‘ମୁକ୍ତା’ ର କାର୍ଯ୍ୟକାରିତା ନେଇ ତାଲିମ ନେଲେ ଏସ‌ଏଚ୍‌ଜି ମହିଳା

ସୁନ୍ଦରଗଡ : ତୃଣମୂଳସ୍ତରରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)ର ସଫଳ କାର୍ଯ୍ୟକାରିତା ନିମନ୍ତେ ପୌରସଂସ୍ଥା ସହାୟତାରେ ଟେକ୍ନିକାଲ ସପୋର୍ଟ ୟୁନିଟ (ଟିଏସ୍‌ୟୁ) ମାଧ୍ୟମରେ ମିଶନ ଶକ୍ତି ଗୋଷ୍ଠୀ ସମୂହ ଓ ମୁକ୍ତା ସହିତ ଜଡ଼ିତ ପୌରସଂସ୍ଥାର ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ରାଜ୍ୟବ୍ୟାପୀ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁରୁବାର ଉଦିତନଗର ସ୍ଥିତ ମହାନଗର ସଭାଗୃହ ପରିସରରେ ରାଉରକେଲାର ମିଶନ ଶକ୍ତି ଗୋଷ୍ଠୀ ସମୂହ ଏବଂ ମହାନଗର ନିଗମର କର୍ମଚାରୀଙ୍କ ନିମନ୍ତେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି ତାଲିମ ଶିବିରରେ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା)ର ନିର୍ଦ୍ଦେଶକ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଭର୍ଚୁଆଲ ମାଧ୍ୟମରେ ଯୋଗଦାନ କରି ଅଂଶଗ୍ରହଣକାରୀଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ, ମିଶନ ଶକ୍ତି ମାଆମାନେ କିଭଳି ରୋଜଗାରକ୍ଷମ ହୋଇ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବେ ସେହି ବିଷୟରେ ଅବଗତ କରିଥିଲେ । ଅନ୍ୟ ପକ୍ଷରେ ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଯୋଗ ଦେଇ ମିଶନ ଶକ୍ତିର ମାଆମାନେ ‘ମୁକ୍ତା’ରେ କାର୍ଯ୍ୟାଦେଶ ଠାରୁ ବିଲ୍‌ ପାଇବା ପର୍ଯ୍ୟନ୍ତ ପ୍ରକ୍ରିୟାରେ ସମ୍ମୁଖିନ ହେଉଥିବା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ସେ ସବୁର ସମାଧାନ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମହାନଗର ନିଗମର ଉପ ଆୟୁକ୍ତ ସୁଧାଂଶୁ ଭୋଇ ଓ ସୀତାଦେବି ମାଝୀଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଆଜିର ଏହି ତାଲିମ ଶିବିରରେ ମିଶନ ଶକ୍ତିର ମାଆମାନଙ୍କୁ ‘ମୁକ୍ତା’ର କାର୍ଯ୍ୟକାରିତା ପଦ୍ଧତି, ମୁକ୍ତା ପ୍ରକଳ୍ପ ଚିହ୍ନଟିକରଣ ପ୍ରକ୍ରିୟା, କାର୍ଯ୍ୟାଦେଶ ଏବଂ ତା’ ସହିତ ପ୍ରଦାନ କରାଯାଉଥିବା ଡକ୍ୟୁମେଣ୍ଟ, ମାଷ୍ଟର ରୋଲ, ବ୍ୟାଙ୍କ ଋଣ ପାଇଁ ଗୋଷ୍ଠୀର ଯୋଗ୍ୟତା ମାନଦଣ୍ଡ, ନିର୍ମାଣ କାର୍ଯ୍ୟର ମାପ ଏବଂ ଶ୍ରମିକମାନଙ୍କୁ ମଜୁରୀ ଦେୟ, ବିଲ ଏବଂ ଦେୟ ରେକର୍ଡ ରକ୍ଷଣାବେକ୍ଷଣ ଆଦି ବିଷୟରେ ବିସ୍ତୃତ ଭାବେ ବୁଝାଯାଇଥିଲା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସର୍ବେଶ୍ବର ସିଂ ସାହୁ ଓ ରଶ୍ମିତା ବେହେରା ତାଲିମ ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.