ସୁନ୍ଦରଗଡରେ ତୃଣମୂଳ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ

ସୁନ୍ଦରଗଡ (୦୧/୦୫) : ସୁନ୍ଦରଗଡ ହେଉଛି କ୍ରୀଡାର ଜିଲ୍ଲା। ଗତ ତିନି ବର୍ଷ ଧରି ରାଜ୍ୟରେ ଫୁଟବଲ୍ ଖେଳ ଦିଗନ୍ତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୁନ୍ଦରଗଡ ଖେଳାଳୀ । ଏହି ଧାରାକୁ ଆଗେଇ ନେବା ପାଇଁ ଆଜି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଏକ ନବ ପ୍ରଭାତର ଅୟମାରମ୍ଭ ହୋଇଛି ତୃଣମୂଳ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ର। ଫୁଟବଲ୍ ଆସୋସିଏସନ୍ ଅଫ ଓଡ଼ିଶା ( ଫାଓ) ତରଫରୁ ସାରା ରାଜ୍ୟରେ ଏହିପରି ୧୬ଟି କେନ୍ଦ୍ରର ପ୍ରତିଷ୍ଠା ହେବାର ସ୍ଥିରୀକୃତ ହୋଇଛି ଏବଂ ତନ୍ମଧ୍ୟରୁ ସୁନ୍ଦରଗଡ଼ରେ ୨ଟି କେନ୍ଦ୍ର ଖୋଲାଯିବ। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡସ୍ଥିତ ସେଣ୍ଟ ଥରେସା ଇଂରାଜୀ ବିଦ୍ୟାଳୟର ଖେଳ ପଡ଼ିଆରେ ଆଜି ଆରମ୍ଭ ହୋଇଯାଇଛି ଏକ ତୃଣମୂଳ ଫୁଟବଲ୍ ପ୍ରଶିକ୍ଷଣ କେନ୍ଦ୍ର। ଏହି କେନ୍ଦ୍ରରେ ସାମିଲ ହେବା ପାଇଁ ୭୦ ଜଣ ଆଶାୟୀ ଖେଳାଳୀ ପଞ୍ଜୀକରଣ କରିଥିଲେ । ତନ୍ମଧ୍ୟରୁ ୮ ରୁ ୧୨ ବର୍ଷ ଖେଳାଳୀ ବର୍ଗର ୫୦ ଜଣ ଖେଳାଳୀଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦିଆଯିବ। ଏହି କାର୍ଯ୍ୟକ୍ରମଟି ଫାଓ ଓ ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି।

ଏଥିରେ ଚୟନ ହୋଇଥିବା ଖେଳାଳୀଙ୍କୁ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଜର୍ସି, ପ୍ୟାଣ୍ଟ୍, ଜୋତା, ସିନ ଗାର୍ଡ, ଫୁଟବଲ୍, ମାର୍କର, କୋନ୍ ଇତ୍ୟାଦି ଆବଶ୍ୟକୀୟ ଖେଳ ଉପକରଣ ଯୋଗାଇ ଦିଆଯାଇଛି। ଏହି ପ୍ରଶିକ୍ଷଣ କେନ୍ଦ୍ର ପାଇଁ ପ୍ରଶିକ୍ଷକ ଯୋଗାଇ ଦେବା ସହିତ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ତାଙ୍କ ବକ୍ତବ୍ୟରେ କହିଛନ୍ତି। ଗତ କାଲି ଇହଧାମ ତ୍ୟାଗ କରିଥିବା ସୁନ୍ଦରଗଡର ପ୍ରାକ୍ତନ ଖେଳାଳୀ ମୁକୁନ୍ଦ ମାଧବ (ଟୁନୁ) ବହିଦାରଙ୍କୁ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଭିଜିତ ମହନ୍ତ ମୁଖ୍ୟ ଅତିଥି ଓ ସେଣ୍ଟ ଥେରେସା ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପି. ସିଲଭା ବିଶେଷ ଅତିଥି ଭାବରେ ଉପସ୍ଥିତ ରହି ଖେଳାଳୀ ତଥା ଆୟୋଜକଙ୍କ ଉତ୍ସାହବର୍ଦ୍ଧନ କରିଥିଲେ। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ସହ ସମ୍ପାଦକ ଜୟଦେବ ପାତ୍ର, ଫୁଟବଲ୍ ସମ୍ପାଦକ ରାଜେନ୍ଦ୍ର ପାଣ୍ଡେ, ସଦସ୍ୟ ଅଜୟ ବହିଦାର, ନିତ୍ୟ କୁମାର ବଳ, ସୁରଜ୍ ଭାଇଁସାଲ, ରୋମାଞ୍ଚ ଭାଇଁସାଲ୍ , ସହ ପ୍ରଶିକ୍ଷକ ଅନିଲ କୁମାର ଦାସ ଏବଂ ପ୍ରଶିକ୍ଷକ ସମାପ୍ତେନ୍ଦୁ ମେହେର ମଧ୍ୟ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.