ପତ୍ନୀଙ୍କ ସହ ଝଗଡା କରି ୯ ମାସର ଶିଶୁ ପୁତ୍ର ସହ ନଦୀକୁ ଡେଇଁ ପଡିଲେ ବାପା…

କଟକ:ଜୀବନ ପ୍ରତି ମୋହ ଛାଡିଗଲା ସତ ହେଲେ ସନ୍ତାନ ପ୍ରତି ତୁଟାଇ ପାରି ନ ଥିଲେ । ସେଥିପାଇଁ ପତ୍ନୀଙ୍କ ସହ ଝଗଡା କରି  ୯ ମାସର ଛୁଆକୁ ଧରି   ନଦୀକୁ ଡେଇଁଥିଲେ ବାପା । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ  ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମା’ ସହ ହସ୍ପିଟାଲକୁ ପଠା ଯାଇଛି । ହେଲେ ବାପାଙ୍କର ଖୋଜଖବର ଏଯାଏ ମିଳିନି । ବାପାଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ଅଗ୍ନିଶମ ବାହିନୀ । ରବିବାର ଏମିତି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କନ୍ଦରପୁର ଅଞ୍ଚଳରେ । ତେବେ ବ୍ୟକ୍ତିଜଣକ କଣ ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଜଣାପଡିନି ।  ପାରିବାରିକ କଳହରୁ ଏପରି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି ।

କନ୍ଦରପୁର ସଇଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ପ୍ରଧାନ ।  ସେ କିଛି ଦିନ ହେବ ନିଜ ଶ୍ୱଶୁର ଘରେ ରହୁଥିଲେ । ବୋଧହୁଏ କିଛି ପାରିବାରିକ ବିବାଦ ରହିଥିଲା । ରବିବାର ସକାଳୁ ସକାଳୁ ପ୍ରକାଶ ପତ୍ନୀ ଓ ୯ ମାସର ପୁଅ ସହ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ସେଠାରେ ପତ୍ନୀଙ୍କ ସହ ତାଙ୍କର କୌଣସି କଥାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପ୍ରକାଶ ସିଧୁଆ ନଦୀଆଡକୁ ଯାଉଥିଲେ ।

ଏହା ଦେଖି ତାଙ୍କ ପତ୍ନୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ପ୍ରକାଶ ଏକ ପଥରରେ ପତ୍ନୀଙ୍କୁ ଆକ୍ରମଣ କରି ୯ମାସର ଶିଶୁ ଧରି ନଦୀକୁ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକ ଏହା ଦେଖି ତୁରନ୍ତ ବାପା-ପୁଅଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଶିଶୁପୁତ୍ରକୁ ଉଦ୍ଧାର କରିଥିବାବେଳେ ପ୍ରକାଶଙ୍କୁ ପାଇ ନ ଥିଲେ ।  ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ । ଶିଶୁପୁତ୍ରର ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

nis-ad
Leave A Reply

Your email address will not be published.