ରତ୍ନ ଭଣ୍ଡାର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି, ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କଲା ପରେ ବିଜେଡି ଏହାର ପ୍ରତିକ୍ରିୟା ଦେଇଛି। ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ବିଜେଡି କହିଛି। ବୋଧହୁଏ ଆଜିକାଲି ସେମାନେ ଘରେ ବସି ଅଧିକ ବଲିଉଡ ଫିଲ୍ମ ଓ ୱେବ୍‌ ସିରିଜ୍‌ ଦେଖୁଛନ୍ତି ଏବଂ ଏହାର ପ୍ରଭାବରେ ମନଗଢ଼ା କାହାଣୀ ତିଆରି କରି ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ ଗପୁଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ମୁଖପାତ୍ର ଡ ଲେନିନ ମହାନ୍ତି ତାଙ୍କୁ ଏମିତି କଟାକ୍ଷ କରିଛନ୍ତି।

ଏହା ପୂର୍ବରୁ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେପି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା। ପୁରୀ ଜିଲ୍ଲାର ଜଣେ ବିଜେଡ଼ି ନେତା ରତ୍ନ ଭଣ୍ଡାର ଲୁଟ ହେଉଛି ବୋଲି କହିଥିଲେ। ତେଣୁ ରତ୍ନ ଭଣ୍ଡାର ଲୁଟ ହେଉଛି ବୋଲି ସମସ୍ତେ ସନ୍ଦେହ କରୁଛନ୍ତି। ଡୁପ୍ଲିକେଟ ଚାବି ମିଳିଛି ବୋଲି କହିଥିଲେ। ତେବେ ରତ୍ନ ଭଣ୍ଡାର ଖୋଲିବାରେ ପ୍ରତିବନ୍ଧକ କେଉଁଠି ଥିଲା ? ମିଳିଥିବା ଡୁପ୍ଲିକେଟ ଚାବି ରତ୍ନ ଭଣ୍ଡାରର କି ନୁହେଁ ସ୍ପଷ୍ଟୀକରଣ ରଖନ୍ତୁ ସରକାର ? ୫ ବର୍ଷ ହେଲା କାହିଁକି ରତ୍ନ ଭଣ୍ଡାର ଖୋଲାଯାଉ ନାହିଁ ? ଜଷ୍ଟିସ ରଘୁବୀର ଦାସ କମିଟିର ରିପୋର୍ଟ ଶୀତଳ ଭଣ୍ଡାରରେ ନରଖି ବିଧାନସଭାରେ ଉପସ୍ଥାପନ କରନ୍ତୁ ଏବଂ ତାଙ୍କ ସୁପାରିଶ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସାର୍ବଜନୀନ କରାଯାଉ। ଏଏସଆଇ ହାଇକୋର୍ଟରେ କହିଛି, ରତ୍ନ ଭଣ୍ଡାର ଅସୁରକ୍ଷିତ ଅଛି। ତେଣୁ ରତ୍ନ ଭଣ୍ଡାର ମରାମତି ପାଇଁ ଏଏସଆଇକୁ ଦାୟିତ୍ୱ ହସ୍ତାନ୍ତର କରନ୍ତୁ ବୋଲି ବିଜେପିର ଦାବି କରିଛି। ମୁଖ୍ୟମନ୍ତ୍ରୀ ଯଦି ଜଗନ୍ନାଥଙ୍କ ପ୍ରକୃତ ଭକ୍ତ ତେବେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଉତ୍ତର ରଖନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ରାଜ୍ୟ ବିଜେପିର ବରିଷ୍ଠ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଏହାର ଜବାବରେ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ଆଜି ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ କାହାଣୀ ଶୁଣାଇଛି ତାହା ଦେଖି ମନେ ହେଉଛି ଓଡ଼ିଶା ବିଜେପି ନେତାମାନଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି। ସେମାନେ ସମ୍ଭବତଃ ଜାଣି ନାହାନ୍ତି ଯେ, ଆଜି ନୁହେଁ, ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ। ଆଜିର ସାମ୍ବାଦିକ ସମ୍ମିଳନୀ ମଧ୍ୟ ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି। କାରଣ ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମିଳିତ ସରକାରରେ ଆଇନ ମନ୍ତ୍ରୀ ଥିବା ନିଜ ଦଳର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ରତ୍ନଭଣ୍ଡାର ଖୋଲା ନହେବା ପାଇଁ ବିଜେପି ପରୋକ୍ଷରେ ଦାୟୀ କରିଛି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି। ଓଡ଼ିଶାରେ ସ୍ବାର୍ଥ ସମ୍ବଳିତ ‌ଯେକୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ। ମାତ୍ର ସେପରି ନ କରି ସେମାନେ ଟାଣିଓଟାରି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଏବଂ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳୁଛନ୍ତି। ସେମାନେ ମନେ ରଖିବା ଉଚିତ ଯେ, ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ।

nis-ad
Leave A Reply

Your email address will not be published.