ଯେଉଁ ସଂସ୍ଥା କାର୍ଯ୍ୟ ଶେଷ ନକରିଅଧାରୁ ଛାଡ଼ି ଚାଲିଯାଉଛନ୍ତି ସେମାନଙ୍କୁ କଳା ତାଲିକା ଭୁକ୍ତ କରାଯାଉ : ଡଃ.ସାମନ୍ତ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି(ପଞ୍ଚମ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ସାଂସଦ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ପଦାଧିକାରୀମାନଙ୍କ ଠାରୁ ଶୁଣିବା ସହିତ ମାନ୍ୟବର ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ସମେତ ଉପସ୍ଥିତ ଜନ ପ୍ରତିନିଧିମାନଙ୍କ ଠାରୁ ସେମାନଙ୍କ ଅଞ୍ଚଳର ସମସ୍ୟା ଶୁଣିଥିଲେ । ଯେଉଁ ସଂସ୍ଥା ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ ନକରି ଅଧାରୁ ଛାଡ଼ି ଚାଲିଯାଉଛନ୍ତି ସେମାନଙ୍କୁ କଳା ତାଲିକା ଭୁକ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଡଃ.ସାମନ୍ତ ପରାମର୍ଶ ଦେଇଥିଲେ। ୪ ବର୍ଷ ହେଲା ଗୋଟିଏ ନିର୍ଦ୍ଦିଷ୍ଟ ନିର୍ମାଣ ଏଜେନ୍ସି ବିରୁଦ୍ଧରେ ଏହିଭଳି ଅଭିଯୋଗ ଶୁଣିଆସୁଛନ୍ତି । ସେହି ସଂସ୍ଥା ବିରୁଦ୍ଧରେ ଜନ ପ୍ରତିନିଧିମାନେ ଲେଖିକି ଦେଲାପରେ ଆମେ କାର୍ଯ୍ୟାନୁଷ୍ଠାନନେବୁ ବୋଲି ସେ କହିଥିଲେ । ମାନ୍ୟବର ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କହିଲେ, ଆମ ଜିଲ୍ଲାରେ ନିର୍ମାଣ ମାଟେରିଆଲ୍ ନ ଥିବା ହେତୁ ଅନ୍ୟ ଜିଲ୍ଲାରୁ ଆସିଥ‌ିବା ଠିକାଦାରମାନେ ବାହାର ଜିଲ୍ଲାରୁ ମଗାଇ କାମ କରୁଛନ୍ତି । ଜିନିଷ ନ ମିଳିଲେ କିମ୍ବା ଚୁକ୍ତି ଅନୁଯାୟୀ ଠିକ୍ ସମୟରେ ଟଙ୍କା ନ ମିଳିଲେ ଅଧାରୁ କାମଛାଡ଼ି ଚାଲିଯାଉଛନ୍ତି । ସେଥ‌ିପାଇଁ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ମାନ୍ୟବର ବିଧାୟକ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ୧ ମାସ ଭିତରେ ନିର୍ମାଣ ଏଜେନ୍ସି ଓ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଏହା ଉପରେ ଆଲୋଚନା କରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ କହିଥିଲେ ।
ପ୍ରାରମ୍ଭରେ ଗତ ତା.୦୮.୦୯.୨୦୨୩ ରିଖରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଦିଶା ବୈଠକର ଆଲୋଚ୍ୟ ବିବରଣୀକୁ ଆଧାର କରି ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ଅନୁପାଳନ ପଠନ ସହିତ ଦୃଢ଼ୀକରଣ କରାଯାଇଥିଲା।
ଆଲୋଚନାରୁ ଜଣା ପଡ଼ିଛିଯେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ୧୮୪ କୋଟି ୯୮ ଲକ୍ଷ୮୫ ହଜାର ଟଙ୍କା ବିନିମୟରେ କାର୍ଯ୍ୟ ଯୋଗାଇ ୭୨ ଲକ୍ଷ ୮୦ ହଜାର ୪୩ ୮ଶ୍ରମ ଦିବସ ସୃଷ୍ଟି କରି ଗ୍ରାମାଞ୍ଚଳର ଜବ୍ କାର୍ଡ଼ ଧାରୀଙ୍କୁରୋଜଗାର ଯୋଗାଇ ଦିଆଯାଇଛି । ଏହି ଜିଲ୍ଲା ଚଳିତ ବର୍ଷରେ ୧୬ହଜାର ୨ଶହ ୬୫ ପରିବାରକୁ ୧୦୦ ଦିନର ଶ୍ରମ ଦିବସ ପ୍ରଦାନ କରିପାରିଛି ଏବଂ ପ୍ରତ୍ୟେକ ପରିବାରକୁ ଗୋଟିଏ ଆର୍ଥିକ ବର୍ଷରେ ହାରାହାରି ୫୭ ଦିନ ଶ୍ରମ ପ୍ରଦାନ କରିପାରିଛି। ବୈଦ୍ୟୁତିକ (ପି.ଏଫ୍.ଏମ୍.ଏସ୍.)ପ୍ରଣାଳୀ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ମଜୁରୀ ପ୍ରଦାନ କରିବାରେ ଚିରନ୍ତନ ପ୍ରୟାସ ଜାରି ରଖି ଜିଲ୍ଲା ୯୭ ଶତକଡ଼ା ସଫଳ ହୋଇପାରିଛି । ଜିଲ୍ଲାରେ ଚଳିତ ଆର୍ଥିକ ବର୍ଷରେ ଆଜି ସୁଦ୍ଧା ନୂଆ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା-ଜି ରେ ସମୁଦାୟ ୨୬ହଜାର ୪୮୭ଟି ଘର ମଞ୍ଜୁର ହୋଇଥିବାବେଳେ ୨୬ହଜାର ୧୩୮ଟି ଘର ପାଇଁ ପ୍ରଥମ କିସ୍ତି ଟଙ୍କା ଦିଆସରିଛି। ସେହିପରି, ୬ହଜାର ୨୬୬ ଓ ୧ହଜାର ୭୫ଟି ଘର ପାଇଁ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ କିସ୍ତି ଟଙ୍କା ଦିଆସରିଛି ଏବଂ ୨ହଜାର ୭୩୭ଟି ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଯାଇଛି। ବୈଠକରେ, ଦିନ ଦୟାଲ ଅନ୍ତୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଗ୍ରାମ୍ୟ ପୂର୍ତ୍ତ ବିଭାଗ, ଫୁଲବାଣୀ ଓ ବାଲିଗୁଡ଼ା, ଉଠା ଜଳସେଚନ, ବିଜୁ କୃଷକ ବିକାଶ ଯୋଜନା, ସୋଲାର ବୋର୍ ୱେଲ, ବିଦ୍ୟୁତକରଣ , ପି.ଏମ୍. ପୋଷଣ ପ୍ରୋଗ୍ରାମ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ,ଫୁଲବାଣୀ ଉପରେ ଆଲୋଚନା କରାଯାଇଥିଲା।
ଦିଶା ବୈଠକ ପୂର୍ବରୁ କନ୍ଧମାଳ ଜିଲ୍ଲା ପରିଷଦର ଚତୁର୍ଥ ଅଧିବେଶନ ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ରାସ୍ତା ଓ କୋଠାବାଡ଼ି, ଫୁଲବାଣୀ ଓ ବାଲିଗୁଡ଼ା ଡିଭିଜନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିବା ବେଳେ ଦିଶା ବୈଠକ ପରେ ପରେ ଜିଲ୍ଲା ବିଦ୍ୟୁତ୍‌କରଣ ସମ୍ପୃକ୍ତ ବୈଠକରେ ଜିଲ୍ଲାରେ ବିଦ୍ୟୁତୀକରଣ ଉପରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରାଜେନ୍ଦ୍ର କୁମାର ରଞ୍ଜିତ୍ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଡଃ.ରତିକାନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.