ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ । ସମଗ୍ର ବିଶ୍ୱର ଆଦର୍ଶ । ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ତେଲେଙ୍ଗାପେଣ୍ଠକୁ ଆସି ଏଠାରେ ସମସ୍ତଙ୍କୁ ସ୍ବାଧିନତା ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିଲେ। ଗାନ୍ଧିଜୀଙ୍କ ପାଦ ପଡିଥିବା ଏହି ତେଲେଙ୍ଗାପେଣ୍ଠର ମାଟି ଅତି ପବିତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବାକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, “ଆସନ୍ତୁ, ଆଜି ଏହି ତେଲେଙ୍ଗାପେଣ୍ଠର ପବିତ୍ର ମାଟିରେ ବାପୁଙ୍କୁ ପୁଣି ଥରେ ସମ୍ମାନ ଜଣାଇ ତାଙ୍କ ଆଦର୍ଶରେ ଚାଲିବା ଏବଂ ଦେଶ ପାଇଁ ତାଙ୍କର ଯେଉଁ ସ୍ବପ୍ନ ଥିଲା ତାକୁ ପୂରଣ କରିବା ଦିଗରେ କାମ କରିଚାଲିବା ।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ଅତ୍ୟଧିକ ଭଲ ପାଉଥିବା କାରଣରୁ ଗାନ୍ଧୀଜୀ ଏକାଧିକ ଥର ଓଡ଼ିଶାକୁ ଆସିଥିଲେ। ଓଡ଼ିଶାକୁ ସେ କେବଳ ଭଲ ପାଉନଥିଲେ, ଓଡ଼ିଶା ତାଙ୍କର ହୃଦୟ ଓ ମନକୁ ଆଲୋଡିତ କରିଥିଲା। ଗାନ୍ଧିଜୀଙ୍କର ଗୋଟିଏ ସ୍ମରଣୀୟ ବାକ୍ୟ ଥିଲା-‘ଓଡ଼ିଶା ହେଉଛି ମୋର ପ୍ରେମର ଭୂମି ।’

ମୁଖ୍ୟମନ୍ତ୍ରୀ କହିଥିଲେ ଗାନ୍ଧିଜୀ ଥିଲେ ଅଲୌକିକ ସାହସର ପରମ୍ପରା। ସତ୍ୟ ଥିଲା ତାଙ୍କର ସନ୍ଦେଶ। ଗାନ୍ଧିଙ୍କ ଜୀବନ, ତ୍ୟାଗ ଓ ତପସ୍ୟା ତାଙ୍କୁ ମହାନ୍‌ ଓ ବରେଣ୍ୟ କରି ଗଢ଼ି ତୋଳିଥିଲା । ଗାନ୍ଧିଜୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ହୃଦୟ ପରିବର୍ତ୍ତନ । ତାଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସତ୍ୟ, ଅହିଂସା ଓ ଅସହଯୋଗ ବଳରେ ଜୀବନର ସବୁ ପ୍ରତିକୂଳ ପରିସ୍ଥିତିର ଆହ୍ୱାନକୁ ସାମ୍ନା କରି ଗାନ୍ଧିଜୀ ପ୍ରମାଣ କରିଛନ୍ତି ଯେ ଏସବୁ ବଳରେ ସଫଳତା ସମ୍ଭବ। ତାଙ୍କ ଜୀବନ କାହାଣୀ ହେଉଛି ‘ସତ୍ୟ ସହିତ ନିରନ୍ତର ପରୀକ୍ଷା’।

ସେ କହିଥିଲେ ଯେ ସାରା ଦେଶରେ ମୋଦୀଜୀଙ୍କ ନେତୃତ୍ବରେ ଏବଂ ଓଡିଶାରେ ଆମ ସରକାର ଗାନ୍ଧିଜୀଙ୍କ ପ୍ରକୃତ ଆଦର୍ଶ ଓ ଲକ୍ଷ୍ୟକୁ ପୂରଣ କରିବା ପାଇଁ କାମ କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବଚ୍ଛତା ଥିଲା ଗାନ୍ଧୀଜୀଙ୍କ ଆଦର୍ଶ। ସେ କହୁଥିଲେ ଯେ ଯେଉଁଠାରେ ସ୍ବଚ୍ଛତା ଥାଏ, ସେଠାରେ ଭଗବାନ ବାସ କରନ୍ତି । ୨୦୧୪ରେ ଯେତେବେଳେ ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ବ ଗ୍ରହଣ କଲେ, ତାଙ୍କର ପ୍ରଥମ ବଡ ଅଭିଯାନ ଥିଲା ସ୍ବଚ୍ଛ ଭାରତ। ସ୍ବଚ୍ଛ ଭାରତ ଅଭିଯାନକୁ ଆଜି ୧୦ ବର୍ଷ ହୋଇଗଲାଣି। ଦେଶ ଆଜି ପୂର୍ବ ଅପେକ୍ଷା ଅଧିକ ସ୍ବଚ୍ଛ ଦିଶୁଛି । ହଜାର ହଜାର ଗାଁରେ ଲକ୍ଷ ଲକ୍ଷ ଲୋକଙ୍କ ଘରେ ଆଜି ଟଏଲେଟ୍‌ ଅଛି। ସ୍ବଚ୍ଛତା ଅଭିଯାନ ଆଜି ଦେଶରେ ଏକ ସଫଳ ଆନ୍ଦୋଳନରେ ପରିଣତ ହୋଇଛି। ଗାନ୍ଧୀଜୀଙ୍କ ପ୍ରକୃତ ଲକ୍ଷ୍ୟ ମୋଦୀଜୀ ହିଁ ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଗାନ୍ଧୀଜୀଙ୍କର ଆଉ ଏକ ସ୍ବପ୍ନ ଥିଲା ସମାଜର ଶେଷ ଧାଡିର ଥିବା ଲୋକର ବିକାଶ ଓ କଲ୍ୟାଣ। ଆଜି ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି। ଗାଁ ଗାଁ ରେ ପକ୍‌କା ସଡକ, ପିଇବା ପାଣି, ବିଜୁଳି – ଏପରିକି ଇଣ୍ଟରନେଟ୍‌ ସୁବିଧା ମଧ୍ୟ ମିଳିପାରୁଛି । ଗାନ୍ଧୀଜୀ କହିଥିଲେ ଗାଁର ବିକାଶ ହେଲେ, ଦେଶର ବିକାଶ ହୋଇପାରିବ। ଆଜି ମୋଦୀଜୀଙ୍କ ନେତୃତ୍ବରେ ଭାରତର ଗାଁ ଗୁଡିକ ଦେଶର ବିକାଶକୁ ଆଗେଇ ନେଉଛନ୍ତି। ଚାଷୀ ମାନଙ୍କ ବିକାଶ ପାଇଁ ପିଏମ୍ କିଶାନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଦଳିତ, ଗରିବ ଓ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦୀଜୀ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଲେ ଯେ ଓଡିଶାରେ ଆମ ସରକାର ମାତ୍ର ୪ ମାସ ମଧ୍ୟରେ ରାଜ୍ୟର ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥକ ସହାୟତା ଦେବା ଆରମ୍ଭ କରିଛି ବୋଲି ପ୍ରକାଶ କରି ସେ କହିଲେ ଯେ ଗାଁ ଗାଁ ରେ ଏପରି ଅନେକ ମହିଳା ଅଛନ୍ତି, ଯେଉଁମାନଙ୍କ ହାତରେ ଟଙ୍କାଟିଏ ବି ନଥାଏ। ମୋର ଦୃଢ ବିଶ୍ବାସ, ଏହି ଆର୍ଥିକ ସହାୟତା ସେମାନଙ୍କୁ ପରିବାରରେ ଓ ସମାଜରେ ସଶକ୍ତ କରି ଗଢି ତୋଳିବ। ମହିଳା ମାନଙ୍କ ସଶକ୍ତିକରଣ ପାଇଁ ଗାନ୍ଧୀଜୀଙ୍କର ଯେଉଁ ସ୍ବପ୍ନ ଥିଲା, ତାକୁ ପୂରଣ କରିବା ଦିଗରେ ଆମ ସରକାର ମଧ୍ୟ ଓଡିଶାରେ ପଦକ୍ଷେପ ନେବା ଆରମ୍ଭ କରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ମନେପକାଇ କହିଥିଲେ ଯେ ଆଜି ମଧ୍ୟ ଶାସ୍ତ୍ରୀ ଜୟନ୍ତୀ । ସେ କହିଲେ ଯେ ଶାସ୍ତ୍ରୀଜୀ ଯେଉଁ ‘ଜୟ ଜବାନ ଜୟ କିସାନ’ ନାରା ଦେଇଥିଲେ ତାକୁ ମୋଦୀଜୀ ଗୁରୁତ୍ବଦେଇ ଅଗ୍ନୀବୀର ଯୋଜନା ଆରମ୍ଭ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ପିଏମ କିସାନ ଯୋଜନା ଆରମ୍ଭ କରିଛନ୍ତି। ଓଡିଶାରେ ନୂଆ ସରକାର କୃଷକ ମାନଙ୍କ ପରିଶ୍ରମର ଉଚିତ୍ ମୂଲ୍ୟଦେବା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି। ଆଗାମୀ ଖରିଫ ଋତୁରେ ଅମଳ ସମୟରେ ଚାଷୀଭାଇ ମାନେ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିପରି ତାଙ୍କ ଜନ୍ମଦିନକୁ ଓଡିଶାରେ ପାଳନ କରି ଭୁବନେଶ୍ବରର ଗାଡକଣ ରେ ଜଣେ ମହିଳାଙ୍କ ହାତରୁ କ୍ଷୀରି ଖାଇଥିଲେ ସେ ସମ୍ବନ୍ଧରେ ଉଲ୍ଲେଖ କରି ଏଥିରୁ ମୋଦୀଜୀ ଓଡିଶାକୁ କେତେ ଭଲ ପାଆନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ।

ଗାନ୍ଧିଜୀଙ୍କ ବିଷୟରେ ଆହୁରି ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମଣିଷ, ସମାଜ ଓ ଶାସନକୁ ନେଇ ଯେତେ ବିଷୟ ଓ ପ୍ରସଙ୍ଗ ରହିଛି ସେ ସବୁକୁ ନେଇ ମହାତ୍ମା ଗାନ୍ଧୀ ତାଙ୍କର ମତ ଦେଇଛନ୍ତି। ସେଥିରେ ଅଛି ଗଭୀର ଅନୁଭୂତି, ପ୍ରତ୍ୟକ୍ଷ ଉପଲବ୍ଧି ଓ ଗଭୀର ଚିନ୍ତନର ଭାଷା। ତେଣୁ, ଗାନ୍ଧିଜୀ ହେଉଛନ୍ତି ଆମ ସମୟର ଅନ୍ୟତମ ଶ୍ରେଷ୍ଠ ଚିନ୍ତାନାୟକ । ଦକ୍ଷିଣ ଆଫ୍ରିକାରୁ ଅସହଯୋଗ ଓ ଅହିଂସାର ପରୀକ୍ଷା ନିରୀକ୍ଷା ଆରମ୍ଭ କରି ଗାନ୍ଧିଜୀ ସଫଳ ହେଲେ। ପରବର୍ତ୍ତୀ ସମୟରେ ପରାଧୀନ ଭାରତ ମାତାକୁ ସ୍ୱାଧୀନ କରିବା ପାଇଁ ଚାଲିଥିବା ସୁଦୀର୍ଘ ସଂଗ୍ରାମର ସେ ନେତୃତ୍ୱ ନେଲେ । ଗାନ୍ଧୀଙ୍କ ଆଦର୍ଶର ମୂଳ କଥାଗୁଡିକ ହେଉଛି-ସତ୍ୟ, ଶାନ୍ତି, ଅହିଂସା ଓ ବିଶ୍ୱ ଦୃଷ୍ଟିକୋଣ । ସେଥିପାଇଁ ତାଙ୍କ ଆଦର୍ଶ ଓ ବିଚାରର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି । ସମଗ୍ର ପୃଥିବୀର ଅନେକ ଦେଶରେ ଗାନ୍ଧୀବାଦର ପ୍ରୟୋଗ ବଳରେ ରାଜନୈତିକ ଓ ସାମାଜିକ ପରିବର୍ତ୍ତନ ନିମନ୍ତେ ଆନ୍ଦୋଳନ ହେଉଛି । ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଛାଡ଼ିବାର ବହୁବର୍ଷ ପରେ ତାଙ୍କ ଆଦର୍ଶକୁ ଅନୁସରଣ କରି ହୋଇଥିବା ଆନ୍ଦୋଳନ ସଫଳ ହେଲା ଓ ଦକ୍ଷିଣ ଆଫ୍ରିକା ସ୍ୱାଧୀନ ହେଲା ।

nis-ad
Leave A Reply

Your email address will not be published.