ଅଗଷ୍ଟ -୯ କ୍ରାନ୍ତି ସମାବେଶର ସଫଳତା ପାଇଁ ଏଆଇଟିୟୁସି ନେତୃତ୍ବରେ ମାଲକାନଗିରି ଠାରେ ସମ୍ମିଳନୀ ଆୟୋଜନ

ମାଲକାନଗିରି : ଅଗଷ୍ଟ -୯ କ୍ରାନ୍ତି ସମାବେଶର ସଫଳତା ପାଇଁ ଆଜି ମାଲକାନଗିରି ଟାଉନ୍ ହଲ୍ ଠାରେ ଏଆଇଟିୟୁସି ନେତୃତ୍ବରେ ଶ୍ରମିକ ନେତା ଦୁର୍ଗା ମହାନନ୍ଦିଆ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ଓ ମଣିପୁର ହିଂସା ରେ ନିହତ ଶ୍ରମଜୀବୀମାନଙ୍କ ସ୍ମୃତି ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଏହା ସଭାକୁ ସମ୍ବୋଧିତ କରି କହିଥିଲେ ଯେ ୨୦୧୪ ରେ ଆଛେଦିନ ର ସୁନେଲି ସ୍ୱପ୍ନ ଦେଖେଇ ମୋଦୀ ସରକାର ଦିଲ୍ଲୀ ଗାଦୀ ଦଖଲ କଲାପରେ ଆର୍ ଏସ୍ ଏସ୍ ର ଏଜେଣ୍ଡା କାର୍ଯ୍ୟକାରୀ କରିବା ଓ ଆଦାନୀ ଅମ୍ବାନୀ ଭଳି କତିପୟ ପୁଞ୍ଜିପତି ଙ୍କ ର ଆଛାଦିନ ଆଣି ସମଗ୍ର ଦେଶ ଓ ଶ୍ରମଜୀବୀ ମଣିଷ କୁ ଗଭୀର ସଙ୍କଟ ମଧ୍ୟକୁ ଠେଲି ଦେଇଛି । ଦରଦାମ୍ ହୁ ହୁ ହୋଇ ବଢୁଛି, ସେହି ପରି ବେକାରୀ ହାର ଗତ ସତୁରୀ ବର୍ଷ ରେ ସର୍ବାଧିକ ହୋଇଛି । ସମାଜର ସବୁଠୁ ତଳ ସ୍ତରର କର୍ମଚାରୀ ଯଥା ଅଙ୍ଗନବାଡ଼ି,ଆଶା ,ପାଚିକା , ବିଭିନ୍ନ ସ୍କିମ୍ ଶ୍ରମିକ, ସରକାରୀ ବିଭାଗରେ କାମ କରୁଥିବା ଗାଁ ସାଥି , ସିଆରସି, ବ୍ୟାଙ୍କ ମିତ୍ର ଇତ୍ୟାଦି ଙ୍କ ଠାରୁ ନାମକୁ ମାତ୍ର ପାଉଣା ଦେଇ ସବୁଠୁ ଅଧିକ କାମ ଆଦାୟ କରୁଛି । ସେମାନଙ୍କୁ ଶ୍ରମିକ ମାନ୍ୟତା ଦେଇ ସର୍ବନିମ୍ନ ମଜୁରୀ ପାରିଧିକୁ ଆଣି ସାମାଜିକ ସୁରକ୍ଷା ଯଥା ପି ଏଫ୍ , ଇଏସ୍ଆଇ ସୁବିଧା ଦେବା ପାଇଁ ଏଆଇଟିୟୁସି ନେତୃତ୍ବରେ ଲଗାତାର ଆନ୍ଦୋଳନ ଚାଲିଛି । ସାଧାରଣ ଲୋକ ଖାଦ୍ୟ ବସ୍ତ୍ର ବାସଗୃହ ଶିକ୍ଷା ସ୍ୱାସ୍ଥ୍ୟର ଆବଶ୍ୟକତା ମେଣ୍ଟାଇବା ପାଇଁ ଉତ୍କଟ ଆର୍ଥିକ ଅଭାବ ର ସାମ୍ନା କରୁଛି କାରଣ ରୋଜଗାର ବଢୁ ନାହିଁ । ଏସବୁଥିରୁ ନଜର ହଟେଇବା ପାଇଁ ଆର୍ ଏସ୍ ଏସ୍ ନେତୃତ୍ବରେ ବିଜେପି ଓ ତାର ଅନ୍ୟ ସଂଗଠନ ମାନେ ସାମ୍ପ୍ରଦାୟିକ ବିଷ ମଞ୍ଜି ବୁଣି ଚାଲିଛନ୍ତି । ତାର ପରିଣତି ହେଉଛି ଆଜି ମଣିପୁର ହିଂସା ଦଙ୍ଗା ଏବଂ ଏ ଦେଶର ପ୍ରଧାନମନ୍ତ୍ରୀ ୭୯ ଦିନ ପରେ ମହିଳା ମାନଙ୍କ ବିଭତ୍ସ ଭିଡ଼ିଓ ଦେଖିବା ପରେ ଦୁଃଖ ପ୍ରକାଶ କରୁଛନ୍ତି ଯେତେବେଳେ କି ଗୋଟିଏ କ୍ରିକେଟ ଖେଳାଳି ର ଆଙ୍ଗୁଠି ମାଡ଼ ହେଲେ ମୋଦୀଜୀ ଟୁଇଟ୍ କରୁଥିଲେ । ଏଭଳି ଅବସ୍ଥାରେ ଏ ଦେଶ ଉତ୍କଟ ପରିସ୍ଥିତି ରେ ରହିଛି। ୧୯୪୨ ରେ ଦେଶରୁ ସାମ୍ରାଜ୍ୟବାଦୀ ବ୍ରିଟିଶ ଶାସନ କୁ ହଟେଇବା ପାଇଁ ଐତିହାସିକ ଅଗଷ୍ଟ-୦୯ କ୍ରାନ୍ତି ଦିବସ ରେ ଭାରତ ଛାଡ ଆନ୍ଦୋଳନ ଜାତିର ପିତା ମହାତ୍ମା ଗାନ୍ଧୀ ଡାକରା ଦେଇଥିଲେ , ଆଜି ଆବଶ୍ୟକ ହୋଇପଡିଛି ଏ ଦେଶ ଶାସନ ରୁ ମୋଦୀଜୀ ଙ୍କ ନେତୃତ୍ବରେ ଘୋର ସାମ୍ପ୍ରଦାୟିକ ବିଜେପି ଦଳକୁ ଶାସନ ଗାଦିରୁ ହଟେଇବା ପାଇଁ ।

ଏଣୁ ସବୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚ ଆହ୍ୱାନ ରେ ଅଗଷ୍ଟ -୦୯ କ୍ରାନ୍ତି ସମାବେଶ ଓ ଧାରଣା କୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଦାବି କରିଛନ୍ତି ଯେ ମାଲକାନଗିରି ର ମାଟାପକା ରେ ଡ଼ାଲମିଆଁକୁ ଯେଉଁ ଜମି ଦେବା ପାଇଁ ପ୍ରସ୍ତାବ ହୋଇଛି ସେଠି ଅଶୀ ହଜାର ଲୋକ ପ୍ରଭାବିତ ହେବେ । ସେହିପରି ରାଉଲ୍ ଗୁଣ୍ଡି ରେ ଆଦାନୀ କୁ ଦିଆଯିବା ପାଇଁ କାମ ଚାଲିଛି , ଇଡକୋ ସନ୍ଧ୍ରିମାଳ ପଞ୍ଚାୟତ ର ୪୫ ଏକର ଜମି ମାପଚୁପ ହେଉଛି । ସେହିପରି ଉସକାଲ୍ ବାଗ୍ ରେ ମଧ୍ୟ ଜମି ଅଧିଗ୍ରହଣ ପାଇଁ ଲୋକଙ୍କ ଉପରେ ଜୁଲୁମ କରାଯାଉଛି।ଏ ସମସ୍ତ ଅଞ୍ଚଳରେ ଗ୍ରାମ ବାସୀ ଙ୍କ ମତାମତ ନିଆଯାଉନି କି ଗ୍ରାମ ସଭା ହେଉନି । ସରକାର ଫରେଷ୍ଟ ଆକ୍ଟ -୨୦୦୬ କୁ ଖୋଲାଖୋଲି ଉଲଂଘନ କରୁଛି । ଏହା ବିରୁଦ୍ଧରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ଆଗକୁ ଗଣ ଆନ୍ଦୋଳନ ର ରୂପ ନେବ । ମାଲକାନଗିରି ଜିଲ୍ଲା ଉପଖଣ୍ଡ କାରାଗାରରେ ପୁରୁଷ ଅଭିଯୁକ୍ତ ଙ୍କ ମୃତ୍ୟୁ ଉପରେ ଏଜାବତ୍ କୈାଣସି ଏତଲା ରୁଜୁ ହୋଇ ନଥିବା ବେଳେ ୦୮ ଜୁଲାଇରେ ମାଥିଲି ଅବକାରୀ ଥାନା ହାଜତରେ ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରେ ପୋଲିସ ଏତଲା ରଖିବାକୁ ନାରାଜ । ଏ ସବୁ ଜନ ବିରୋଧି କାର୍ଯ୍ୟ ବିରୁଦ୍ଧରେ ଶ୍ରମିକ ଓ ଶ୍ରମଜୀବୀ ମଣିଷ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବ ବୋଲି ଶ୍ରମିକ ନେତା ପ୍ରମୋଦ ମହାନ୍ତି କହିଛନ୍ତି । ଆଜିର କନଭେନସନ୍ କୁ ଜିଲ୍ଲା ସିପିଆଇ ସମ୍ପାଦକ ହଳଧର ପୂଜାରୀ , ଦୟାମଣି ସମରଥ,ହରି ଓଡି , କୁମର ଜାଲିଆ , ଉତ୍ତମ ମଲ୍ଲିକ,ଭାନୀ ପୂଜାରୀ ପ୍ରମୁଖ ସମ୍ବୋଧିତ କରିଥିଲେ ।ଶେଷରେ ଶ୍ରମିକ ନେତା ସମୀର ବିଶ୍ୱାସ ଧନ୍ୟବାଦ ଅର୍ପଣ କଲା ପରେ ସଭା ସାଙ୍ଗ ହୋଇଥିଲା ।

nis-ad
Leave A Reply

Your email address will not be published.