ଦାବୀ ପୂରଣରେ ବିଳମ୍ବତାର ପ୍ରତିବାଦ : ନୂଆଁଡିହୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ ସଂଘର୍ଷ ସଂଘ

ଦେବଗଡ଼ : ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର ପ୍ରତିବାଦରେ ଆଜି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ରିଆମାଳ ବ୍ଲକ ଅନ୍ତର୍ଗତ ନୂଆଁଡିହୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଆଜି ପୂର୍ବାହ୍ନରେ ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ସଭାପତି ସେମ ହେମ୍ରମ ଓ ସମ୍ପାଦକ ଗୁଣନିଧି ବେହେରାଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଂଚଳର ବହୁ ଚାଷୀ ନୂଆଁଡିହୀ ଗ୍ରାମରେ ଏକତ୍ରିତ ହେବାସହ ନୂଆଡିହୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିସହ ନୂଆଁଡିହୀ ରାଜସ୍ୱ ସର୍କଲ ଅଧିନସ୍ଥ ସମସ୍ତ ଗ୍ରାମରେ ଆଗାମୀ ଏକ ସପ୍ତାହ ମଧ୍ୟରେ ଉପରୋକ୍ତ ଦାବୀ ପୂରଣ ନିମନ୍ତେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ରାଜସ୍ୱ ନିରୀକ୍ଷକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଏକ ସପ୍ତାହ ମଧ୍ୟରେ ଦାବୀ ପୂରଣ ନହେଲେ ସଂଘର୍ଷ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ଘେରାଉରେ ଅନ୍ୟମାନଙ୍କ ମଧ୍ୟରେ ଝସକେତନ ଦେହୁରୀ, ଗିରିଧାରୀ ପ୍ରଧାନ, ବିନୋଦ ବିହାରୀ ବସନ୍ତରା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଭୀମସେନ ଗଡନାୟକ, ପ୍ରଶାନ୍ତ କୁମାର ସାହୁ, ଭାଗ୍ୟ କୁମୁରା, ତେଜରାଜ ପ୍ରଦାନ ଓ ଶିବ ଅଦାବରଙ୍କ ସମେତ ସମ୍ପୃକ୍ତ ଅଂଚଳର ବବୁ ଚାଷୀ ଓ କୃଷକ ନେତା ସାମିଲ ଥିଲେ । ଜିଲା କୃଷକ ସଂଘର୍ଷ ସଂଘର ଅଭିଯୋଗ ଅନୁଯାୟୀ ଗତ ୨୦୨୩ ମସିହା ନଭେମ୍ବର ୨୨ ତାରିଖ ଦିନ ଉପରୋକ୍ତ ୫ ଦଫା ଦାବୀ ନେଇ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଦରଖାସ୍ତ ପ୍ରଦାନ କରାଯାଇଥିଲା । ମାତ୍ର ଅଦ୍ୟାବଧି ଦାବୀ ପୁରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅନ୍ୟପକ୍ଷରେ ଜିଲାର ରାଜସ୍ୱ ନିରୀକ୍ଷକ ମାନେ ଆବେଦନକାରୀ ମାନଙ୍କ ଦରଖାସ୍ତ ଆଧାରରେ ତଦନ୍ତ ରିପୋର୍ଟ ପ୍ରଦାନରେ ବିଳମ୍ବ କରୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଏଣୁ ହାର ପ୍ରତିବାଦରେ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ଏଭଳି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ସଂଘର୍ଷ ସଂଘର ସଭାପତି ଶ୍ରୀ ହେମ୍ରମ ଗଣମାଧ୍ୟମ ସମ୍ମୂଖରେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.