କନ୍ଧମାଳ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଭର୍‌ଚୁଆଲ ମୋଡରେ ୭୭ ଗୋଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ତୃତୀୟ ପର୍ଯ୍ୟାୟର ୭୭ ଗୋଟି ରୂପାନ୍ତର କରଣ ଉଚ୍ଚ ବିଦ୍ୟାଳୟକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଚ୍ଚୁଆଲ ମୋଡ୍ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଫୁଲବାଣୀ ଅନ୍ତର୍ଗତ ଗୁମାବଡ଼ ସ୍ଥିତ ନୃସିଂହନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ୭୭ ଗୋଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗର ୬୩ ଗୋଟି ଉଚ୍ଚ ବିଦ୍ୟାଳୟ ଏବଂ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ବିଭାଗର ୧୪ ଗୋଟି ଉଚ୍ଚ ବିଦ୍ୟାଳୟ ରହିଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୭୩ ଗୋଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଚାହାଁନ୍ତି ତାଙ୍କ ଓଡ଼ିଶାର ପିଲାମାନେ ସବୁବେଳେ ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ ଏବଂ ଜୀବନର ସବୁ ଆହ୍ଵାନକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ଵାସ ସହ ଆଗକୁ ବଢ଼ନ୍ତୁ । ସେଥିପାଇଁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି। ତାଙ୍କ ମତରେ, ଛାତ୍ରଛାତ୍ରୀ ଭାବରେ ଭଲ ପାଠ ପଢ଼ି ନିଜ ସ୍ବପ୍ନକୁ ସାକାର କରିବା, ପିତାମାତାଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟକୁ ଠିକ୍‌ଭାବେ ପାଳନ କରିବା, ଯେଉଁ ଦେଶରେ, ଯେଉଁ ସମାଜରେ ଓ ଯେଉଁ ଗାଁରେ ସେମାନେ ଜନ୍ମ ନେଇଛନ୍ତି ତା’ର ଉନ୍ନତି ପାଇଁ କାମ କରିବା ସବୁଠାରୁ ବଡ଼ ଆନନ୍ଦ ଓ ସନ୍ତୋଷ ଭଳି ତିନି ଗୋଟି ଦାୟିତ୍ବ ସେମାନଙ୍କର ରହିଛି ।ଆଜିର ଏହି ଲୋକାର୍ପଣ ଉତ୍ସବରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ । କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଜିଲ୍ଲାରେ ଶିକ୍ଷା ସହିତ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟମରେ ଉଲ୍ଲେଖନୀୟ ଉନ୍ନତି ହୋଇଛି ବୋଲି କହିଥିଲେ । ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରମୋଦିନୀ ନାୟକ ତାଙ୍କ ବିଦ୍ୟାଳୟ ରୁପାନ୍ତରୀକରଣ ହେବାପରେ ନିଜର ଅନୁଭୂତିରୁ କିଛି ପ୍ରକାଶ କରିଥିଲେ । ସେ କହିଲେ, ରୂପାନ୍ତରୀକରଣ ହେବାପରେ ଯେଉଁସବୁ ସୁବିଧା ଆମକୁ ମିଳୁଛି ତାହା ପୂର୍ବରୁ ନଥିଲା । ସ୍ମାର୍ଟ କ୍ଲାସ ରୁମ୍ ଓ ଉନ୍ନତ ମାନର ଆଧୁନିକ ବିଜ୍ଞାନାଗାର ଯୋଗୁଁ ଆମେ ଅନେକ ବିଜ୍ଞାନ ଭିତ୍ତିକ ପରୀକ୍ଷା ନିଜେ ନିଜେ କରିପାରୁଛୁ । ସେହିପରି, ଇ-ଲାଇବ୍ରେରୀ-ତଥା- ପାଠାଗାରର ଇଣ୍ଟରନେଟ୍ ବ୍ୟବସ୍ଥା ଯୋଗୁଁ ଆମେ ଅନେକ ପୁସ୍ତକ ଉପଯୋଗ କରି ଆମର ଜ୍ଞାନ ପରିସରକୁ ବୃଦ୍ଧି କରିପାରୁଛୁ। ଆଇ.ସି.ଟି. ଲ୍ୟାବ ଯୋଗୁଁ ଆମେ ପୂର୍ବାପେକ୍ଷା ଭଲରେ ବୁଝିପାରୁଛୁ।ଏତଦ୍‌ବ୍ୟତିତ, ଉନ୍ନତ ମାନର ସୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ଏବେ ବ୍ୟବହାର କରୁଛୁ ଯାହାକୁ ଦେଖିଲେ ଆମେ ସରକାରୀ ସ୍କୁଲରେ ପଢ଼ୁଛୁ ବୋଲି ଗର୍ବ କରୁଛୁ । ସରକାରଙ୍କର ଏହି ଐତିହାସିକ ପଦକ୍ଷେପ ଉଜ୍ଜଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ । ତେଣୁ, ଆମ କନ୍ଧମାଳ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ । ଏହି ଲୋକାର୍ପଣ ଉତ୍ସବରେ କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ, ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ମାନ୍ୟବର ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଓ ବାଲିଗୁଡ଼ା, ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ), ଜିଲ୍ଲା ପରିଷଦ, କନ୍ଧମାଳ ହରପ୍ରସାଦ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ, ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.