ସନ୍ଦେହରେ ପି.ଏଲ.ଏଫ.ଆଇ. (ମାଓବାଦି) ଙ୍କ ଧମକପୂର୍ଣ୍ଣ ପୋଷ୍ଟର ଓ ଜେ.ସି.ବି.ରେ ନିଆଁ ଲଗାଇବା ଘଟଣା…!!


ସୁନ୍ଦରଗଡ଼/ନୂଆଗାଁ : (୨୫/୦୪/୨୦୨୩) ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଦୀର୍ଘ ଦିନ ପରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ ହୋଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ନୂଆଗାଁ ବ୍ଳକ ଅନ୍ତର୍ଗତ ବାଁଉଶ ଝର ଗ୍ରାମର ଅନାତୀ ଦୂରରେ ଥିବା ଏକ ନାଳ ଉପରେ (R&B) ବିଭାଗ ତରଫରୁ ପୋଲ ନିର୍ମାଣ କାର୍ଯ୍ଯ ଚାଲିଥିଲା । ଯେଉଁ ନିର୍ମାଣ କାର୍ଯ୍ୟଟି ସୂଚନା ମୁତାବକ ଠିକାଦାର ବି.ମୂର୍ତ୍ତି ପିଲାଇଙ୍କ ତତ୍ତ୍ଵାବଧାନରେ ବିଗତ କିଛି ଦିନ ଧରି ଚାଲି ଆସିଥିଲା । ଗତକାଲି ବିଳମ୍ବିତ ରାତିରେ ନିର୍ମାଣରେ ବ୍ୟବହୃତ ଜେ.ସି.ବି. ଚକାରେ ନିଆଁ ଲାଗିଥିବା ସହ ଘଟଣା ସ୍ଥଳରେ ଏକ ଧଳା କାଗଜରେ ହାତଲେଖା ଏକ ପୋଷ୍ଟର ଦେଖିବାକୁ ମିଳିଛି । ପୋଷ୍ଟରରେ ରହିଥିବା ଲେଖା ମୁତାବକ ତାହା ମାଓ ସଂଗଠନ ଦ୍ଵାରା ପରିଚାଳିତ ପି.ଏଲ.ଏଫ.ଆଇ. ନିର୍ଦ୍ଦେଶକ ବୋଲି ଦାବୀ କରାଯାଇଛି । ଏହା ସହ ପୋଷ୍ଟରରେ ରହିଥିବା ଚେତାବନୀ ହେଉଛି ‘ କଣ୍ଟ୍ରାକ୍ଟର ସାବଧାନ.,! କୌଣସି ପୋଲିସ୍ ତଦନ୍ତ ନହେଉ ‘ । ପ୍ରକାଶ ଥାଉ କି , “ଦି ପିପୁଲ୍ସ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ” ହେଉଛି ମାଓ ସଂଗଠନର ଏକ ସଶସ୍ତ୍ର ବାହିନୀ ଯାହାକି ୨୦୦୭ ମସିହାରେ ଝାଡ଼ଖଣ୍ଡ ରାଜ୍ୟରେ ପ୍ରଥମେ ଆରମ୍ଭ ହୋଇଥିଲା । ତା’ପୂର୍ବରୁ ୨୦୦୩ ମସିହାରେ ଝାଡ଼ଖଣ୍ଡ ରାଜ୍ୟର ଖୁଣ୍ଟି ଜିଲ୍ଲାର ଦିନେଶ ଗୋପ ନାମକ ଜନୈକ ବ୍ୟକ୍ତିଙ୍କ ପ୍ରତିନିଧିତ୍ୱରେ “ଝାଡ଼ଖଣ୍ଡ ଲିବରେଶନ ଟାଇଗର” ନାମରେ ଉକ୍ତ ମାଓ ସଂଗଠନ କାମ କରୁଥିଲା। ତେବେ ଆମ ରାଜ୍ୟରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ , ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ନିମନ୍ତେ ଥଇଥାନ ଯୋଜନା ସମେତ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ତଥା ପୋଲିସ୍ ମାନଙ୍କ ମିଳିତ ମାଓ ଦମନ ଅଭିଯାନ ଜରିଆରେ ଉଭୟ ସରକାର ଓ ପ୍ରଶାସନ ଏକ ପ୍ରକାରର ସକାରାତ୍ମକ ଫଳାଫଳ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆଜିକାର ଏହି ଘଟଣା ନିଶ୍ଚିତ ଭାବେ ପ୍ରଶାସନ ଏବଂ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ତେବେ ପ୍ରକୃତରେ ଉକ୍ତ ପୋଷ୍ଟର ପି.ଏଲ.ଏଫ.ଆଇ. (ମାଓବାଦି) ସଂଗଠନର ନା ନୁହେଁ ତାହା ବର୍ତ୍ତମାନ ଏକ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଡ଼ିର ଚକ ଦେଖିଲେ ଏ କଥା ସ୍ପଷ୍ଟ ବାରି ହେଉଛି ଯେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗାଡ଼ି ଜାଳିବାର ପ୍ରୟାସ ଆଦୌ କରାଯାଇ ନାହିଁ । ଏହା ଛଡ଼ା ଅନେକ ସମୟରେ ମାଓ ପୋଷ୍ଟରରେ ସମ୍ପୃକ୍ତ ସଂଗଠନର ସଦସ୍ୟ ମାନଙ୍କର ଛଦ୍ମନାମ ରହୁଥିବା ପରିପ୍ରେକ୍ଷୀରେ ବର୍ତ୍ତମାନର ପୋଷ୍ଟରରେ “ନିର୍ଦ୍ଦେଶକ” ବୋଲି ଲେଖା ଥିବା ଅନେକ ସମ୍ଭାବ୍ୟ ପରିସ୍ଥିତି ତିଆରି କରୁଛି ଯେଉଁ ଗୁଡ଼ିକ ତଦନ୍ତ ସାପେକ୍ଷ । ଯେପରିକି ଅନ୍ୟ କେଉଁ ବ୍ୟକ୍ତି ଅବା ଗୋଷ୍ଠୀ ଚଞ୍ଚକତା କରିବାକୁ ଯାଇ ଏଭଳି କାଣ୍ଡ କରି ନାହାନ୍ତି ତ ?…! ଅନାୟାସରେ ଜନସାଧାରଣଙ୍କୁ ଭୀତତ୍ରସ୍ତ କରିବା କାହା ଉଦ୍ଦେଶ୍ୟ ନୁହେଁ ତ? !! ଆଗାମୀ ଦିନରେ ପୋଲିସ୍ ର ତଦନ୍ତ ହିଁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବ ବୋଲି ସ୍ଥାନୀୟ ଜନ ସାଧାରଣ ଓ ବୁଦ୍ଧିଜୀବି ଆଶା ପ୍ରକଟ କରିଛନ୍ତି । ଏନେଇ ସଂପୃକ୍ତ ଠିକାଦାର ତଥା ସ୍ଥାନୀୟ ହାତିବାରୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳି ପାରିନଥିବା ସ୍ଥଳେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମାନସ୍ ରଞ୍ଜନ ପ୍ରଧାନ ଘଟଣା ସମ୍ପର୍କରେ ଅବଗତ ନଥିବା କହିଛନ୍ତି । ଯାହାକୁ ନେଇ ସନ୍ଦେହ ଘନୀଭୂତ ହେବା ସ୍ୱାଭାବିକ l କାରଣ ଘଟଣା ଘଟିଯାଇଛି କିନ୍ତୁ ଏହାକୁ ନେଇ କୌଣସି ଅଭିଯୋଗ ସ୍ଥାନୀୟ ପୋଲିସ ନିକଟରେ କରାଯାଇନାହିଁ l ତେଣୁ ଜିଲ୍ଲା ପୋଲିସ ବିଭାଗ ଏହାକୁ ଗୁରୁତର ସହ ନେଇ ତଦନ୍ତ କଲେ ଘଟଣା ର ପ୍ରକୃତ ଉଦେଶ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଆଶା କରୁଛନ୍ତି l

nis-ad
Leave A Reply

Your email address will not be published.