ଅବ୍ୟବସ୍ଥା ଘେରରେ ଏମଭି ୫୫ ସ୍ୱାସ୍ଥ୍ୟକେନ୍ଦ୍ର : ୧୫ହଜାର ଲୋକଙ୍କ ପାଇଁ ସାହା ଭରସା ମାତ୍ର ଜଣେ ଡାକ୍ତର

ମାଲକାନଗିରି : ମାଲକାନଗିରି ପୋଟେରୁ ଆଖପାଖର ପ୍ରାୟ ୩ଟି ପଞ୍ଚାୟତର ୧୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ଯେକୈଣସି ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ଭରସା ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର। ନା ଏଠି ଆମ୍ବୁଲାନ୍ସ ଅଛି ନା ଅଛନ୍ତି ଆବଶ୍ୟକ ମୁତାବକ କର୍ମଚାରୀ, କେବଳ ଜଣେ ଡାକ୍ତରଙ୍କ ହାତରେ ରହିଛି ୧୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ସ୍ୱାସ୍ଥ୍ୟ ଡୋରି । ଏଭଳି ଏକ ସ୍ଵାସ୍ଥ୍ୟ କେନ୍ଦ୍ର ହେଉଛି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ଏମଭି ୫୫ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିତ୍ରାଙ୍ଗପଲ୍ଲୀ, ବଦିଲି, ଗୁମୁକା ଭଳି ୩ ଟି ପଞ୍ଚାୟତର ୧୫ ହଜାରରୁ ଊର୍ଦ୍ଧ୍ଵ ଲୋକ ନିର୍ଭରଶୀଳ ଥିବା ବେଳେ କେବଳ ଜଣେ ମାତ୍ର ଡାକ୍ତର ରହିଛନ୍ତି । ସେଥିପାଇଁ ସାଧାରଣ ହେଉ କିମ୍ବା ଗୁରୁତର ରୋଗୀ ଆସିଲେ ଏହି ଡାକ୍ତର ଜଣକ ଉପରେ ସମସ୍ତେ ନିର୍ଭରଶୀଳ । ବିଭିନ୍ନ ସମୟରେ ଆହତ ଜନିତ ରୋଗୀଙ୍କ ବ୍ୟଣ୍ଡେଜ କିମ୍ବା ପଟି ବାନ୍ଧିବା କାମ ମଧ୍ୟ ଏହି ଡାକ୍ତର ଜଣକ କରୁଥିବା ଦେଖିବାକୁ ମିଳିଛି।

ଏଥିସହ ଏହି ଡାକ୍ତରଖାନାକୁ ଗୋଟିଏ ଆମ୍ବୁଲାନ୍ସ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ମାସରେ କାଳିପୂଜା ଭସାଣୀ ବେଳେ ନିଆଁ ଲାଗି ଅଚାନକ ୮ ଜଣ ଗୁରୁତର ହୋଇପଡ଼ିଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ସ୍ଥାନାନ୍ତରଣ କରିବାକୁ ପଡିଥିଲା । ଅନ୍ୟପଟେ ପ୍ରତି ମାସ ୧୨ ରୁ ଉର୍ଦ୍ଧ୍ବ ଗର୍ଭବତୀ ଓ ପ୍ରସୂତୀ ମା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ୱାସ୍ଥ୍ୟ ସେବା ପାଉଥିବା ଜଣାପଡୁଥିଲେ ମଧ୍ୟ ଏଠାରେ ଗର୍ଭବତୀ ମାଙ୍କୁ ସ୍ଥାନାନ୍ତର କରିବା କିମ୍ବା ମା ଗୃହର କୌଣଷି ବ୍ୟବସ୍ଥା ନଥିବାରୁ ବିପଦପୂର୍ଣ୍ଣ ତଥା ଶେଷ ଅବସ୍ଥାରେ ଗର୍ଭବତୀଙ୍କୁ ସ୍ଥାନାନ୍ତରଣ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡୁଛି ବୋଲି ଏମଭି ୫୫ ଗ୍ରାମବାସୀ କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଚିତ୍ରାଙ୍ଗପଲ୍ଲୀ ପଞ୍ଚାୟତ ସମେତ ଆଖପାଖ ଇଲାକାର ପଞ୍ଚାୟତବାସୀ ନିର୍ଭରଶୀଳ ଜନସଂଖ୍ୟା ଘନତ୍ଵ ବିଶିଷ୍ଟ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣ ଷ୍ଟାଫ୍ ନର୍ସ, ଜଣେ ଆଟେଣ୍ଡାଣ୍ଟ ସହ ପ୍ରାୟ ୫ ଟି ବେଡ୍ ରହିବାର ଆବଶ୍ୟକ ଥିବା ବେଳେ ମାତ୍ର ୩ଟି ବେଡ୍ ରେ ଏହି ଡାକ୍ତରଖାନା ଚାଲିଥିବା କୁହାଯାଉଛି। ଏ ନେଇ ଗ୍ରାମବାସୀ ବିଭିନ୍ନ ସରକାରୀ ଅଧିକାରୀ ଓ ନେତୃବୃନ୍ଦଙ୍କୁ ଜଣାଉଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସୁବ୍ୟବସ୍ଥା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ କୁହାଯାଉଥିବା ବେଳେ ଏମଭି ୫୫ ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଦେଖିଲେ ଏହା ପାଣିର ଗାର ଭଳି ମନେ ହୁଏ। ଏ ନେଇ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡଃ ଅବିଦ ହୁସେନ୍ ଙ୍କୁ ପଚାରିବାରୁ ସେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆବଶ୍ୟକୀୟ ଷ୍ଟାଫ୍ ଓ ଆମ୍ବୁଲାନ୍ସ ଯୋଗାଇବାକୁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି । ଏପରି ସ୍ଥିତିରେ ଏମଭି ୫୫ ଗ୍ରାମସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସଂଖ୍ୟାର ଘନତ୍ୱକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକ ପରିମାଣ ଷ୍ଟାଫ ଯୋଗାଇବା ସହ ଆମ୍ବୁଲାନ୍ସ ଓ ମା ଗୃହର ବ୍ୟବସ୍ଥା କରିବାକୁ ଏହି ଗ୍ରାମର ସେକ୍ରେଟାରୀ ରଞ୍ଜନ ମଣ୍ଡଲ, ରତନ ମଜୁମଦାର, ଦେବାଶିଷ ବଛାଡ, ପଙ୍କଜ ବୈରାଗୀ, ରଞ୍ଜିତ ମଣ୍ଡଲ ସମେତ ଗ୍ରାମବାସୀ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.