ଅପପ୍ରଚାରକୁ ନେଇ ଛାତ୍ର ଅସନ୍ତୋଷ : ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କଠୋର ଦଣ୍ଡ ପାଇଁ ଦାବି

ଆଂଚଳିକ ନିର୍ଦ୍ଦେଶକଙ୍କ ତଦନ୍ତ
ହିଂଜିଳିକାଟୁ : ଉଚ୍ଚ ଶିକ୍ଷା ବିଭାଗର ଏକ ଚିଠିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ହିଂଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ଠାରେ । ପୁରାତନ ଛାତ୍ର ସଂସଦ ସହ ପୂର୍ବତନ ୭ଜଣ ସଭାପତି, ସମ୍ପାଦକ ଓ ବହୁ ଅଭିଭାବକ ଅପପ୍ରଚାରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଧବାର ଦାବି କରିଛନ୍ତି । ପ୍ରକାଶ ଯେ, ହିଂଜିଳିକାଟୁ କଲେଜ ବିରୁଦ୍ଧରେ ୨ଟି ବେନାମୀ ଚିଠି ଜରିଆରେ ଉଚ୍ଚ ଶିକ୍ଷା ବିଭାଗରେ ଅଭିଯୋଗ ହୋଇଛି । ଅଭିଯୋଗକାରୀ ଆର କେ ପାଢ଼ି ନାମକ ବ୍ୟକ୍ତି ଏକ ପତ୍ରିକାର ରିପୋର୍ଟର ଥିବା ଦର୍ଶାଇ ହିଂଜିଳିକାଟୁ କଲେଜରେ ଆର୍ଥିକ ତୋଷାରପାତ, ବିଶୃଙ୍ଖଳା ଇତ୍ୟାଦି ସହ ଜଣେ ଅଧ୍ୟାପିକା କଲେଜ କ୍ୱାର୍ଟରରେ ରହି ଗତ ୨ବର୍ଷ ଧରି ସେକ୍ସ ର‌୍ୟାକେଟ ଚଳାଇଥିବା ନେଇ ଚିଠିରେ ଅଭିଯୋଗ ହୋଇଛି । ତେବେ ଉକ୍ତ ଅଭିଯୋଗକାରୀଙ୍କ ନାମରେ ସ୍ଥାନୀୟ ଅଂଚଳରେ କୌଣସି ବ୍ୟକ୍ତି ସେ ଦର୍ଶାଇଥିବା ଗଣମାଧ୍ୟମ ସହ ସଂପୃକ୍ତି ନାହାନ୍ତି । ଅନ୍ୟ ଏକ ଚିଠିର ଅଭିଯୋଗ ବେନାମୀ ଅଟେ । ତେଣୁ ଉକ୍ତ୨ ଚିଠିର ଅଭିଯୋଗର ସତ୍ୟତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ କିଛି ଟିଭି ଚ୍ୟାନେଲ, ୱେବ ଚ୍ୟାନେଲ ଓ କିଛି ଗଣମାଧମ ପ୍ରମୁଖ ଭାବେ ସେକ୍ସ ର‌୍ୟାକେଟ ନେଇ ହାଇଲାଇଟ କରିଛନ୍ତି । ଯାହାକୁ ନେଇ ବୁଧବାର କଲେଜ ଛାତ୍ରୀଛାତ୍ର ଓ ପୁରାତନ ଛାତ୍ର ସଂସଦ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ହିଞ୍ଜିଳିକାଟୁ କଲେଜର ସୁନାମକୁ ଆଂଚ ଆଣିବା ନିମନ୍ତେ କିଛି ନ୍ୟସ୍ତସ୍ୱାର୍ଥବାଦୀ ଏହି ଚକ୍ରାନ୍ତ କରିଥିବା ବେଳେ ରାଜନୈତିକ ବାଛ ବିଚାର କରି ମୁଖ୍ୟମନ୍ତ୍ରୀଙ୍କ ଅଂଚଳର ଏହି କଲେଜକୁ ବଦନାମ ପାଇଁ କିଛି ମିଡ଼ିଆ ହାଇଲାଇଟ କରୁଛନ୍ତି ବୋଲି ପୁରାତନ ଛାତ୍ର ସଂସଦ ସଭାପତି ତଥା ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହି ଓ ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନୀଳମଣି ପଟ୍ଟନାୟକ ଅଭିଯୋଗ କରି କହିଛନ୍ତି ।
ଉଚ୍ଚ ଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ପ୍ରମୋଦ କୁମାର ମିଶ୍ର ଗତ ୨୨ ତାରଖରେ ଚିଠି ସଂଖ୍ୟା ୫୬୨୧୩ ରେ ୬ଗୋଟି ଅଭିଯୋଗ ପତ୍ରକୁ ନେଇ ଗଞ୍ଜାମ ଜିଲାର ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ବୁଗୁଡ଼ା, ମହାମାୟୀ ମହିଳା ମହାବିଦ୍ୟାଳୟ ବ୍ରହ୍ମପୁର, ରାମ ନାରାୟଣ ଡ଼ିଗ୍ରୀ କଲେଜ ଡ଼ୁରା, ବିଜ୍ଞାନ ମହାବିଦ୍ୟାଳୟ ହିଞ୍ଜିଳିକାଟୁ, ବିଜ୍ଞାନ ମହାବିଦ୍ୟାଳୟ କଙ୍କୋରଡ଼ାର କର୍ତୃପକ୍ଷ ଓ କିଛି ଷ୍ଟାଫ ବିରୁଦ୍ଧରେ ଆସିଥିବା ଅଭିଯୋଗ ଗୁଡ଼ିକର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ଜଣାଇଥିଲେ । ବୁଧବାର ଘଟଣାର ତଦନ୍ତ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ଆଂଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର ସିଦ୍ଧାର୍ଥ ଶଙ୍କର ପାଢ଼ି, ଯୁକ୍ତ ଦୁଇ ଆଂଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର ସୁଶାନ୍ତ କୁମାର ଦାଶ ଓ ଯୁକ୍ତ ଦୁଇ ଉପ ନିର୍ଦ୍ଦେଶକ ବ୍ରହ୍ମପୁର କୁଳମଣି ଓଝା ବୁଧବାର ହିଂଜିଳିକାଟୁ କଲେଜରେ ତଦନ୍ତ ପାଇଁ ପହଂଚି ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି , କଲେଜ ଅଧ୍ୟାପିକା ଅଧ୍ୟାପକ , ଅଣ ଶିକ୍ଷାଦାନ କର୍ମଚାରୀ, ପୁରାତନ ଛାତ୍ର ସଂସଦ, ହଷ୍ଟେଲ ଛାତ୍ରୀଛାତ୍ର ଇତ୍ୟାଦିଙ୍କ ବୟାନ ଗ୍ରହଣ କରିଛନ୍ତି ।
କଲେଜର ସୁନାମକୁ ଆଂଚ ଆଣିବା ପାଇଁ କିଛି ବ୍ୟକ୍ତି ଏପରି ଷଡ଼ଯନ୍ତ୍ର କରିଥିବା ସନ୍ଦେହ କରୁଛନ୍ତି ଓ ବିଭାଗୀୟ ତଦନ୍ତକୁ ସେ ସ୍ୱାଗତ କରିବା ସହ ସବୁ ପ୍ରକାର ସହଯୋଗ ପ୍ରମାଣ ଦେବେ ବୋଲି କଲେଜ ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି କହିଛନ୍ତି । କଲେଜ ଅଧ୍ୟକ୍ଷା ଡ଼ ସ୍ୱସ୍ତିକା ପାଢ଼ି ଚଳିତ ମାସରେ ଅବସର ନେଉଛନ୍ତି ତେଣୁ ତାଙ୍କୁ ବଦନାମ କରିବା ପାଇଁ ଏପରି ମିଥ୍ୟା ଅଭିଯୋଗ ହୋଇଥିବା କୁହାଯାଇଛି । ଅନ୍ୟ ପକ୍ଷରେ କଲେଜ ମ୍ୟାନେଜମେଂଟ ଓ କଲେଜରେ ୨ଗୋଷ୍ଠୀ ଅଧ୍ୟାପକ ମଧ୍ୟରେ ଅମେଳ କାରଣ ବେନାମୀ ଚିଠିର କାରଣ ବୋଳି ସନ୍ଦେହ କରାଯାଉଛିି । ବେନାମୀ ଚିଠି କରି ଅନୁଷ୍ଠାନକୁ ବଦନାମରେ ଶିକ୍ଷା ସହ ଜଡ଼ିତ କିଛି ବାହାର ବ୍ୟକ୍ତିଙ୍କ ସଂପୃକ୍ତିକୁ ମଧ୍ୟ ସନ୍ଦେହ କରାଯାଉଛି । କଲେଜର ପରିଚାଳନା ଦାୟିତ୍ୱ ନିଜେ ସରକାର ନିଅନ୍ତୁ , ନୂତନ ଅଧ୍ୟକ୍ଷ ନିଯୁକ୍ତି ବେଳେ ପ୍ରଶାସନିକ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ଦାୟିତ୍ୱ ପ୍ରଦାନ କରାଯିବାକୁ ଦାବି ହୋଇଛି । ବେନାମୀ ଅଭିଯୋଗକାରୀ ଓ ବିଶୃଙ୍ଖଳା ସୃଷ୍ଟିକାରୀ ଙ୍କ ବିରୁଦ୍ଧରେ ସରକାର ଦୃଢ଼ ପଦକ୍ଷେପ ନେବାକୁ ଆଲୁମିନ ସଭାପତି ପବିତ୍ର ମୋହନ ପାଣିଗ୍ରାହି, ସମ୍ପାଦକ ନୀଳମଣି ପଟ୍ଟନାୟକ, ପୂର୍ବତନ ଛାତ୍ର ସଭାପତି ସଞ୍ଜୟ କୁମାର ପଣ୍ଡା, ବିରଂଚି ନାରାୟଣ ପଣ୍ଡା, ପପୁ ପଣ୍ଡା, ରାହୁଲ ପାଣିଗ୍ରାହି , ତାପସ କୁମାର ପଣ୍ଡା , ବିନାୟକ ପ୍ରସାଦ ପଟ୍ଟନାୟକ, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଆଂଚଳିକ ନିର୍ଦ୍ଦେଶକଙ୍କୁ ତଦନ୍ତ ବେଳେ ଲିଖିତ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.