ଟଙ୍କା ଲୋଭରେ ତୃଟିପୂର୍ଣ୍ଣ ସର୍ଜରୀ : ଦୃଷ୍ଟି ଶକ୍ତି ହରାଇଲେ ଓକିଲ, ଥାନାରେ ଅଭିଯୋଗ

ହିଞ୍ଜିଳିକାଟୁ,(୨୫।୭): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ଏକ ଜଣାଶୁଣା ଚକ୍ଷୁ ଚିକିତ୍ସାଳୟରେ ତୃଟିପୂର୍ଣ୍ଣ ସର୍ଜରୀ କାରଣରୁ ଜଣେ ଆଇନଜୀବି ଦୃଷ୍ଟି ଶକ୍ତି ହରାଇଥିବା ଅଭିଯୋଗ ହୋଇଛି। ଆଇନଜୀବୀ ହେଲେ ହିଞ୍ଜିଳିକାଟୁ ଓକିଲ ସଂଘ ସଦସ୍ୟ ନିରଞ୍ଜନ ସାହୁ।ଏଥି ନେଇ ସେ ହିଞ୍ଜିଳି ଥାନା ସହ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରି ନ୍ୟାୟ ଦାବି କରିଛନ୍ତି।

ଅଭିଯୋଗର ଗୁରୁତ୍ବକୁ ଉପଲବ୍ଧି କରି ହିଞ୍ଜିଳି ପୋଲିସ ପକ୍ଷରୁ ଗଞ୍ଜାମ ସିଡିଏମଓଙ୍କ ସହ ଯୋଗାଯୋଗ କରାଯାଇଛି। ସିଡିଏମଓଙ୍କ ତଦନ୍ତ ରିପୋର୍ଟ ପରେ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସ ପ୍ରକାଶ କରିଛି। ଅଭିଯୋଗରୁ ପ୍ରକାଶ ଯେ, ପ୍ରାୟ ୭ ମାସ ତଳେ ଆଇନଜୀବୀ ତଥା ଅଭିଯୋଗକାରୀ ନିରଞ୍ଜନଙ୍କ ଆଖିର ଦୃଷ୍ଟି ଶକ୍ତି ର ଉନ୍ନତି ପାଇଁ ହିଞ୍ଜିଳିକାଟୁ ନିକଟସ୍ଥ ଏକ ଜଣାଶୁଣା ଚକ୍ଷୁ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଜଣେ ଡାକ୍ତର ଆଇନଜୀବୀ ନିରଞ୍ଜନଙ୍କ ଚକ୍ଷୁ ପରୀକ୍ଷା କରିବା ପରେ ରେଟିନାରେ ଛୋଟିଆ ଛିଦ୍ର ଥିବା କହିବା ସହ ତୁରନ୍ତ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ନିରଞ୍ଜନ ଫେବୃଆରୀ ୧୭ ତାରିଖରେ ନଗଦ ୨୫ ହଜାର ଟଙ୍କା ଉକ୍ତ ଚକ୍ଷୁ ଚିକିତ୍ସାଳୟରେ ଫିସ୍ ବାବଦକୁ ପ୍ରଦାନ କରି ଅସ୍ତ୍ରୋପଚାର କରାଇଲେ । ତେବେ ଅସ୍ତ୍ରୋପଚାର ପରେ ନିରଞ୍ଜନଙ୍କ ଦୃଷ୍ଟି ଶକ୍ତି ରେ ଉନ୍ନତି ବଦଳରେ ଆଖିକୁ ଜମା ଦିଶିଲାନାହିଁ । ପରେ ଏଥିନେଇ ଆଇନଜୀବୀ ଜଣକ ଅନ୍ୟ ଜଣେ ଅଭିଜ୍ଞ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ ନେଲେ। ଏବଂ ବିଭିନ୍ନ ପରୀକ୍ଷା ପରେ ସେ ଜାଣିବାକୁ ପାଇଥିଲେ ଯେ, ହିଞ୍ଜିଳିକାଟୁ ନିକଟସ୍ଥ ଚକ୍ଷୁ ଚିକିତ୍ସାଳୟରେ ଫେକ୍ ଅସ୍ତ୍ରୋପଚାର ନାମରେ ଲୁଟ ଓ ଠକାମିର ଶିକାର ହୋଇଛନ୍ତି।ଅନ୍ୟପକ୍ଷରେ ଉକ୍ତ ଚିକିତ୍ସାଳୟର ଜଣେ ଆଇନ ପରାମର୍ଶଦାତା ଘଟଣା ନେଇ ଆଇନଜୀବୀ ନିରଞ୍ଜନଙ୍କ ସହ ଯୋଗାଯୋଗ କରି ଆପୋଷ ସମାଧାନ ନିମନ୍ତେ ଅପେକ୍ଷା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ପରେ କୌଣସି ଯୋଗାଯୋଗ କିମ୍ବା ବୁଝାସୁଝା ଚିକିତ୍ସାଳୟ କତ୍ତୃପକ୍ଷ କଲେ ନାହିଁ ବୋଲି ଓକିଲ ସାହୁ ଅଭିଯୋଗରେ ଦର୍ଶାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମଧ୍ୟ ଓକିଲ ସାହୁ ନ୍ୟାୟ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.