ଜହ୍ନିଓଷା ବ୍ରତ ଉଦଯାପିତ…

ହିଞ୍ଜିଳିକାଟୁ (୨୮/୧୦ ): ଓଡ଼ିିଶାର ଏକ ପାରମ୍ପରିକ ପର୍ବ ମଧ୍ୟରେ ଜହ୍ନିଓଷା ଅନ୍ୟତମ । ମୁଖ୍ୟତଃ ଯୁବତୀ ମାନଙ୍କ ଏହି ପର୍ବ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ପାଳିତ ହୋଇଥାଏ । ଜହ୍ନିଓଷା ପର୍ବ ପ୍ରତିବର୍ଷ ଆଶ୍ୱିନ ମାସ ପ୍ରଥମ ଦିନରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମାରେ ଉଦଯାପିତ ହୋଇଥାଏ । ପ୍ରଚଳିତ ପରମ୍ପରା ଅନୁସାରେ ଜହ୍ନିଓଷା ପର୍ବରେ ନିଜର ମନଲାଖି ବରପ୍ରାପ୍ତି ଆଶାରେ ଯୁବତୀ ମାନେ ମା’ ବୃନ୍ଦାବତୀଙ୍କ ନିକଟରେ ଏହି ବ୍ରତ କରିଥାନ୍ତି । ସେହିପରି ବିବାହିତ ମହିଳା ଘର ତଥା ପରିବାରର ଶୁଭମନାସି ବ୍ରତ ପାଳନ କରିଥାନ୍ତି । ବହୁ ପୁରାତନ ଜହ୍ନିଓଷା ବ୍ରତ କୁମାର ପୂର୍ଣ୍ଣିମା ଦିନ ସମାପନ ହୋଇଥାଏ । କିଶୋରୀ ଓ ଯୁବତୀ ମାନେ ସାମୁହିକ ଭାବେ ଏହି ବ୍ରତ ପାଳନ କରିଥାନ୍ତି । ବ୍ରତ ପାଳନ ନିମନ୍ତେ ଗୋଟିଏ ଦିନ ପୂର୍ବରୁ ମା’ ବୃନ୍ଦାବତୀଙ୍କ ସ୍ଥାପନା ନିମନ୍ତେ ମାଟି, ବାଉଁଶ, ଖୁଣ୍ଟ, ନଡ଼ିଆ ଗଛର ଡ଼ାଳ, ତୁଳସୀ ଗଛ, ଗୁଆ, ପୁର୍ଣ୍ଣକୁମ୍ଭ , ସରା, କଳସି, କଉଡ଼ି, ଟଙ୍କା, ପଞ୍ଚ ମୁରୁଜ, ରଙ୍ଗମାଟି ଓ ଗୋବରର ଆବଶ୍ୟକତା ପଡ଼ିଥାଏ । ପ୍ରଥମ ଦିବସରେ ଆଠ ପ୍ରକାରର ପୁଲ, ଫଳ, ମିଠା ସମେତ ଜହ୍ନିଫୁଲରେ ମା’ ବୃନ୍ଦାବତୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ପ୍ରାୟ ଏକ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ପୂଜା କରାଯାଇଥାଏ । ପ୍ରତିଦିନ ସକାଳୁ ପୂଜା ସ୍ଥାନ ମନୋନୀତ କରାଯାଇ ପ୍ରତ୍ୟେହ ସେହି ସ୍ଥାନକୁ ଗୋବର ଓ ରଙ୍ଗମାଟିରେ ଲିପି ମୁରୁଜରେ ଝୋଟି ଦିଆଯାଏ । ସକାଳ ପୂଜାରେ ମା’ ବୃନ୍ଦାବତୀଙ୍କ ଉଦ୍ଦ୍ୟେଶରେ ଚଉଁରାରେ ପାଣି ଢଳାଯାଇଥାଏ । ସନ୍ଧ୍ୟାରେ ସନ୍ଧ୍ୟା ଆଳତି ସହ କଉଡ଼ି ଖେଳ, ଦଧି ମନ୍ଥନ, ବେଢା ବୁଲିବା ଭଳି ବିଧି ସମ୍ପନ୍ନ ପରେ ଯୁବତୀ ମାନେ ପାରମ୍ପରିକ ଗୀତ ଗାଇଥାନ୍ତି । ବ୍ରତ ପାଳନ କରୁଥିବା ଯୁବତୀ ଓ ମହିଳା ମାନେ ଏକ ମାସ ପର୍ଯ୍ୟନ୍ତ ଜହ୍ନି, ଛତୁ ଓ ଆମିଷ ବର୍ଜନ କରି ସାତ୍ତ୍ୱିକ ଭୋଜନ ଆହାର କରିଥାନ୍ତି । ମହାଳୟା ଅମବାସ୍ୟା ପରେ ବିଶେଷ ଭୋଗ ପ୍ରକାରେ ବ୍ରତଧାରୀ ମା’ ବୃନ୍ଦାବତୀଙ୍କ ପଖେରେ ୫ ଟି କାକରା ଓ ପୁଳି ଭୋଗ ଲଗାଇଥାନ୍ତି । ଦଶହରା ଦିନ ଗଜାମୁଗ ପୂଜା କରାଯାଇଥାଏ । କୁମାରପର୍ଣ୍ଣିମା ଦିନ ଜହ୍ନିଓଷା ବ୍ରତ ଉଦଯାପିତ ହୋଇଥାଏ । କୁମାର ପୁର୍ଣ୍ଣିମା ଦିନ ସକାଳ ପୂଜା ସହ ସନ୍ଧ୍ୟାରେ ଚଉରା ମୂଳେ ଆଠ ପ୍ରକାରର ପୁଲ, ଫଳ, ମିଠା ସମେତ ଲିଆ ପୂଜା କରାଯାଏ । କୁଆଁରୀ ମାନେ ଚନ୍ଦ୍ରଙ୍କୁ ଧୂପ, ଦୀପ ସମେତ ଲିଆରେ ଜହ୍ନି ଅର୍ପଣ କରିଥାନ୍ତି । ଶେଷରେ ମାନସିକଧାରୀ ଗଜାମୁଗ, ଚଉଁରା, ପ୍ରଭୃତିକୁ ଶୋଭାଯାତ୍ରାରେ ନେଇ ଫୋଖରୀ କିମ୍ବା ନିକଟସ୍ଥ ନଦୀରେ ବିସର୍ଜନ କରନ୍ତି । ପରେ ମାନସକ ଧାରୀ ସାରାରାତି ଅନିଦ୍ରା ରହି ଗୁଡ଼ୁଗୁଡ଼ି ଖେଳ, ତାସ, ପାଲି,ପୁଚି ଖେଳରେ ସମୟ ଅତିବାହିତ କରିଥାନ୍ତି । ପରଦିନ କ୍ଷୀରି ରାନ୍ଧିବା ସହ ଶୀତଳାଇ ଭୋଗ ଖାଇ ବ୍ରତ ସମାପନ କରିଥାନ୍ତି ।

nis-ad
Leave A Reply

Your email address will not be published.