ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ : ସାଂସଦ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ମନିଟରିଂ କମିଟି (ଚତୁର୍ଥ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଯେତେଗୁଡ଼ିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେଗୁଡ଼ିକୁ ସେହି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ । ସେହି ଅନୁଶାରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କର I ଯଦି ବା କିଛି ସମସ୍ୟା ରହିଛି ତେବେ ଜିଲ୍ଲାପାଳ କିମ୍ବା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା – ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଙ୍କ ସହ ଆଲୋଚନା କର। ଆବଶ୍ୟକ ପଡ଼ିଲେ ଅଧିକାରୀମାନେ ତାଙ୍କର ସହଯୋଗ ନେଇପାରିବେ ବୋଲି ସେ କହିଥିଲେ । କନ୍ଧମାଳ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ସରକାରୀ ପଦାଧିକାରୀ ମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇ ପାରିବ । ତେବେ, ମାନ୍ୟବର ବିଧାୟକ ତଥା ଜନ ପ୍ରତିନିଧିମାନେ ଯେଉଁ ସବୁ ଅଭିଯୋଗ କରୁଛନ୍ତି ସେଗୁଡ଼ିକୁ ଗୁରୁତ୍ବ ଦିଆଯିବା ସହିତ ସମସ୍ୟା ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ମାନନୀୟ ସାଂସଦ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ସାଂସଦ ଡଃ.ସାମନ୍ତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ପରିଷଦ, କନ୍ଧମାଳର ଚତୁର୍ଥ ଦିଶା ଅଧିବେଶନରେ ମାନ୍ୟବର ସାଂସଦ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସଂପୃକ୍ତ ପଦାଧିକାରୀମାନଙ୍କ ଠାରୁ ଶୁଣିବା ସହିତ ମାନ୍ୟବର ଘୁ.ଉଦୟଗିରି ବିଧାୟକ ଶ୍ରୀ ସାଲୁଗା ପ୍ରଧାନ, ମାନ୍ୟବର ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣି କହଁର, ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲା ପରିଷଦର ମାନନୀୟ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ସମେତ ଉପସ୍ଥିତ ଜନ ପ୍ରତିନିଧୁମାନଙ୍କ ଠାରୁ ସେମାନଙ୍କ ଅଞ୍ଚଳର ଜଳଯୋଗାଣ, ରାସ୍ତା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଦ୍ୟୁତୀକରଣ ଓ ଅନ୍ୟାନ୍ୟ ବିଭାଗର ସମସ୍ୟା ଶୁଣିଥିଲେ ।

ପ୍ରାରମ୍ଭରେ ଗତ ତା.୧୧.୦୪.୨୦୨୩ ରିଖରେ ଅନୁଷ୍ଠିତ ହୋଇଯାଇଥିବା ତୃତୀୟ ଦିଶା ବୈଠକର ଆଲୋଚ୍ୟ ବିବରଣୀକୁ ଆଧାର କରି ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦ୍ଵାରା ପ୍ରଦତ୍ତ ଅନୁପାଳନ ପଠନ ସହିତ ଦୃଢ଼ୀକରଣ କରାଯାଇଥିଲା ।ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନ୍, ଫୁଲବାଣୀର ନିର୍ବାହୀ ଯନ୍ତ୍ରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାରେ ପାନୀୟ ଜଳ ପାଇଁ ୫ ଗୋଟି ମେଗା ପ୍ରକଳ୍ପର କାର୍ଯ୍ୟ ଚାଲୁରହିଛି । ଏପ୍ରିଲ ୨୦୨୪ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରିବ । ଏଗୁଡ଼ିକ ଦ୍ଵାରା ଜିଲ୍ଲାର ସମୁଦାୟ ୮୪୩ଟି ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଣ ହୋଇପାରିବ । ସେଥୁମଧ୍ୟରୁ ବାଲିଗୁଡ଼ା ବ୍ଲକରେ ହେଉଥ‌ିବା ପ୍ରକଳ୍ପ ଦ୍ୱାରା ୧୪ ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୭୭ଟି ଗ୍ରାମର ପ୍ରାୟ ୩୦ ହଜାର ୪୪୧ଜଣ ଗ୍ରାମବାସୀ ଉପକୃତ ହୋଇପାରିବେ । ସେହିପରି, ଟିକାବାଲି ବ୍ଳକରେ ହେଉଥ‌ିବା ପ୍ରକଳ୍ପ ଦ୍ୱାରା ୧୧ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୦୧ଟି ଗ୍ରାମର ପ୍ରାୟ ୨୫ ହଜାର ୫୬୫ ଜଣ ଗ୍ରାମବାସୀ ଉପକୃତ ହୋଇପାରିବେ । କେ, ନୂଆଗାଁ ବ୍ଲକରେ ହେଉଥ‌ିବା ପ୍ରକଳ୍ପ ଦ୍ବାରା ୬ ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୮୨ଟି ଗ୍ରାମର ପ୍ରାୟ ୩୨ ହଜାର ୨୭୩ ଜଣ ଗ୍ରାମବାସୀ ଉପକୃତ ହୋଇପାରିବେ। ସେହିପରି, ଚତୁର୍ଥ ମେଗା ପ୍ରକଳ୍ପ ଦ୍ବାରା ଖଜୁରୀପଡ଼ା ବ୍ଳକର ୧୩ଟି ପଞ୍ଚାୟତ, ଫୁଲବାଣୀ ବ୍ଲକର ୧୧ ଗୋଟି ପଞ୍ଚାୟତ, ଫିରିଙ୍ଗିଆ ବ୍ଲକର ୧୨ଟି ପଞ୍ଚାୟତ, ଓ ଚକାପାଦ ବ୍ଳକର ୫ଟି ପଞ୍ଚାୟତ ଅନ୍ତର୍ଗତ ସମୁଦାୟ ୪୭୨ଟି ଗ୍ରାମର ପ୍ରାୟ ୯୧ହଜାର ୬୨୨ଜଣ ଲୋକ ଉପକୃତ ହୋଇପାରିବେ । ପଞ୍ଚମ ମେଗା ପ୍ରକଳ୍ପଟି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଓ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗିବାଡ଼ି ବ୍ଲକର ୨ ଗୋଟି ପଞ୍ଚାୟତର ୧୧ଟି ଗ୍ରାମର ପ୍ରାୟ ୬ହଜାର ୫୦୮ ଜଣ ଲୋକ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି । ସେଥ‌ିପାଇଁ ୯୮୪ କୋଟି ୭୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । କନ୍ଧମାଳ ଜିଲ୍ଲା ପରିଷଦ ଜିଲ୍ଲା ସଂଯୋଜକ, ମନରେଗାଙ୍କ ସୂତ୍ରରୁ ପ୍ରକାଶ ଯେ,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରକ ନିର୍ଦ୍ଦେଶ କ୍ରମେ ଆର୍ଥିକ ବର୍ଷ ୨୦୨୩- ୨୦୨୪ ରେ ୧୩୭ କୋଟି ୯୨ ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟ ଯୋଗାଇ ୫୩ ଲକ୍ଷ ୨୦ ହଜାର ୯୮୮ଟି ଶ୍ରମ ଦିବସ ସୃଷ୍ଟି କରି ଗ୍ରାମାଞ୍ଚଳର ଜବ୍ କାର୍ଡଧାରୀଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ଏହି ଜିଲ୍ଲା ବିଗତ ବର୍ଷରେ ୩୨୧ କୋଟି ୬୬ ଲକ୍ଷ ୭୬ହଜାର ଟଙ୍କା ବିନିମୟରେ କାର୍ଯ୍ୟ ଯୋଗାଇ ୧କୋଟି ୮ଲକ୍ଷ ୭୭ ହଜାର ୩୭୩ଟି ଶ୍ରମ ଦିବସ ସୃଷ୍ଟି କରି ଗ୍ରାମାଞ୍ଚଳର ଜବ୍ କାର୍ଡଧାରୀଙ୍କୁ ରୋଜଗାର ଯୋଗାଇ ଦିଆଯାଇଥିଲା। ଏସ୍.ଡି.ଓ.,ଟିପିଏସ୍ଓଡିଏଲ୍‌, ଫୁଲବାଣୀଙ୍କ ସୂଚନାରୁ ଜଣାପଡ଼ିଛିଯେ,ଦୀଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ଓ ଉଦୟ ରେ ଚଳିତ ବର୍ଷ ଶେଷ ସୁଦ୍ଧା ଜିଲ୍ଲାର ସବୁ ଅଞ୍ଚଳକୁ ବିଦ୍ୟୁତୀକରଣ କରାଯାଇଥିବ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା- ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ରାଜେନ୍ଦ୍ର କୁମାର ରଞ୍ଜିତ୍ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ନିର୍ବାହୀ ଅଧୁକାରୀ, ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), କନ୍ଧମାଳ ଜିଲ୍ଲା ପରିଷଦ ଶ୍ରୀ ହର ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ସମେତ ଦିଶା କମିଟିର ସମସ୍ତ ସଭ୍ୟ/ସଭ୍ୟ, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.