ଦକ୍ଷିଣ ଓଡ଼ିଶାର ଆଇଟିଆଇଗୁଡ଼ିକରେ ଟିପିଏସ୍ଓଡିଏଲ ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

— ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ

ବ୍ରହ୍ମପୁର : ଶିଳ୍ପ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ କରି ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। କମ୍ପାନୀ ପକ୍ଷରୁ ବ୍ରହ୍ମପୁର ଓ ହିଞ୍ଜିଳିକାଟୁ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ଶକ୍ତି କ୍ଷେତ୍ରରେ ଭବିଷ୍ୟତରେ ଥିବା ସୁଯୋଗ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ  ଟିପିଏସ୍ଓଡିଏଲ୍ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଆଇଟିଆଇର ମିଳିତ ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି ।

ବିଭିନ୍ନ ଆଇଟିଆଇ କ୍ୟାମ୍ପସରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ସମେତ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ସରକାରୀ ଆଇଟିଆଇର ଅଧ୍ୟକ୍ଷା ମୁକ୍ତିରାଣୀ ସାମନ୍ତ, ବ୍ରହ୍ମପୁର ଆଇଟିଆଇର ଅଧ୍ୟକ୍ଷ ରଞ୍ଜନ କୁମାର ପରିଡ଼ା ଯୋଗ ଦେଇଥିଲେ ଏବଂ ଏହି ପଦକ୍ଷେପକୁ ନେଇ ଉତ୍ସାହ ପ୍ରକାଶ କରିଥିଲେ।

ଓଡ଼ିଶା ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ର ଏକ ଅଂଶ ଭାବରେ ଏହି ଭାଗିଦାରୀ ପାଠ୍ୟପୁସ୍ତକ ଜ୍ଞାନ ଏବଂ ବ୍ୟାବହାରିକ ଦକ୍ଷତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାକୁ ଲକ୍ଷ୍ୟ ରଖିଛି। ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା (ଏନଏସକ୍ୟୁଏଫ୍) ସହ ସଂଯୁକ୍ତ ମଡ୍ୟୁଲ୍ ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ, ଯାହାଦ୍ୱାରା ସେମାନେ ଉଚ୍ଚମାନର ଶିକ୍ଷା ପାଇ ପାରିବେ। ଏଥିରେ ଛାତ୍ରଛାତ୍ରୀମାନେ ଟିପିଏସ୍ଓଡିଏଲର ଅତ୍ୟାଧୁନିକ କେନ୍ଦ୍ରରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିବେ।  ପ୍ରାକ୍ଟିକାଲ ଏକ୍ସପୋଜର ସହିତ ଥିଓରୀ ବିଷୟକୁ ମିଶାଇ ଏହି ପ୍ରଶିକ୍ଷଣ ପାଠ୍ୟକ୍ରମ ଡିଜାଇନ୍ କରାଯାଇଛି।

ଛାତ୍ରଛାତ୍ରୀମାନେ ଟିପିଏସ୍ଓଡିଏଲର ଅତ୍ୟାଧୁନିକ ଭିତ୍ତିଭୂମି ଯଥା ଏଚଓଟିଟି ସେଣ୍ଟର, ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର, ସ୍ମାର୍ଟ ମିଟର ଲ୍ୟାବ ଏବଂ ୩୩/୧୧ କେଭି ସବ୍ ଷ୍ଟେସନରେ ପ୍ରଶିକ୍ଷଣ ନେବାର ସୁଯୋଗ ପାଇବେ। ବାସ୍ତବ କ୍ଷେତ୍ରରେ କିଭଳି କାମ ହୁଏ, ସେ ସମ୍ପର୍କରେ ସେମାନେ ଜାଣିପାରିବେ। ସୁରକ୍ଷା ପ୍ରୋଟୋକଲ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ପରିଚିତ କରାଇବା ପାଇଁ ଏହି ପ୍ରାକ୍ଟିକାଲ ଏକ୍ସପୋଜର ଡିଜାଇନ୍ କରାଯାଇଛି, ଯାହା ସେମାନଙ୍କ ନିଯୁକ୍ତି କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ।

ସାର୍ଟିଫିକେସନ୍ ବ୍ୟତୀତ, ଏହି ପାଠ୍ୟକ୍ରମ ଶେଷ କରିଥିବା ବିଦ୍ୟାର୍ଥିମାନେ ଟିପିଏସ୍ଓଡିଏଲରେ ନିଯୁକ୍ତି ସୁଯୋଗ ପାଇବେ। ଦକ୍ଷ ଶ୍ରମଶକ୍ତି ସୃଷ୍ଟି କରି ଟିପିଏସ୍ଓଡିଏଲ ଦକ୍ଷିଣ ଓଡ଼ିଶାର ବିକାଶରେ ଭାଗୀଦାର ହେବା ସହ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରୟାସ କରୁଅଛି।

ବର୍ତ୍ତମାନ ଟିପିଏସ୍ଓଡିଏଲ ବ୍ରହ୍ମପୁର, ହିଞ୍ଜିଳିକାଟୁ, ରାୟଗଡ଼ା, ଜୟପୁର ଓ ବୌଦ୍ଧ ଆଇଟିଆଇ ସହ ଭାଗିଦାରୀ କରିଛି ଏବଂ ଆଗକୁ ଆହୁରି ବ୍ୟାପକ କରିବା ନେଇ ଯୋଜନା ରହିଛି। ଏହି ମିଳିତ ପ୍ରୟାସ ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ଯୁବପିଢ଼ିଙ୍କୁ ସଶକ୍ତ କରିବା ସହ ଭବିଷ୍ୟତର ଆହ୍ଵାନ ପାଇଁ ପ୍ରସ୍ତୁତ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ ରହିଛି।

nis-ad
Leave A Reply

Your email address will not be published.