୨୦୨୪ ମସିହା ସ୍ବତନ୍ତ୍ର ଭୋଟର ତାଲିକା ପ୍ରକାଶନ ସଚେତନତା ନିମନ୍ତେ ପଥ ଉତ୍ସବ ଓ ଓ୍ବାକଥନ୍…

ଛତ୍ରପୁର : ଛତ୍ରପୁର ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ପଥ ଉତ୍ସବ ଓ ଓ୍ବାକଥନ୍ ଆୟୋଜିତ ହୋଇଯାଇଛି । ଆଗାମୀ ୨୦୨୪ରେ ପ୍ରକାଶନ ହେବାକୁ ଥିବା ସ୍ବତନ୍ତ୍ର ଭୋଟର ତାଲିକା ନିମନ୍ତେ ଜନ ସଚେତନତା ଜାଗ୍ରତ ନିମନ୍ତେ ଛତ୍ରପୁର ପୋଲିସ୍ ପଡିଆ ନିକଟସ୍ଥ ରାସ୍ତାରେ ପଥ ଉତ୍ସବ ଓ ଓ୍ବାକଥନ୍ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଓ୍ବାକଥନ୍ ର ଶୁଭାରମ୍ଭ କରିଥିଲେ । ଓ୍ବାକଥନ୍ ଟି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ପୋଲିସ୍ ପ୍ୟାରେଡ୍ ପଡିଆ ନିକଟରେ ପହଞ୍ଚି ଥିଲା । ସେହିଠାରେ ପଥ ଉତ୍ସବ ଆୟୋଜନ ଅବସରରେ ଜିଲ୍ଲାପାଳ ଶ୍ରୀ ପରିଡା ନିଜ ବକ୍ତବ୍ଯରେ ଅବଗତ କରାଇଥିଲେ ଯେ, ଗତକାଲି ଅକ୍ଟୋବର ୨୭ ତାରିଖ ଠାରୁ ଆସନ୍ତା ଡିସେମ୍ବରମାସ ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ଅନୁଷ୍ଠିତ ହେବ । ଏହି ସମଯ ମଧ୍ଯରେ ନାଗରିକଗଣ ଭୋଟର ତାଲିକାରେ ନିର୍ଦ୍ଧାରୀତ ଫର୍ମ ପୂରଣ କରି ନାମ ପଞ୍ଜିକରଣ, ସବିଶେଷ ସଂଶୋଧନ, ନାମ ଅପସାରଣ, ଆଧାରକାର୍ଡ ସହିତ ଭୋଟର ପରିଚୟ ପତ୍ର ସଂଯୋଗୀ କରଣ କରାଇ ନେବେ । ଭୋଟର ତାଲିକାଟି କିଭଳି ନିର୍ଭୁଲ ତଥ୍ଯ ସହିତ ପ୍ରକାଶନ ହେବ ସେଥି ନିମନ୍ତେ ସମସ୍ତ ନାଗରିକ ସହଯୋଗ କରିବା ଆବଶ୍ୟକ । ତେବେଯାଇ ସମସ୍ତେ ନିଜନିଜ ମତ ସାବ୍ୟସ୍ତ କରିବାରେ ଅସୁବିଧା ହେବ ନାହିଁ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପରିଡାଙ୍କ ଦ୍ବାରା ଭାରତୀୟ ନିର୍ବାଚନ କମିଶନ୍ ( ଇ.ସି.ଆଇ) ସଙ୍ଗୀତ ‘ହମ୍ ଭାରତକା ମତଦାତା ହୈ ‘ ଉଦ୍ଘାଟନ ହୋଇଥିଲା । ଏହି ଣଞ୍ଚରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଲୀନା କୁମାରୀ ଖେସ୍ ଏବଂ ଦେବବ୍ରତ ସାହୁ ଉପସ୍ଥିତ ଥିଲେ । ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ମହନ୍ତ ଉତ୍ସବ ପାଳନର ଉଦ୍ଦେଶ୍ଯ ସମ୍ପର୍କରେ ଅବଗତ କରାଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଭୋଟର ତାଲିକାରେ ଅଧିକ ସଂଖ୍ଯକ ମହିଳା ଯେପରି ଅନ୍ତର୍ଭୁକ୍ତ ହେବେ, ଯୁବ ଭୋଟର ସଂଖ୍ଯା ବୃଦ୍ଧିହେବ, ବିଶେଷ ଭାବେ ଆଦିବାସୀ ଗୋଷ୍ଠୀଙ୍କୁ ଗୁରୁତ୍ବ ପ୍ରଦାନ,ଭିନ୍ନକ୍ଷମ ବ୍ୟକ୍ତି ବିଶେଷ,ବରିଷ୍ଠ ନାଗରିକ ଏବଂ ତୃତୀୟ ଲିଙ୍ଗ ବ୍ଭକ୍ତିମାନେ ଯେପରି ଏହି ତାଲିକାରୁ ବଞ୍ଚିତ ହେବେ ନାହିଁ ସେଥିନିମନ୍ତେ ବିଶେଷ ଧ୍ୟାନ ଦିଆଯିବ । “ଆମେ ଭାରତର ମତଦାତା” । ସମସ୍ତଙ୍କର ଭୋଟ ଦେବାର ସ୍ବାଧୀନତା ରହିଛି । ସମସ୍ତେ ଯେପରି ମତଦାନ କରିବେ ଏଣୁ ତା ପୂର୍ବରୁ ଭୋଟତାଲିକାରେ ନିଜ ନାମ ଓ ସମ୍ପୂର୍ଣ୍ଣ ତଥ୍ୟ ଯେପରି ରହିବ ସେହି ସଚେତନତା ରାଲି ଏହି ଦିବସରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ପଥ ଉତ୍ସବରେ ଝୋଟି ପ୍ରତିଯୋଗିତା, ଦସ୍ତଖତ ଓ୍ବାଇ ସେଲଫି ପଏଣ୍ଟ ବ୍ୟବସ୍ଥା କରାଯାଇଥିଲା । ଛତ୍ରପୁର କଳା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ଯ, ଭୋଟଦାନ ସମ୍ପର୍କିତ ନୃତ୍ୟ ପରିବେଷଣ ହୋଇଥିବା ବେଳେ ଟାଙ୍ଗଣାପଲ୍ଲୀ ଗାୟତ୍ରୀ କଳାବିକାଶ କେନ୍ଦ୍ର ଦ୍ବାରା ଯୋଡିଶଙ୍ଖ, ଛତ୍ରପୁର ମା ମଙ୍ଗଳା ପାଲା ସଂସଦ ଦ୍ବାରା ପାଲା ପରିବେଷଣ ହୋଇଥିଲା । ପରେପରେ ଝୋଟି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏବଂ ଅଂଶ ଗ୍ରହଣ ସମସ୍ତ ଦଳଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଟିକୁ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବତ୍ ସଂଗ୍ରାମଜିତ୍ ସାହୁ, ତହସିଲଦାର ଦିବ୍ଯା ମହାନ୍ତି , ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହକାରୀ ଉପଜିଲ୍ଲାପାଳ ପୁଷ୍ପାଞ୍ଜଳୀ କୃଷିକା ଏବଂ ଅତନୁ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.