୍ରମାଣନଷ୍ଟ ଅଭିଯୋଗରେ ଗ୍ରାମର ବାବୁ ସେଠି, ସୁଦର୍ଶନ ବେହେରା, ଶ୍ୟାମ ସାହୁଙ୍କୁ ମଧ୍ୟ ପୋଲିସ ଗିରଫ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ହିଞ୍ଜିଳି ଥାନାରେ କେଶ ନଂ ୨୩୧/୨୦୧୮ରେ ମାମଲା ରୁଜୁ ହୋଇଥିଲା।
ପ୍ରକାଶ ଯେ, ୨୦୦୮ ମସିହାରେ ହିଞ୍ଜିଳି ଥାନା କଣ୍ଟେଇକୋଳି ଗ୍ରାମର ଏନ. ଗଣେଶଙ୍କ ସହ ପିତ୍ତଳ ଗ୍ରାମ ଡ଼େରା ସାହିର ଏନ. ଲତାଙ୍କର ବିବାହ ହୋଇଥିଲା। ବାହାଘର ପରେ ଲତାଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯାତନା ଦେଉଥିଲେ ଓ ବାପ ଘରକୁ ଛାଡୁ ନ ଥିଲେ। ଘଟଣା ଦିନ ସକାଳେ କବିସୂର୍ଯ୍ୟନଗରରେ ରହୁଥ‌ିବା ଲତାଙ୍କ ପିଉସୀଙ୍କୁ ଏନ. ଗଣେଶ ଫୋନ କରି ଲତା ଆତ୍ମହତ୍ୟା କରିଥିବା ଜଣାଇଥିଲେ। ପିଉସୀଙ୍କ ଠାରୁ ଲତାଙ୍କ ଭାଇ ଖବର ପାଇ ଏ. ତାରିଣୀ ପୋଲୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ପହଞ୍ଚିବା ବେଳକୁ ଶଶୁର ଘର ଲୋକେ ଲତାଙ୍କ ଶବକୁ ତରବରିଆ ଭାବେ ପୋଡ଼ି ଦେଇଥିଲେ। ପୋଲିସ ଟିମ ମଶାଣିରୁ ହାଡ଼,ପାଉଁଶ ସହ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଗାମୁଛା ଜବତ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଫେରାର ସ୍ଵାମୀ ଗଣେଷଙ୍କୁ କୁକୁଡ଼ାଖଣ୍ଡିରୁ ଓ ଅନ୍ୟମାନଙ୍କୁ କଣ୍ଟେଇକୋଳି ଗ୍ରାମରୁ ଗିରଫ କରି କେଶ ନଂ ୨୩୧/୧୮ ରୁଜୁ କରିଥିଲେ । ଶୁକ୍ରବାର ଛତ୍ରପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଣାଣି କରି ପୁଲିସ ରିପୋର୍ଟ, ପାରିପାର୍ଶ୍ବକ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପତ୍ନୀ ହତ୍ୟା ମାମଲାରେ ସ୍ବାମୀ ଏନ୍ ଗଣେଶ ଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।

nis-ad
Leave A Reply

Your email address will not be published.