ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଓ ବିଜ୍ଞାନ ଆଲୋଚନା

ସାଲେପୁର : ସାଲେପୁର ପିକୋଳସ୍ଥିତ ଜଗନ୍ନାଥ – ଗୋପୀନାଥ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଗତ ୪ ତାରିଖ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଟ୍ରଷ୍ଟର ପିକୋଳସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ପିକୋଳ ଗ୍ରାମ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ କୁଳମଣି ବେହେରା | ଟ୍ରଷ୍ଟର ମୁଖ୍ୟ ସୁକାନ୍ତ କିଶୋର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହିତ ଟ୍ରଷ୍ଟର ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଦେବରଞ୍ଜନ ମହାନ୍ତି, ଉପମହାନିରୀକ୍ଷକ ନିବନ୍ଧକ, ସମ୍ବଲପୁର | ମୁଖ୍ୟବକ୍ତା ଭାବେ ଯୋଗଦେଇ ଡକ୍ଟର ସୂର୍ଯ୍ୟକୁମାର ପଟ୍ଟନାୟକ ଟ୍ରଷ୍ଟର କାର୍ଯ୍ୟାବଳୀ ସମ୍ବନ୍ଧରେ ଆଲୋଚନା କରିବା ସହତି ବିଜ୍ଞାନ ଓ କୃଷିର ପ୍ରଚାର ପ୍ରସାର କରିବା ଦିଗରେ ଟ୍ରଷ୍ଟ ନେଇଥିବା ପଦକ୍ଷେପ ସବୁ ପ୍ରଶଂସନୀୟ ବୋଲି କହିଥିଲେ | ଅନ୍ୟତମ ଅତିଥିଭାବେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପିକା ପ୍ରଫେସର ଭାରତୀ ବେହେରା ଯୋଗଦେଇଥିଲେ | ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପ୍ରଥମ ‘ଚନ୍ଦ୍ରମଣି-ଗୋପୀନାଥ ସମ୍ମାନ’ ଅବସରପ୍ରାପ୍ତ ଯୁଗ୍ମ ମହାନିରୀକ୍ଷକ ନିବନ୍ଧକ ଅମୂଲ୍ୟରତ୍ନ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା | ଜଗନ୍ନାଥ ବନ୍ଦନା ଗାନ ସହିତ ମାନପତ୍ର ପାଠ କରିଥିଲେ ବିପିନ ବିହାରୀ କର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଛାଣିପୁର | ଟ୍ରଷ୍ଟର ଯୁଗ୍ମପରିଚାଳକ ସୁଶାନ୍ତ କିଶୋର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |


ଉତ୍ସବର ଦ୍ବିତୀୟ ଅଧିବେଶନରେ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ପ୍ରୋତ୍ସାହନରେ ସାଲେପୁର ଠାରେ କାର୍ଯ୍ୟରତ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ପକ୍ଷରୁ ‘ବୃକ୍ଷଲତାର ଉପାଦେୟତା’ ଉପରେ ଏକ ଆଲୋଚନା ଚକ୍ର ଓ ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ କରାଯାଇଥିଲା | ଏଥିରେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ଉପସଭାପତି ବିପିନ ବିହାରୀ କର ସଭାପତିତ୍ବ କରିଥିଲେ ଏବଂ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ରେଭେନ୍ସା ବିଶ୍ବବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ପ୍ରଫେସର ଭାରତୀ ବେହେରା | ବୃକ୍ଷଲତାଙ୍କ ଉପାଦେୟତା ପରେ ପ୍ରବନ୍ଧ ପାଠ କ୍ରମରେ ଅଶ୍ବତ୍ଥ ବୃକ୍ଷ ଉପରେ ବହୁଗ୍ରାମ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଓଝା, ଭୃସଙ୍ଗ ଗଛକୁ ନେଇ ମାନସଚନ୍ଦ୍ର ମଲ୍ଲ ଏବଂ ଗୁଜୁରାତି ବୃକ୍ଷ ଉପରେ ସୁଶ୍ରୀ ଚିନ୍ମୟୀ ବେହେରା ନିଜ ନିଜର ସ୍ବରଚିତ ନିବନ୍ଧ ପାଠ କରିଥିଲେ |
ମଣିଷକୁ ଏକ ସୁସ୍ଥ, ନିରାୟମ ଜୀବନ ପ୍ରଦାନ କରିବାରେ ଔଷଧୀୟ ବୃକ୍ଷଲତା ଗୁଡ଼ିକର ପ୍ରମୁଖ ଭୂମିକା ରହିଛି ସେ ଦୃଷ୍ଟିରୁ ଜନସାଧାରଣ ଏଗୁଡ଼ିକ ବାଡ଼ିଘରେ ଲଗାଇବା ଉପରେ ବକ୍ତାମାନେ ଗୁରୁତ୍ବ ଆରୋପ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ମହେଶଚନ୍ଦ୍ର କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧୀଜୀବୀ, ବିଜ୍ଞାନପ୍ରେମୀ ଜନସାଧାରଣ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ |

nis-ad
Leave A Reply

Your email address will not be published.