କାହାଣୀ ଏକ ଆଦର୍ଶ ବନ ସୁରକ୍ଷା ସମିତିର : ଏକତା, ସହଭାଗିତା ଓ ସକାରାତ୍ମକ ପରିବର୍ତ୍ତନର


ହଳଦୀ ଚାଷ ରୁ ଗୋପାଳନ, ଜିଆଖତ ରୁ ଛତୁଚାଷ ପର୍ଯ୍ୟନ୍ତ ବହୁବିଧ ରୋଜଗାର ସୃଷ୍ଟି କରୁଛି ସାଗରପାଲି ବନ ସୁରକ୍ଷା ସମିତି
ସୁନ୍ଦରଗଡ (୦୬/୦୫) : ସାମୁହିକ ଏକତା, ସହଭାଗିତା, ଉତ୍ତମ ଗୋଷ୍ଠୀ ପ୍ରବର୍ତ୍ତନା, ଜୀବନ ଜୀବିକାର ଉନ୍ନତି, ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ, ପ୍ରାକୃତିକ ସମ୍ବଳର ସୁପରିଚାଳନା ସଙ୍ଗେ ସଙ୍ଗେ ପୁରାତନ ସଂସ୍କୃତିର ପ୍ରସାର ଦିଗରେ ବହୁବିଧ କାର୍ଯ୍ୟ କରି ଅଞ୍ଚଳ ପାଇଁ ଏକ ଆଦର୍ଶ ବନ ସୁରକ୍ଷା ସମିତିର ପରିଚୟ ସୃଷ୍ଟି କରିପାରିଛି ସାଗରପାଲି ବନ ସୁରକ୍ଷା ସମିତି। ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୁର ଗ୍ରାମ ପଞ୍ଚାୟତର ମଙ୍ଗସପୁର ରାଜସ୍ୱ ଗ୍ରାମର ଏକ ପଡା ଗ୍ରାମ ହେଉଛି ସାଗରପାଲି। ମଙ୍ଗସପୁରରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ଭାବରେ ଦୀର୍ଘ ୫ କିଲୋମିଟର ଦୂରରେ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜସ୍ୱ ଗ୍ରାମର ମାନ୍ୟତା ପାଇ ନାହିଁ। ସ୍ବାଧିନତାର ପରେ ଅପରେ ୧୯୫୬ ମସିହାରୁ ଗ୍ରାମରେ ଜଙ୍ଗଲ ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆ ଯାଇ ଗ୍ରାମ୍ୟ ସ୍ତରୀୟ କମିଟି ଗଠନ କରାଯାଇଥିଲା। ୧୯୭୫ ମସିହାରେ ସାଗର ଯୁବକ ସଂଘର ସଭ୍ୟ/ସଭ୍ୟା ମାନେ ଜଙ୍ଗଲ କାଟିବା ବିରୁଦ୍ଧରେ କଟକଣା ଜାରି କରି ଜଙ୍ଗଲ ସୁରକ୍ଷା ପାଇଁ ନିୟମାବଳୀ ପ୍ରସ୍ତୁତ କରିଥିଲେ ତଥା ଏକ ବନ ସୁରକ୍ଷା ସମିତିର ଗଠନ କରିଥିଲେ।

୧୯୯୩-୯୪ ମସିହାରେ ସାଗରପାଲି ବନ ସୁରକ୍ଷା ସମିତି ସୁନ୍ଦରଗଡ ବନଖଣ୍ଡରେ ପଞ୍ଜୀକୃତ ହୋଇଥିଲା। ସେ ଦିନଠୁ ଗ୍ରାମବାସୀଙ୍କ ସାମୁହିକ ଉଦ୍ୟମ, ଶ୍ରମଦାନ, ଏକତା, ସହଭାଗିତା, ଠେଙ୍ଗାପାଳି ବ୍ୟବସ୍ଥା ଦ୍ଵାରା ଜଙ୍ଗଲ ସୁରକ୍ଷାର ଏକ ଦୃଷ୍ଟାନ୍ତ ସୃଷ୍ଟି କରି ପାରିଛି ସାଗରପାଲି ବନ ସୁରକ୍ଷା ସମିତି। ୨୦୧୭ ମସିହା ଡିସେମ୍ବର ୧ ତାରିଖ ଦିନ ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଲପୁର କ୍ଷେତ୍ର ପରିଚାଳନା ଏକକରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ସାଗରପାଲି ବନ ସୁରକ୍ଷା ସମିତିକୁ ଏଥିରେ ସାମିଲ କରାଯାଇଥିଲା।

ଗ୍ରାମର ଅର୍ଦ୍ଧାଧିକ ପରିବାର କୃଷି ଉପରେ ନିର୍ଭରଶୀଳ ମଧ୍ୟ ବର୍ଷାର ଅନିୟମିତତା ସଙ୍ଗେ ସଙ୍ଗେ ଜଙ୍ଗଲି ବାରହା ମାନଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ଲୋକଙ୍କ ଜୀବିକାକୁ କଷ୍ଟସାଧ୍ୟ କରୁଥିଲା। ଏହାପରେ ସହଭାଗିତା ମୂଳକ ଅଣୁଯୋଜନା ପ୍ରସ୍ତୁତ କରାଯାଇ ବହୁବିଧ ଆୟଭିତ୍ତିକ କାର୍ଯ୍ୟକ୍ରମ ନିମନ୍ତେ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ବନ ସୁରକ୍ଷା ସମିତି ତରଫରୁ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗୋପାଳନ, ଜିଆଖତ, ମାଣ୍ଡିଆ ଚାଷ, ହଳଦୀ ଚାଷ, ଛତୁଚାଷ, ମହୁଚାଷ ଇତ୍ୟାଦି ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କରାଯାଇ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଯାଇଛି। ନାବାର୍ଡ ସହାୟତାରେ ବନ୍ୟଜନ୍ତୁଙ୍କ ଉପଦ୍ରବ ରୋକିବା ନିମନ୍ତେ ଏକ ଅଭିନବ ମେସିନ “ପିକ ରକ୍ଷକ” ପରୀକ୍ଷାମୂଳକ ଭାବରେ ସ୍ଥାପନ କରାଯାଇଛି। ସାଗରପାଲି ବନ ସୁରକ୍ଷା ସମିତି ତରଫରୁ ମହିଳା ମାନଙ୍କୁ ବିଭିନ୍ନ ଆୟ ଭିତ୍ତିକ କାର୍ଯ୍ୟକ୍ରମରେ ନିଯୋଜିତ ହେବାପାଇଁ ନିରନ୍ତର ଦକ୍ଷତା ବୃଦ୍ଧି କରି ଉତ୍ସାହିତ କରାଯାଉଛି। ବନ ସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠି ଦ୍ଵାରା ୮ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୨୪ ଜଣ ମହିଳା ଜିଆଖତ ଚାଷ, ୧ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା ମାଛ ଚାଷ, ୧୦ ଜଣ ମହିଳା କାଗଜ ଖଳିଦନା ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଆନ୍ତଃବିଭାଗୀୟ ସଂଯୋଗୀକରଣ ଦ୍ଵାରା ୩୪ ଜଣ ମହିଳାଙ୍କୁ ଋଣ ପ୍ରଦାନ କରି ଗୋପାଳନ ଦିଗରେ ପ୍ରୋତ୍ସାହିତ କରାଯାଇଛି ଯାହାଦ୍ୱାରା ପ୍ରତ୍ଯେକ ଦିନ ଗାଁ ରୁ ୧୪୦ ରୁ ୧୫୦ ଲିଟର କ୍ଷୀର ଉତ୍ପାଦନ ହୋଇ ପାରୁଛି। ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବା ନିମନ୍ତେ ବନ ସୁରକ୍ଷା ସମିତିର ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ୯୫ ଟି ପରିବାରକୁ ଗ୍ଯାସ ସଂଯୋଗ ଯୋଗାଇ ଦିଆଯାଇଛି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଏକ ସ୍ଵତନ୍ତ୍ର ନିଆଁଲିଭା ଦଳ ଗଠନ କରାଯାଇ ଗ୍ରାମ ତଥା ପଡୋଶୀ ଗ୍ରାମର ଜଙ୍ଗଲ ଓ ଧାନବିଳ ନିଆଁକୁ ନିୟନ୍ତ୍ରଣ କରାଯାଉଛି। ଏହି ସାଗରପାଲି ବନ ସୁରକ୍ଷା ସମିତିର ସଭ୍ଯ/ସଭ୍ୟାଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା କୁର୍ଲାଡୁଙ୍ଗରୀ ସଂରକ୍ଷିତ ପାହାଡ ଯାହାକି ୨୫ ବର୍ଷ ପୂର୍ବରୁ ଏକ ଲଣ୍ଡା ପାହାଡ ଥିଲା ଆଜି ଏକ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ସବୁଜ ବନାନୀରେ ପରିଣତ ହୋଇପାରିଛି।

ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ”ର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ ଓ ଉନ୍ନୟନ ଅଧିକାରୀ ମନୋରଞ୍ଜନ ମଲ୍ଲିକ ତଥା ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର କର୍ମକର୍ତ୍ତାଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ହଳଦୀ ଚାଷ ରୁ ଗୋପାଳନ ତଥା ଛତୁ ଚାଷରୁ ଜିଆଖତ ଚାଷ ସଙ୍ଗେ ସଙ୍ଗେ ମହୁମାଛି ଚାଷ, ଅଦା ଚାଷ, ଝାଡୁ ବ୍ୟବସାୟ, ଶାଳମଞ୍ଜି ବ୍ୟବସାୟ ଭଳି ବହୁବିଧ ଆୟଭିତ୍ତିକ କାର୍ଯ୍ୟକ୍ରମରେ ଗ୍ରାମର ପ୍ରତ୍ଯେକ ଘରର ମହିଳାଙ୍କୁ ସ୍ବାବଲମ୍ବୀ କରି ଏକ ଆଦର୍ଶ ସାଜିଛି ସାଗରପାଲି ବନ ସୁରକ୍ଷା ସମିତି। ୧୩.୩୩ ହେକ୍ଟର ଜମିରେ ୩୦ ଟି ପରିବାର କୃଷି ଭିତ୍ତିକ ଜଙ୍ଗଲ, ୫୪ ଟି ପରିବାର ନିୟମିତ ଭାବରେ ହଳଦୀ ଚାଷ କରି ଏକ ଚିରସ୍ଥାୟୀ ଜୀବିକା ପାଇବାରେ ସଫଳ ହୋଇଛନ୍ତି। ଦୀର୍ଘ ୨୭ ବର୍ଷ ଧରି ପ୍ରତ୍ଯେକ ବର୍ଷ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ “ ବାର୍ଷିକ ଜଙ୍ଗଲ ସୁରକ୍ଷା ଦିବସ” ପାଳନ କରୁଥିବା ଏହି ସାଗରପାଲି ବନ ସୁରକ୍ଷା ସମିତି ଏକତା, ସହଭାଗିତା ଓ ଅଭିନବିକରଣର ବାର୍ତ୍ତା ବହନ କରେ । ପ୍ରତ୍ଯେକ ବର୍ଷ ଡିସେମ୍ବର ୩୧ ତାରିଖ ଦିନ ପାଳିତ ହେଉଥିବା ଏହି ଉତ୍ସବରେ ଦୂର ଦୁରାନ୍ତରୁ ଗ୍ରାମର ପ୍ରତ୍ଯେକ ପରିବାରର ଲୋକେ ଅଂଶଗ୍ରହଣ କରୁଥିବାରୁ ଗ୍ରାମର ଏକ ସର୍ବଶ୍ରେଷ୍ଠ ପର୍ବ ବୋଲି ଗ୍ରାମବାସୀ ମାନେ କହନ୍ତି। ଆଗାମୀ ଦିନରେ ସାଗରପାଲି ବନ ସୁରକ୍ଷା ସମିତିକୁ ଜାତୀୟ ସ୍ତରରେ ଏକ ଆଦର୍ଶ ବନ ସୁରକ୍ଷା ସମିତି ଭାବରେ ପରିଣତ କରିବାକୁ ଗ୍ରାମବାସୀ ପ୍ରତିଶୃତିବଦ୍ଧ ବୋଲି ବନ ସୁରକ୍ଷା ସମିତିର ସଭାପତି ବିକାଶ ପଟେଲ କହନ୍ତି।

nis-ad
Leave A Reply

Your email address will not be published.