ରାଇକିଆ ଓ ଟିକାବାଲି ବ୍ଲକର କୃଷି ଉତ୍ପାଦକ ସଂଗଠନଙ୍କ ତିନିଦିନିଆ ତାଲିମ୍…

ଫୁଲବାଣୀ : ଆର୍ଥିକ ବର୍ଷ ୨୦୨୩-୨୪ କୁ ଭାରତ ସରକାର ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ରୂପେ ପାଳନ କରୁଥିବାରେ ଓଡିଶା ସରକାର ମଧ୍ୟ ମିଲେଟ୍ ମିଶନ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଏବଂ କ୍ଷୁଦ୍ରଦାନା ସଭ୍ୟ କାର୍ଯକ୍ରମକୁ ସମନ୍ବିତ କୃଷି ମାଧ୍ୟମରେ ରାଜ୍ୟ କୃଷି ବିଭାଗ ସହ ଯୋଡିବାକୁ ଅଂଟା ଭିଡିଛନ୍ତି । ଏହି ପରିପ୍ରେକ୍ଷୀରେ କନ୍ଧମାଳ କୃଷି ବିଭାଗ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ତରଫରୁ ଏକ ତିନିଦିନିଆ ବିଜିନେସ୍ ଡେଭଲେପମଂଟ ପ୍ଲାନ୍ ଶୀର୍ଷକ ତାଲିମ୍ ସ୍ଥାନୀୟ ବନ୍ଧଗଡ ତାଲିମ୍ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମନ୍ବିତ କୃଷି ଓ ମାଣ୍ଡିଆ କାର୍ଯ୍ୟକ୍ରମର ୫୦ରୁ ଉର୍ଦ୍ଧ୍ୱ କୃଷି ଉତ୍ପାଦକ ସଂଗଠନର ଟିକାବାଲି ଓ ରାଇକିଆ ବ୍ଲକ୍‌ର ମହିଳା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ହେଉଛି, ଉତ୍ପାଦକ ସଂଗଠନ ମାନଙ୍କ ଦ୍ଵାରା ସଂଗୃହିତ ହେଉଥ‌ିବା ଦ୍ରବ୍ୟକୁ ବ୍ୟବହାର କରି କିପରି ନିଜ ନିଜର ବ୍ୟବସାୟକୁ ଆଗକୁ ବଢାଇବେ ଏବଂ ସେଥୁରୁ ନିଜ ସଂଗଠନର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ନିଜ ନିଜ ପରିବାରକୁ ମଧ୍ୟ ସ୍ଵଚ୍ଛଳ କରାଇବା । କାର୍ଯ୍ୟକ୍ରମରେ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ ଯୋଗ ଦେଇ ଆଗକୁ ବଢିବାକୁ ହେଲେ ଦିବା ସ୍ୱପ୍ନ ଦେଖୁବା ସହ ସାକାର ପାଇଁ ମହିଳା ଓ ପୁରୁଷ ଉଭୟ ମିଶି କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । ଉଦ୍‌ଘାଟନ ଉତ୍ସବରେ ବରିଷ୍ଠ କର୍ମୀ ଗିରିଶଚନ୍ଦ୍ର ସାମଲ ଯୋଗଦେଇ ରାଇକିଆ ବ୍ଳକରେ ମାଣ୍ଡିଆ ଚାଷକୁ ଆଦୃତ କରିବାରେ ଅନୁଷ୍ଠାନର ଭୂମିକାକୁ ଉପସ୍ଥାପନା କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ତାଲିମ୍‌ତା ଭାବେ ଆନ୍ତର୍ଜାତୀୟ ଶ୍ରମ ଅନୁଷ୍ଠାନ ତରଫରୁ ନିହାର ରଞ୍ଜନ ଓଝା ଓ ମନୋଜ କୁମାର ପଟ୍ଟନାୟକ ତିନିଦିନ ତାଲିମ୍ ମାଧ୍ୟମରେ କୃଷି ଉତ୍ପାଦନ ଗୋଷ୍ଠି ଓ ସ୍ଵୟଂସହାୟକ ଦଳର ମହିଳା ମାନଙ୍କୁ ବ୍ୟବସାୟ କରିବାର ବିଭିନ୍ନ ଉପାୟ ଓ ସରକାରଙ୍କ ସୁବିଧା ସୁଯୋଗକୁ ଯୋଡିବାକୁ ଚେଷ୍ଟା କରିଥିଲେ । ଉଦ୍‌ଯାପନ ଦିବସରେ ଅନୁଷ୍ଠାନ ତରଫରୁ ସୁସ୍ମିତା ଜେନା ଉପସ୍ଥିତ ରହି ତାଲିମରୁ ଯେଉଁ ଜ୍ଞାନ ଆହରଣ କଲେ ତାହା କାର୍ଯ୍ୟ କ୍ଷେତ୍ରରେ ଲଗାଇ ସଫଳ ହେବା ପାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆହ୍ବାନ ଦେଇଥିଲେ । ବିଶ୍ଵରଞ୍ଜନ କର ତାଲିମ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କୁସ ସାନସେଠ୍, ନିକୁଞ୍ଜ ପ୍ରଧାନ, ଅନନ୍ତ ମଲ୍ଲିକ, ସଞ୍ଜୟ ରଣା, ଗଙ୍ଗାଧର ନାୟକ, ମନୋଜ ନାୟକ ଓ କୃତିବାସ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.