ସର୍ତ୍ତାବଳୀ ସହ ଖାପଖାଉନାହିଁ ବାସ୍ତବତା : ମୋ ଘର ଯୋଜନାରୁ ବଞ୍ଚିତ ଚିତ୍ରକୋଣ୍ଡାବାସୀ

ଚିତ୍ରକୋଣ୍ଡା/ମାଲକାନଗିରି : ବାସଗୃହ ମଣିଷର ଏକ ମୌଳିକ ଆବଶ୍ୟକତା, ଯାହା ମଣିଷକୁ ସୁଖସ୍ବାଚ୍ଛନ୍ଦ୍ୟରେ ଜୀବନଯାପନ କରିବାରେ ସହାୟକ ହୋଇଥାଏ । ସମାଜରେ ସମ୍ମାନର ସହିତ ବାସ କରିବା ଅଧିକାର ପ୍ରତ୍ୟେକଙ୍କର ବଞ୍ଚିବା ଅଧିକାର ଭିତରେ ରହିଥାଏ, ଯେଉଁଥିରେ ଗୃହ ଏକ ପ୍ରମୁଖ ଭୂମିକା ବହନ କରେ । ଗୃହ ମନୁଷ୍ୟକୁ ଏକାଧାରରେ ସାମାଜିକ ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ କରିଥାଏ । ଏହା ସମାଜରେ ମଣିଷର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ ଏବଂ ଆତ୍ମସମ୍ମାନ ସହ ବଞ୍ଚିବା ସହିତ ମାନସିକ ଶାନ୍ତି ପ୍ରଦାନ କରିଥାଏ । ଗତ ୨୦୨୩ ମେ ୨୯ ତାରିଖରେ “ମୋ ଘର ଯୋଜନା” ରାଜ୍ୟ କ୍ୟାବିନେଟରେ ଘୋଷଣା କରିଥିଲେ ରାଜ୍ୟ ସରକାର । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ ଗରିବଙ୍କୁ କେମିତି ଖଣ୍ଡେ ପକ୍କା ଘର ମିଳିବ, ସେନେଇ ଏଥିରେ ବ୍ୟବସ୍ଥା କରାଯାଇଥିଲା । ଇତି ମଧ୍ୟରେ ଓଡିଶା ହାଉସିଂ ମିଶନ ପକ୍ଷରୁ ସବୁ ବ୍ୟାଙ୍କକୁ ଚିଠି ଲେଖି ମୋ ଘର ଯୋଜନାର ମାର୍ଗ ପ୍ରଦର୍ଶନ ମଧ୍ୟ କରାଯାଇଛି । ଯେଉଁ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ ଥିବ ସେମାନେ ଏହି ଯୋଜନାର ଲାଭ ନେଇପାରିବେ । ସେପଟେ ଗତ ୨୦ଜୁଲାଇରେ ସହରାଞ୍ଚଳ କ୍ଷେତ୍ରରେ ଏହି ନିୟମର ଆଂଶିକ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏତେ ସତ୍ତ୍ଵେ ଆନ୍ଧ୍ର ଓଡ଼ିଶା ସୀମାନ୍ତ , ଆଦିବାସୀ ଅଧ୍ୟୁଷିତ ତଥା ବିଗତ ଦୀର୍ଘ ଦଶନ୍ଧି ଧରି ମାଓ ଉପଦ୍ରୁତ ଅଞ୍ଚଳ ଭାବେ ପରିଚିତ ଥିବା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ୍ ର ଚିତ୍ରକୋଣ୍ଡା ପଞ୍ଚାୟତ ଆଜି ମଧ୍ୟ ଉକ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ।
୧୬ଟି ୱାର୍ଡ଼ ବିଶିଷ୍ଟ ଏହି ପଞ୍ଚାୟତରେ ବର୍ତ୍ତମାନ ପ୍ରାୟ ୧୦,୦୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ସତୁରୀ ଦଶକରେ ନିର୍ମିତ ଚିତ୍ରକୋଣ୍ଡା ବୃହତ୍ ମାଟିବନ୍ଧ ଯୋଜନା କାରଣରୁ ଅଦ୍ୟାବଧି ଏହି ଅଞ୍ଚଳରେ କୌଣସି ପ୍ରକାରର ଘରବାଡ଼ି ଅବା ଜମିଜମା ପଟ୍ଟା ପ୍ରଦାନ କରାଯାଇ ନାହିଁ । କିନ୍ତୁ ରାଜ୍ୟ ସରକାରଙ୍କ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶୀକାର ସପ୍ତମ ଅନୁସୂଚୀରେ ଜାରି କରାଯାଇଥିବା ସର୍ତ୍ତାବଳୀ ଅନୁଯାୟୀ ଯୋଜନାର ପରିସରଭୁକ୍ତ ହେବାରୁ ବଞ୍ଚିତ ହେଉଛନ୍ତି ଚିତ୍ରକୋଣ୍ଡା ବାସିନ୍ଦା। ବର୍ତ୍ତମାନ ଋଣ ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀ ଗୁଡ଼ିକ ଅନୁଧ୍ୟାନ କରି ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଜନ ସାଧାରଣ ।
ସର୍ତ୍ତାବଳୀର ପ୍ରାବଧାନ ଅନୁଯାୟୀ ୭.୧: ଆବେଦନକାରୀଙ୍କ ନିଜ ନାମରେ ରେକର୍ଡଭୁକ୍ତ ଜମି ପଟ୍ଟା ଥ‌ିବା ଆବଶ୍ୟକ । ୭.୨: ରେକର୍ଡ ହୋଇଥିବା ଜମି ସ୍ଥିତିବାନ ବର୍ଗରେ “ଘରବାଡ଼ି” କିସମ ହୋଇଥିବା ଆବଶ୍ୟକ । ୭.୩: ଘର ନିର୍ମାଣ କରାଯାଉଥିବା ଜମିକୁ ଋଣ ପରିଶୋଧ ପର୍ଯ୍ୟନ୍ତ ବ୍ୟାଙ୍କ ନିକଟରେ ବନ୍ଧକ ରଖାଯିବ । ତେବେ ବୁଦ୍ଧିଜୀବି ମହଲରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ପଟ୍ଟା ନଥିବା ହିତାଧିକାରୀ କେଉଁଠୁ ଆଣିବେ ରେକର୍ଡଭୁକ୍ତ ଜମି ପଟ୍ଟା? ଯେତେବେଳେ ଆରମ୍ଭରୁ ପଟ୍ଟା ହିଁ ନାହିଁ ତେବେ କିସମ ଅବା ବର୍ଗ କଥା ଉଠୁଛି କେଉଁଠୁ? ପଟ୍ଟାରୁ ବଞ୍ଚିତ ବ୍ୟକ୍ତି ବ୍ୟାଙ୍କ ନିକଟରେ କ’ଣ ବନ୍ଧକ ରଖି ଋଣ ପାଇବାରେ ସକ୍ଷମ ହୋଇପାରିବେ? ନା ଚିତ୍ରକୋଣ୍ଡାର ଜନ ସାଧାରଣଙ୍କ ପାଇଁ ଦିବା ସ୍ୱପ୍ନ ହୋଇଯିବ କି “ମୋ ଘର” ଭଳି ସରକାରୀ ଯୋଜନା? ଦେଖିବାକୁ ଅପେକ୍ଷା ରହିଲା ଯେ, ସ୍ୱାଧୀନତାର ୭୫ବର୍ଷ ହୋଇସାରିଥିବା ପରିପ୍ରେକ୍ଷୀରେ ଆଉ କେତେ ଦିନ ପରେ ସ୍ଥାନୀୟ ବାସିନ୍ଦାଙ୍କୁ ମିଳିବ ଜମିପଟ୍ଟା ଓ ଘରବାଡ଼ି ପଟ୍ଟା !!

nis-ad
Leave A Reply

Your email address will not be published.