ମେ’ ମାସରେ ପୁଣି ବାତ୍ୟା ଭୟ: ୬ରେ ଘୂର୍ଣ୍ଣିବଳୟ, ୯ ବେଳକୁ ଲଘୁଚାପ

ଭୁବନେଶ୍ୱର : ମେ’ ମାସରେ ପୁଣି ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧିବ କି ଖରା ଦିନିଆ ସାଇକ୍ଲୋନ୍‌ ? ଫନୀ, ଅମ୍ଫନ, ୟସ ଓ ଅସାନୀ ପରେ ଏବର୍ଷ ସମ୍ଭାବ୍ୟ ବାତ୍ୟା ମୋଖାର ସମ୍ଭାବନା ବଢ଼ିଛି । ଏଥର ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ନାଁ ରହିବ ‘ମୋଚା’। ଏକାଧିକ ମଡେଲ୍‌ ମେ’ ଦ୍ୱିତୀୟ ସପ୍ତାହରେ ସାମୁଦ୍ରିକ ଝଡ଼ ପୂର୍ବାନୁମାନ କରୁଛନ୍ତି । ବିଭିନ୍ନ ସଂସ୍ଥା ଗତିପଥ ସ୍ପଷ୍ଟ କରି ନଥିଲେ ମଧ୍ୟ, ବାତ୍ୟାର ଆକଳନ କରିଛନ୍ତି । ୮ରୁ ୧୬ ତାରିଖ ମଧ୍ୟରେ ଅସ୍ଥିର ହୋଇପଡିବ ବଙ୍ଗୋପସାଗର ।

ସବୁ ପାଣିପାଗ ସଂସ୍ଥାର ଆକଳନ, ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ଙ୍କ ଆକଳନ କହୁଛି, ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଆସନ୍ତ ସପ୍ତାହରେ ତାହା ବାତ୍ୟାରେ ପରିଣତ ହୋଇପାରେ । ପୂର୍ବ ଭାରତରୁ ଆରମ୍ଭ କରି ବାଂଲାଦେଶ ଓ ମିଆଁମାର ପର୍ଯ୍ୟନ୍ତ ବାତ୍ୟା ପ୍ରଭାବ ପଡିବ ସମ୍ଭାବନା ରହିଛି । ଓ୍ଵିଣ୍ଡିର ୟୁରୋପିଆନ୍‌ ECMWF ମଡେଲ ଦର୍ଶାଉଛି ମେ ୧୧ ତାରିଖ ବେଳକୁ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଆମେରିକାନ୍‌ GFS ମଡେଲ୍‌ରେ ମେ ୧୦ ତାରିଖରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ସୃଷ୍ଟି ଦର୍ଶାଉଛି । କିନ୍ତୁ ବାତ୍ୟାଗତି ପଥ ସ୍ପଷ୍ଟ ନାହିଁ ।

ସେପଟେ ବାତ୍ୟାକୁ ନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଆକଳନ କରିଛି, ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା କେତେ ଘନୀଭୂତ ହେବ ? କେଉଁ ରୂପ ଧାରଣ କରିବ ଲଘୁଚାପ ? କଣ ରହିବ ପ୍ରଭାବ, ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ବାତ୍ୟାର ସଠିକ ଆକଳନ ଏତେ ପୂର୍ବରୁ କରିବା ସମ୍ଭବ ନୁହେଁ । ବାତ୍ୟା ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହୋଇଥାଏ ।

nis-ad
Leave A Reply

Your email address will not be published.