ବୈଦ୍ୟୁତିକ ସୁରକ୍ଷା ସଚେତନତା ପାଇଁ ନିଆରା ପ୍ରୟାସ ; ମାଲକାନଗିରିରୁ ବ୍ରହ୍ମପୁର ଯାଏଁ ଟିପିଏସ୍ଓଡିଏଲ୍ କର୍ମଚାରୀ ସୌମ୍ୟଙ୍କ ସାଇକେଲ ଯାତ୍ରା

ବ୍ରହ୍ମପୁର,: ବୈଦ୍ୟୁତିକ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ଟିମ୍ ଲିଡ୍ (ପ୍ରୋଜେକ୍ଟ) ସୌମ୍ୟ ରଞ୍ଜନ ଲେଙ୍କା ମାଲ୍ୟବନ୍ତ ମାଲକାନଗିରିରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୫୪୦ କିମି ସାଇକେଲ ଯାତ୍ରା କରି ଶୁକ୍ରବାର ବ୍ରହ୍ମପୁରରେ ପହଞ୍ଚିଛନ୍ତି। କମ୍ପାନୀର “ଜିରୋ ହାର୍ମ୍ ମିଶନ” ଲକ୍ଷ୍ୟ ପୂରଣ ଦିଗରେ ଏହି “ସୁରକ୍ଷା ସଚେତନତା ଯାତ୍ରା” ଏକ ଉଲ୍ଲେଖନୀୟ ପଦକ୍ଷେପ।

ଶୁକ୍ରବାର ବ୍ରହ୍ମପୁର କର୍ପୋରେଟ ଅଫିସରେ ଶ୍ରୀଲେଙ୍କା ପହଞ୍ଚିବା ପରେ, କର୍ମକ୍ଷେତ୍ରରେ ତାଙ୍କ ନିଷ୍ଠା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ସ୍ୱାଗତ କରାଯାଇଥିଲା। ସ୍ୱାଗତ ସମାରୋହରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ ଯୋଗ ଦେଇ ବୈଦ୍ୟୁତିକ ସୁରକ୍ଷା ସଚେତନତାର ପ୍ରଚାର ପ୍ରସାର ଦିଗରେ ଶ୍ରୀ ଲେଙ୍କାଙ୍କର ଏଭଳି ଅଭିନବ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ସମାରୋହରେ କର୍ମଚାରୀମାନଙ୍କୁ ସମ୍ବୋଧନ କରି ଶ୍ରୀଲେଙ୍କା କହିଛନ୍ତି, ” ବୈଦ୍ୟୁତିକ ସୁରକ୍ଷାକୁ ଆମେ ସମସ୍ତେ ପ୍ରାଥମିକତା ଦେବା ଦରକାର । ବୈଦ୍ୟୁତିକ ସୁରକ୍ଷାଜନିତ ଅବହେଳା ଯୋଗୁଁ ଯେମିତି ଗୋଟିଏ ବି ଜୀବନ ହାନି ନ ହେଉ, ଏହି ସଚେତନତା ବାର୍ତ୍ତା ବାଣ୍ଟିବାର ଲକ୍ଷ୍ୟ ନେଇ ମୁଁ ସୁରକ୍ଷା ସଚେତନତା ଯାତ୍ରା ଆରମ୍ଭ କରିଥିଲି। ଯାତ୍ରା ସମୟରେ କର୍ମଚାରୀ ଓ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଭେଟିବା ସହ ସେମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲି । ବୈଦ୍ୟୁତିକ ସୁରକ୍ଷାକୁ ପ୍ରାଥମିକତା ଦେଇ ଆମେ ଏକ ସୁରକ୍ଷିତ ଓ ସଚେତନ ସମାଜ ଗଠନ କରିପାରିବା। ଏହି ପ୍ରୟାସରେ ଭାଗୀଦାର ହୋଇ ମୁଁ ଗର୍ବ ଅନୁଭବ କରୁଛି “।

ସୌମ୍ୟ ରଞ୍ଜନ ଲେଙ୍କା ଅକ୍ଟୋବର ୨୦ ତାରିଖରେ ମାଲକାନଗିରିରୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା କମ୍ପାନୀର କର୍ମଚାରୀ, ଉପଭୋକ୍ତା ତଥା ସାଧାରଣ ଜନତାଙ୍କ ମଧ୍ୟରେ ବୈଦ୍ୟୁତିକ ସୁରକ୍ଷା ସଚେତନତା ଜାଗରଣ କରିବା। ଏହି ଯାତ୍ରା କାଳରେ ତାଙ୍କୁ କମ୍ପାନୀ ପକ୍ଷରୁ ସମସ୍ତ ଆନୁସଙ୍ଗିକ ସହାୟତା ଯୋଗାଇ ଦିଆଯାଇଥିଲା । ସେ ଏହି ସାଇକେଲ ଯାତ୍ରାରେ ଟିପିଏସ୍ଓଡିଏଲର ବିଭିନ୍ନ ସର୍କଲର ଅନେକ ସହର ପାଖାପାଖି ୨ ଶହ ଗ୍ରାମରେ ସଚେତନ ବାର୍ତ୍ତା ବାଣ୍ଟିବାରେ ସଫଳ ହୋଇପାରିଛନ୍ତି ।

nis-ad
Leave A Reply

Your email address will not be published.