ଓଡିଶା ରେ ବଢ଼ିଚାଲିଛି ଦୁର୍ଘଟଣା ହାର : ପାଟ୍ରୋଲିଂ ନିୟମ କୁ ଅଧିକ ସୁଦୃଢ଼ କରିବାକୁ ଯୋଜନା…

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟର ଜାତୀୟ ରାଜପଥରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ବିଶେଷ କରି ଖୋର୍ଦ୍ଧାରୁ ଚଣ୍ଡିଖୋଲ ମଧ୍ୟରେ ଥିବା ଜାତୀୟ ରାଜପଥ-୧୬ରେ ସର୍ବାଧିକ ୧୨ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଛି। ଜାତୀୟ ରାଜପଥରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ସ୍ଥିତି ବି ଉଦ୍‌ବେଗଜନକ ରହିଛି।ଗତ ୨୦୨୨ ମସିହା ଏପ୍ରିଲ୍‌ ମାସରୁ ୨୦୨୩ ମସିହା ମାର୍ଚ୍ଚ ମଧ୍ୟରେ ପାଟ୍ରୋଲିଂ ଟିମ୍‌ ଦ୍ବାରା ୫୫ହଜାରରୁ ଅଧିକ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ପରିବହନ ବିଭାଗ ଅଣ୍ଟା ଭିଡିଛି। ଜାତୀୟ ରାଜପଥରେ ଥିବା ପାଟ୍ରୋଲିଂ ଟିମ୍‌କୁ ଅଧିକ ସୁଦୃଢ଼ କରିବାକୁ ଯୋଜନା କରାଯାଇଛି। ପାଟ୍ରୋଲିଂ ଟିମ୍‌କୁ ସ୍ବତନ୍ତ୍ର ତାଲିମ୍‌ ଦେବା ସହ ଗାଡ଼ି ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସକୁ ୧୦କୋଟି ଟଙ୍କା ପ୍ରଦାନ କରାଯାଇଛି। ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ପୁଲିସ୍‌ ଡିଜିଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଛନ୍ତି।ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ପାଇଁ ସୁପ୍ରିମ୍‌ କୋର୍ଟ ସଡ଼କ ସୁରକ୍ଷା କମିଟି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ପରିବହନ ବିଭାଗ ଓ ପୁଲିସର ମିଳିତ ସର୍ବେକ୍ଷଣ ପରେ ରାଜ୍ୟରେ ୩୬ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ

କରାଯାଇଥିବା ବେଳେ ୫ଟି ଅତି ସମ୍ବେଦନଶୀଳ ସ୍ଥାନରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଗାଡ଼ି ମୁତୟନ କରାଯାଇଥିଲା।ଏକ ସମୀକ୍ଷା ବୈଠକରେ ପୁଲିସ କମିସନର ମଙ୍ଗୁଳିରୁ ମଳିପଡ଼ା ମଧ୍ୟରେ ଥିବା ଜାତୀୟ ରାଜପଥରେ ପାଟ୍ରେଲିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଅଧିକ ପାଟ୍ରୋଲିଂ ଗାଡ଼ି ପାଇଁ ପ୍ରସ୍ତାବ ଦେଇଥିଲେ। ସେମିତି ଭୁବନେଶ୍ବରରେ ନହରକଣ୍ଟାରୁ ପିତାପଲି ପର୍ଯ୍ୟନ୍ତ ଜାତୀୟ ରାଜପଥରେ ମଧ୍ୟ ପାଟ୍ରୋଲିଂ ଗାଡ଼ି ସଂଖ୍ୟା ବଢ଼ାଇବା ପାଇଁ ଡିସିପି ପ୍ରସ୍ତାବ ଦେଇଥିଲେ।ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ମୁତାବକ, ଗତ ମାର୍ଚ୍ଚ ମାସରେ ଜାତୀୟ ରାଜପଥରେ ସର୍ବାଧିକ ୬ହଜାର ୯୨୩ଜଣ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଆହୁରି ସରଳ ଭାବେ କହିଲେ, ପ୍ରତ୍ୟେକ ପାଟ୍ରୋଲିଂ ଟିମ୍ ଦ୍ୱାରା ପ୍ରତିଦିନ ହାରାହାରି ୬.୪ ପ୍ରତିଶତ ଟ୍ରାଫିକ୍ ନିୟମ ଉଲ୍ଲଂଘନ ମାମଲା ଚିହ୍ନଟ ହୋଇଛି। ତେଣୁ କିଭଳି ଏଥିରେ ସୁଧାର ଆସିବ ଏଥିପାଇଁ ଜିଲ୍ଲା ଏସ୍‌ପି ଓ ସହରାଞ୍ଚଳର ଡିସିପିଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ନିୟମିତ ସ୍ଥିତି ସମୀକ୍ଷା କରିବେ। ହାଇୱେ ପାଟ୍ରୋଲିଂ ଟିମ୍‌ କାର୍ଯ୍ୟଦକ୍ଷତା ଉପରେ ନଜର ରଖିବେ। ଏହାଛଡ଼ା ପାଟ୍ରୋଲିଂ ଟିମ୍‌ର କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସେମାନଙ୍କୁ ତାଲିମ ଦିଆଯିବ।

nis-ad
Leave A Reply

Your email address will not be published.