ବୃକକ୍ ରୋଗାକ୍ରାନ୍ତ କୁନି ଝିଅ ଫାତିମାକୁ ସାହାଯ୍ୟର ହାତ ବଢ଼ାଇଲା ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍


ସୁନ୍ଦରଗଡ (୨୨/୦୭) : ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ମୂଳବାସିନ୍ଦା ମୋଇନ୍ ଓ ନାଜିଆଙ୍କ ୧୦ ବର୍ଷର ଅଲିଅଳି ଝିଅ ଆରିକା ଫାତିମା। ମାତ୍ର ଏହି କୁନି ବୟସରେ ତାକୁ ମାଡ଼ି ବସିଛି ବୃକକ୍ ରୋଗ। ଦୁଇଟି ଯାକ ଅଚଳ ବୃକକ୍ ରେ ଜୀବନ ସହିତ ଲଢେଇ ଜାରି ରଖିଛି ଫାତିମା। ନିୟମିତ ଡାଇଲିଶିସ ଓ ରକ୍ତଦାନରେ ଚାଲିଛି ତା’ର ଜୀବନ ସଂଘର୍ଷ। ଅପେକ୍ଷା କରି ରହିଛି ୧୦ ବର୍ଷ ହେଲେ ତାକୁ ମିଳିପାରେ ଏକ ବୃକକ ଯାହା କି ତାର ମାଁ ତାକୁ ଦେବା ମନ ବଳାଇଛନ୍ତି। ଉଚ୍ଚ ଶିକ୍ଷିତ ମୋଇନ ଜାମସେଦପୁର ଟାଟା ଷ୍ଟିଲ କାରଖାନାରେ କାର୍ଯ୍ୟରତ ଥିଲେ। ମାତ୍ର ବିଧିର ବିଧାନ ବିଚିତ୍ର। କୋଭିଡ ମହାମାରୀ ସମୟରେ ଚାଲିଗଲା ତାଙ୍କ ଚାକିରୀ। ଜୀବିକା ପାଇଁ ଅନ୍ୟ ଉପାୟ ଖୋଜି ଆଗକୁ ବଢିବା ବେଳେ ଝିଅ ଫାତୀମା ହୋଇ ପଡ଼ିଲା ରୋଗାକ୍ରାନ୍ତ। ଅନେକ ପରୀକ୍ଷା ନିରୀକ୍ଷା ପରେ ଜଣା ପଡ଼ିଲା ଫାତିମା ବୃକକ ରୋଗାକ୍ରାନ୍ତ। ମୋଇନ୍ ଓ ନାଜିଆ ଝିଅକୁ ପ୍ରଥମେ ରାୟପୁରସ୍ଥିତ ରାମକୃଷ୍ଣ ହସ୍ପିଟାଲକୁ ନେଇ ନିରାଶ ହେବା ପରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସା ସମୟରେ ମୋଇନ୍ ତାଙ୍କ ଯତ୍ କିଞ୍ଚିତ ସଞ୍ଚୟକୁ ବ୍ୟବହାର କରି ସାରି ଦେଇଥିଲେ କାରଣ ଡାକ୍ତରଙ୍କ ପରାମର୍ଶ ଥିଲା ପ୍ରତି ସପ୍ତାହରେ ଥରେ ଡାଏଲିସିସ୍।

ଭୁବନେଶ୍ବରରେ ଡାଏଲିସିସ୍ଅତ୍ୟନ୍ତ ବ୍ୟୟବହୁଳ ଥିବାରୁ ନିଜ ପ୍ରିୟ ପରିଜନ, ବନ୍ଧୁବାନ୍ଧବଙ୍କ ଠାରୁ ଧାର ଉଧାର ନେଇ ଚାଲିଥିଲା ଚିକିତ୍ସା। ମାତ୍ର ଶେଷରେ କୌଣସି ମତେ ସୂଚନା ପାଇ ୨୦୨୧ ଅଗଷ୍ଟ ମାସରୁ ସୁନ୍ଦରଗଡ ସରକାରୀ ମୁଖ୍ୟ ଡାକ୍ତରଖାନାରେ ନିୟମିତ ଡାଏଲିସିସ୍ କରାଯାଉଛି ଫାତିମାର। ମାତ୍ର ଛୋଟ ଛୁଆଙ୍କ ଡାଏଲିସିସ୍ ପାଇଁ ଉପଯୁକ୍ତ ଆନୁଷଙ୍ଗିକ ସାମଗ୍ରୀର ଉପଲବ୍ଧତା ସୁନ୍ଦରଗଡ଼ରେ ନ ଥିବାରୁ ତାହା ଭୁବନେଶ୍ୱରରୁ ଆଣିବାକୁ ପଡେ। ଏହା ଛଡ଼ା ପ୍ରତି ଦୁଇ ଥର ଡାଏଲିସିସ୍ ପରେ ଦରକାର ପଡେ ରକ୍ତ। ଏହି ସବୁ ପ୍ରକ୍ରିୟାରେ ଅର୍ଥର ଅଭାବ ଭିତରେ ଘାଣ୍ଟି ହେଉଛନ୍ତି ମୋଇନ୍ ଓ ନାଜିଆ। ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ଶ୍ମଶାନବନ୍ଧୁ ଭାବେ ପରିଚିତ ସିଦ୍ଧାନ୍ତ ପଣ୍ଡାଙ୍କ ସଂସ୍ପର୍ଶରେ ଆସିଥିଲେ ଏହି ଦମ୍ପତ୍ତି। ତାଙ୍କ ସାହାଯ୍ୟରେ ରକ୍ତ ଓ ଚିକିତ୍ସା ପ୍ରକ୍ରିୟାରେ ବହୁ ପରିମାଣରେ ଆଶ୍ୱସ୍ତି ମିଳିଥିଲା ମୋଇନ୍ ଓ ନାଜିଆଙ୍କୁ। ଏହି ଖବରକୁ ବହୁଳ ଭାବରେ ଜନସାଧାରଣଙ୍କ ସମ୍ମୁଖକୁ ଆଣିଥିଲା ଗଣମାଧ୍ୟମ। ଗଣମାଧ୍ୟମର ଏହି ପଦକ୍ଷେପରେ ଚଳଚଞ୍ଚଳ ହୋଇ ପଡ଼ିଥିଲା ପ୍ରଶାସନ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ମଧ୍ୟ ସକ୍ରିୟ ହୋଇ ବହୁ ଦିନରୁ ରାସନ୍ କାର୍ଡ ପାଇଁ ଆବେଦନ କରି ହତାଶ ହୋଇ ପଡିଥିବା ମୋଇନଙ୍କୁ ଯୋଗାଇ ଦେଲେ ରାସନ୍ କାର୍ଡ ଯାହା ଦ୍ଵାରା ଏବେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇବାରେ ଆଉ ଅସୁବିଧା ହେବ ନାହିଁ। ମାତ୍ର ବୃକକ ପ୍ରତିରୋପଣ ଓ ତା ‘ ପରବର୍ତ୍ତୀ ଖର୍ଚ୍ଚ ପାଇଁ ଚିନ୍ତିତ ଫାତିମାଙ୍କ ପିତାମାତା।
ଏହି ଖବର ଜାଣିବା ପରେ ଆଗକୁ ଆସିଥିଲା ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ। ସଂଘର ଜନ କଲ୍ୟାଣ ଲକ୍ଷ୍ୟକୁ ଆଗେଇ ନେବା ପାଇଁ ଅଧ୍ୟକ୍ଷ ସଞ୍ଜୟ ନନ୍ଦ ଜେ.ଜେ.ଟି.ଏ ତରଫରୁ ଏକ ଲକ୍ଷ ଟଙ୍କାର ଏକ ଚେକ୍ ଫାତୀମାଙ୍କ ମାଁ ନାଜିଆଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ନନ୍ଦ ମୁଖ୍ୟମନ୍ତ୍ରୀଙ୍କ ବଦାନ୍ୟତା ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସୁନ୍ଦରଗଡ ସମସ୍ତ ନାଗରିକ ଫାତିମାଙ୍କ ସହିତ ଅଛନ୍ତି ବୋଲି ମତବ୍ୟକ୍ତ କରିବା ସହିତ ଫାତିମାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ସଦାସର୍ବଦା ଲୋକଙ୍କ ସେବାରେ ବ୍ରତୀ ଓ ଆଗରୁ ମଧ୍ୟ ଚିକିତ୍ସା ପାଇଁ ଅନେକ ଥର ସାହାଯ୍ୟ କରି ଆସିଛି ବୋଲି ସେ ସୂଚନା ଦେଇଥିଲେ। ପ୍ରକାଶ ଯୋଗ୍ୟ ଯେ ଜେ.ଜେ.ଟି.ଏ ସମାଜକଲ୍ୟାଣ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ, ଶବବାହକ ଯାନ ଓ ଶବସଂରକ୍ଷକ ଯନ୍ତ୍ର ବହୁ ଆଗରୁ ଲୋକାର୍ପିତ କରି ସାରିଛି।
ଏହି ଅବସରରେ ପୂର୍ବତନ ବିଧାୟକ ଯୋଗେଶ ସିଂ, ସୁନ୍ଦରଗଡ ପୌରପାଳିକା ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ସଂଘ କୋଷାଧ୍ୟକ୍ଷ ଅବଦୁଲ ସାଜିଦ୍,ସଦସ୍ୟ ଜୟନ୍ତ ଧଳ, ପ୍ରଶାନ୍ତ ବିଶି, ରିଣ୍ଟୁ ବହିଦାର ପ୍ରମୁଖଙ୍କ ସହିତ ପଞ୍ଚାନନ ବାର୍ଲା, ନିର୍ମଳ ବୋଷ, ଅଶୋକ ମହାନ୍ତି, କୁନୁ ବିଶ୍ଵକର୍ମା, ଉମେଶ ଶର୍ମା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.