୫୦ ବର୍ଷରେ ପଦାର୍ପଣ କଲେ ସଚିନ

ମୁମ୍ବାଇ : ସଚିନ ଯେତେବେଳେ ଯୁବାବସ୍ଥାରେ ଥିଲେ ସେ ଜଣେ ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ, କିନ୍ତୁ ୧୯୮୭ରେ ଏମ୍‌ଆର୍‌ଏଫ୍‌ ଫାଉଣ୍ଡେସନ୍‌ରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେନିସ୍‌ ଲିଲି ତାଙ୍କର ଏହି ଆଗ୍ରହକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କୁ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଲିଲି ପରାମର୍ଶ ଦେଇଥିଲେ।
ଆନ୍ତର୍ଜାତିକ ପଦାର୍ପଣର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୮୭ରେ ମୁମ୍ବାଇରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ରେ ଏକଦା ସଚିନ୍‌ ଭାରତ ବିପକ୍ଷରେ ପାକିସ୍ତାନ ପାଇଁ କ୍ଷେତ୍ରରକ୍ଷଣ କରିଥିଲେ। ମଧ୍ୟାହ୍‌ଣ ବିରତି ସମୟରେ ଜାଭେଦ ମିଆଁଦାଦ୍‌ ଓ ଅବଦୁଲ କାଦିର ପଡ଼ିଆ ଛାଡ଼ିଥିଲେ। ସେତେବେଳେ ଭ୍ରମଣକାରୀ ଦଳ ପକ୍ଷରୁ କ୍ଷେତ୍ରରକ୍ଷଣ କରିବାକୁ ସଚିନ୍‌ଙ୍କୁ ଅନୁରୋଧ କରାଯାଇଥିଲା।
ଆନ୍ତର୍ଜାତିକ ଦିନିକିଆରେ ୫ ୱିକେଟ୍‌ ସଫଳତା ପାଇବାରେ ମହାନ୍‌ ସ୍ପିନର ସେନ୍‌ ୱର୍ଣ୍ଣଙ୍କୁ ସଚିନ୍‌ ପଛରେ ପକାଇଥିଲେ। ୱର୍ଣ୍ଣ ମାତ୍ର ଥରେ ଏହି ସଫଳତା ପାଇଥିଲା ବେଳେ ସଚିନ୍‌ ଦୁଇଥର ୫ ୱିକେଟ୍‌ ନେଇଛନ୍ତି।
୧୯୮୭ ବିଶ୍ବକପ୍‌ ସମୟରେ ୱାଙ୍ଖ୍‌ଡେରେ ଭାରତ ବନାମ ଜିମ୍ବାୱେ ମ୍ୟାଚ୍‌ରେ ସଚିନ୍‌ ବଲ୍‌ ବଏ ଭୂମିକାରେ ଆସିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିଲା।
ପ୍ରଥମ ବ୍ୟାଟର ଭାବେ ଦିନିକିଆ ଆନ୍ତର୍ଜତିକରେ ଦ୍ବିଶତକ ଅର୍ଜନ କରିଥିଲେ। ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ପ୍ରଥମ ଥର ଏହି ମାଇଲ୍‌ଖୁଣ୍ଟ ଛୁଇଁଥିଲା ବେଳେ ଅପରାଜିତ ୨୦୦ ସ୍କୋର କରିଥିଲେ।
୧୯୯୨ରେ ସଚିନ୍‌ଙ୍କୁ ୧୯ ବର୍ଷ ବୟସ ହୋଇଥିଲା ବେଳେ ୟର୍କସାୟର କାଉଣ୍ଟି କ୍ରିକେଟ କ୍ଲବ୍‌ରେ ଯୋଗଦେଇଥିଲେ। ଏହାଦ୍ବାରା ସେ ସବୁଠୁ କମ୍‌ ବୟସ୍କ ଭାରତୀୟ ଭାବେ ଇଂଲିଶ କାଉଣ୍ଟି କ୍ରିକେଟ୍‌ରେ ଖେଳିବାର ଗୌରବ ଅର୍ଜନ କରିଥିଲେ। ୟର୍କସାୟର ପାଇଁ ସେ ୧୬ ମ୍ୟାଚ୍‌ରୁ ୧୦୭୦ ରନ୍‌ ସଂଗ୍ରହ କରିଥିଲେ।
୧୯୮୯ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ପଦାର୍ପଣ ସମୟରେ ଅଲରାଉଣ୍ଡର କପିଳ ଦେବ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିଲେ।
ବିଶିଷ୍ଟ ସଂଗୀତ ସଂଯୋଜକ ସଚିନ୍‌ ଦେବ ବର୍ମନଙ୍କ ନାମ ଅନୁସାରେ ସଚିନ୍‌ଙ୍କ ନାମକରଣ କରାଯାଇଥିଲା। କାରଣ ସଚିନ୍‌ଙ୍କ ବାପା ପ୍ରଫେସର ରମେଶ ତେନ୍ଦୁଲକର ବର୍ମନଙ୍କ ସଂଗୀତର ଜଣେ ବଡ଼ ପ୍ରଶଂସକ ଥିଲେ।
ସଚିନ୍‌ଙ୍କ ମା’ ରଜନୀ ତେନ୍ଦୁଲକର ପ୍ରଥମ ଥର ପାଇଁ ତାଙ୍କୁ ତାଙ୍କ ବିଦାୟୀ ଟେଷ୍ଟ ମ୍ୟାଚ୍‌ ଖେଳ ଦେଖିଥିଲେ।
ଆଇପିଏଲ୍‌ ୨୦୧୦ରେ ସଚିନ୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ। ୧୫ ମ୍ୟାଚ୍‌ରୁ ସେ ୬୧୮ ରନ୍‌ କରିଥିଲେ।
କ୍ରିକେଟ୍‌ କ୍ୟାରିୟରରେ ସଚିନ୍‌ ସର୍ବଦା ତ୍ରିରଙ୍ଗା ଛପା ହୋଇଥିବା କିଟ୍‌ ବ୍ୟାଗ୍‌ ବ୍ୟବହାର କରୁଥିଲେ।
ସେ ପ୍ରଥମ କ୍ରୀଡ଼ାବିତ୍‌ ଭାବେ ୨୦୧୪ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଗ୍ରହଣ କରିଥିଲେ।
କ୍ରିକେଟ୍‌ ବିଶ୍ବକପ୍‌ରେ ସଚିନ୍‌ ସବୁଠୁ ଅଧିକ ୯ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ସଚିନ୍‌ଙ୍କ ସର୍ବପ୍ରଥମ କାର୍‌ ହେଉଛି ମାରୁତି ୮୦୦। ଋଣ କରି ସେ ଏହି କାର୍‌ କିଣିଥିଲେ। ପରେ ତାଙ୍କର ଦମ୍‌ଦାର କ୍ରିକେଟ୍‌ ପ୍ରଦର୍ଶନ ଯୋଗୁଁ ସେ ପ୍ରତିଷ୍ଠିତ କାର୍‌ କମ୍ପାନି ବିଏମ୍‌ଡବ୍ଲୁର ବ୍ରାଣ୍ଡ ଆମ୍ବାସାଡର ହୋଇଥିଲେ। ପ୍ରଥମ ଆନ୍ତର୍ଜାତିକ ବ୍ୟାଟର ଭାବେ ସେ ତୃତୀୟ ଅମ୍ପାୟାରଙ୍କ ଦ୍ବାରା ରନ୍‌ଆଉଟ୍‌ ଘୋଷିତ ହୋଇଥିଲେ। ୧୯୯୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଡର୍ବାନ୍‌ ଟେଷ୍ଟରେ ଜଣ୍ଟି ରୋଡ୍ସ ତାଙ୍କୁ ରନ୍‌ଆଉଟ୍‌ କରିଥିଲେ। ଘରୋଇ କ୍ରିକେଟ୍‌ରେ ତାଙ୍କର ପଦାର୍ପଣ ସବୁବେଳେ ସ୍ମରଣୀୟ ରହିବ। କାରଣ ରଣଜୀ ଟ୍ରଫି, ଦଲୀପ ଟ୍ରଫି ଓ ଈରାନୀ ଟ୍ରଫି ପଦାର୍ପଣରେ ସେ ଶତକ ଅର୍ଜନ କରିଥିଲେ।
ସଚିନ୍‌ ତାଙ୍କ ବ୍ୟାଟ୍‌କୁ ପାକିସ୍ତାନୀ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କୁ ଉପହାର ଦେଇଥିଲେ। ସେହି ବ୍ୟାଟ୍‌ରେ ଆଫ୍ରିଦି ୧୯୯୬ରେ ଶ୍ରୀଲଙ୍କା ବିପକ୍ଷରେ ୩୭ ବଲ୍‌ରୁ ଦ୍ରୁତତମ ଶତକ ମାରିଥିଲେ। ଏହି କୀର୍ତ୍ତିମାନ ୧୭ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିଥିଲା।
ବାଳକ ଅବସ୍ଥାରେ ତାଙ୍କ ପ୍ରଶିକ୍ଷକ ରମାକାନ୍ତ ଆଚରେକରଙ୍କଠୁ ସେ ମୁଦ୍ରା ଜିତିଥିଲେ। ଯଦି ନେଟ୍ସରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ଅପରାଜିତ ରୁହନ୍ତି, ତାହେଲେ ତାଙ୍କୁ ‌ଗୋଟିଏ ମୁଦ୍ରା ଉପହାର ମିଳିବା ନେଇ ସର୍ତ୍ତ ରହିଥିଲା। ଏହିପରି ଭାବେ ସେ ୧୩ଟି ମୁଦ୍ରା ଜିତିଥିଲେ। ୧୯୯୫ ଅକ୍ଟୋବରରେ ସଚିନ୍‌ ସବୁଠୁ ଧନୀ କ୍ରିକେଟର ହୋଇଯାଇଥିଲେ। ୱର୍ଲ୍ଡ ଟେଲ୍‌ ସହିତ ୩୧.୫ କୋଟି ଟଙ୍କାର ୫ ବର୍ଷିୟା ଚୁକ୍ତି ସ୍ବାକ୍ଷର ପରେ ସେ ଏହି ଉପଲବ୍ଧି ପାଇଥିଲେ।
କନିଷ୍ଠ କ୍ରିକେଟର୍‌ ସମୟରେ ସଚିନ୍‌ ତାଙ୍କ କ୍ରିକେଟ୍‌ ଉପକରଣକୁ ସାଙ୍ଗରେ ନେଇ ଶୋଉଥିଲେ। ସଚିନ୍‌ଙ୍କ ପାଖରେ ଅନେକ ଗୁଡାଏ ପର୍ଫ୍ୟୁମ୍‌ ଓ ଘଣ୍ଟାର ସଂଗ୍ରହ ରହିଛି। ସଚିନ୍‌ ତାଙ୍କ ପ୍ରଥମ ବିଜ୍ଞାପନରେ ଏକ ପ୍ଲାଷ୍ଟରର ପ୍ରମୋସନ୍‌ କରିଥିଲେ।
ପ୍ରଥମ ଥର ସ୍ବାସ୍ଥ୍ୟ ହିତକର ପାନୀୟ ବ୍ରାଣ୍ଡ ‘ବୁଷ୍ଟ’ ପ୍ରତି ସେ ତାଙ୍କର ଅଧିକ ସମର୍ଥନ ଜଣାଇଥିଲେ। ସଚିନ୍‌ଙ୍କ ରଣଜୀ ପଦାର୍ପଣ ବେଳେ ରବି ଶାସ୍ତ୍ରୀ ମୁମ୍ବାଇ ଦଳର ନେତୃତ୍ବ ନେଇଥିଲେ। କ୍ରିକେଟ କ୍ୟାରିୟରରେ ବ୍ୟବହାର କରିଥିବା ଅଧିକାଂଶ ବ୍ୟାଟ୍‌ର ଓଜନ ୩.୨ ପାଉଣ୍ଡ ଥିଲା। ସଚିନ୍‌ଙ୍କ ଜଣେ ନିକଟତମ ବନ୍ଧୁ ତଥା ପୂର୍ବତନ କ୍ରିକେଟର୍‌ ଅତୁଲ ରାନାଡେଙ୍କ ଅନୁସାରେ, ସେ ଛୋଟବେଳେ ବହୁତ ଗାଳିଗୁଲଜ କରୁଥି‌ଲେ, ଯେଉଁଥିପାଇଁ ତାଙ୍କୁ ଅନେକ ଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।
ସଚିନ୍‌ ଏକଦା ସିନେମା ହଲ୍‌ରେ ଫିଲ୍ମ ‘ରୋଜା’ ଦେଖିବାକୁ ଯାଇଥିଲେ। ଲୋକଙ୍କ ନଜରରୁ ଲୁଚିବା ପାଇଁ ନକଲି ଦାଢି ଲଗାଇ ଛଦ୍ମବେଶରେ ଯାଇଥିଲେ। ହେଲେ ଯେତେବେଳେ ତାଙ୍କ ଚଷମା ଖସିଯାଇଥିଲା, ‌ସେତେବେଳେ ହଲ୍‌ ଭିତରେ ସମସ୍ତେ ତାଙ୍କୁ ଚିହ୍ନି ପକାଇଥିଲେ। ଯୁବାବସ୍ଥାରେ ସଚିନ୍‌ ଏକ ରବିବାର ସନ୍ଧ୍ୟାରେ ‌ଗଛରେ ଚଢି ଖେଳୁଥିଲା ବେଳେ ତଳକୁ ଖସିପଡ଼ିଥିଲେ। ସେତେବେଳେ ଗ୍ରୀଷ୍ମ ଛୁଟି ଚାଲିଥିଲା ବେଳେ ତାଙ୍କ ପସନ୍ଦିତା ଧାରାବାହିକ ‘ଗାଇଡ୍‌’ ପ୍ରସାରିତ ହେଉଥିଲା। ତେଣୁ ସଚିନ୍‌ଙ୍କୁ ଦଣ୍ଡ ଦେବା ପାଇଁ ବଡ଼ ଭାଇ ଅଜିତ ତେନ୍ଦୁଲକର ତାଙ୍କୁ କ୍ରିକେଟ୍‌ ପ୍ରଶିକ୍ଷଣ ପାଇଁ ପଠାଉଥିଲେ। ଉତ୍ତର ପୂର୍ବ ମୁମ୍ବାଇର ବାନ୍ଦ୍ରା ଇଷ୍ଟସ୍ଥିତ ସାହିତ୍ୟ ସହବାସଠାରେ ବହୁଥିବା ଏକ ଝରଣାରେ ମାଛ ଧରିବାକୁ ସଚିନ୍‌ ଅ‌ଧିକାଂଶ ସମୟରେ ଯାଉଥିଲେ। ଏହି ସ୍ଥାନରେ ତାଙ୍କର ଯୁବାବସ୍ଥା କଟିଥିଲା।
ଏକ ଟେଲିଭିଜନ୍‌ ସାକ୍ଷାତକାର ସମୟରେ ବଡ଼ା ପାଓକୁ ସଚିନ୍‌ ତାଙ୍କ ପସନ୍ଦିତା ଖାଦ୍ୟ ଭାବେ ଦର୍ଶାଇଥିଲେ। ସଚିନ ପାକିସ୍ତାନ ବିପକ୍ଷ ତାଙ୍କ ପଦାର୍ପଣ ଟେଷ୍ଟରେ ସୁନୀଲ ଗାଭାସ୍କରଙ୍କ ପକ୍ଷରୁ ଉପହାରରେ ମିଳିଥିବା ପ୍ୟାଡ୍‌ ପରିଧାନ କରି ବ୍ୟାଟିଂ କରିଥିଲେ।
ଯୁବାବସ୍ଥାରେ ଟେନିସ୍‌ ତାରକା ଜନ୍‌ ମ୍ୟାକଏନ୍‌ରୋଇଙ୍କର ବଡ଼ ପ୍ରଶଂସକ ଥିଲେ ସଚିନ୍‌। ତେଣୁ ତାଙ୍କ ଭଳି ଲମ୍ବା ଚୁଟି ରଖିବା ସହ ସେଥିରେ ରବର ବାନ୍ଧୁଥିଲେ।
୨୦୦୦ ମସିହା ବେଳକୁ ‘ତେନ୍ଦୁଲକର୍ସ’ ନାମରେ ଦକ୍ଷିଣ ମୁମ୍ବାଇର ଗେଟ୍‌‌ୱେ ଅଫ୍‌ ଇଣ୍ଡିଆ ନିକଟରେ ସଚିନଙ୍କର ଏକ ରେସ୍ତୋରାଁ ରହିଥିଲା। ହେଲେ ସେବେଠାରୁ ତାହା ବନ୍ଦ ପଡ଼ିଛି।
କିଶୋର କୁମାର ଓ ରକ୍‌ ଗ୍ରୁପ୍‌ ଡାୟାର ଷ୍ଟ୍ରେଟ୍‌ସକୁ ଶୁଣିବାକୁ ସଚିନ୍ ଅଧିକ ଭଲପାଆନ୍ତି। ତାଙ୍କୁ ଟେନିସ୍‌ ବଲ୍‌ କ୍ରିକେଟ୍‌ ଖେଳିବାକୁ ବହୁତ ଭଲ ଲାଗେ ଓ ବର୍ଷା ସମୟରେ କାଦୁଅ ହେବାକୁ ସେ ଭଲ ପାଆନ୍ତି। ଏକଦା ସୌରଭ ଗାଙ୍ଗୁଲିଙ୍କ ରୁମ୍‌ ଭିତରେ ସଚିନ୍‌ ପାଣି ପାଇପ୍‌ ଟ୍ୟାପ୍‌ ଖୋଲିଦେଇଥିଲେ। ସୌରଭଙ୍କ ନିଦ ଭାଙ୍ଗିବା ବେଳକୁ ତାଙ୍କର ସମସ୍ତ ଉପକରଣ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ୧୯୯୬ କ୍ରିକେଟ୍‌ ବିଶ୍ବକପ୍‌ ଆରମ୍ଭ ହେବା ବେଳକୁ ସଚିନ୍‌ଙ୍କ ପାଖରେ ବ୍ୟାଟ୍‌ର ବିଜ୍ଞାପନ ନଥିଲା। କିନ୍ତୁ ବିଶ୍ବକପ୍‌ ସରିବା ପରେ ଟାୟର ନିର୍ମାଣକାରୀ କମ୍ପାନି ଏମ୍‌ଆର୍‌ଏଫ୍‌ ତାଙ୍କ ବ୍ୟାଟ୍‌କୁ ସ୍ପନ୍‌ସର କରିଥିଲା।
ସଚିନ୍‌ ବଲିଉଡ୍‌ ଲିଜେଣ୍ଡ ଅମିତାଭ ବଚ୍ଚନଙ୍କ ବଡ଼ ପ୍ରଶଂସକ ଥିଲେ। ଦିୱାର ଓ ଜଞ୍ଜିର ଦେଖିବା ପ‌ରେ ସେ ଅମିତାଭଙ୍କ ଡାଏ ହାର୍ଡ ଫ୍ୟାନ୍‌ ହୋଇଯାଇଥିବା ଏକଦା କହିଥିଲେ। ସଚିନ୍‌ ଏକମାତ୍ର କ୍ରିକେଟର ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।
କୃଷ୍ଣମାଚାରି ଶ୍ରୀକାନ୍ତ, ରବି ଶାସ୍ତ୍ରୀ, ଅଜୟ ଜାଦେଜା, ମହମ୍ମଦ ଆଝାରୁଦ୍ଦିନ୍‌, ଅନିଲ କୁମ୍ବଲେ, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ୍‌, ମହେନ୍ଦ୍ର ସିଂହ ଧୋନି ଓ ବୀରେନ୍ଦ୍ର ସେହବାଗ୍‌ଙ୍କ ଅଧୀନରେ ସଚିନ୍‌ କ୍ରିକେଟ୍‌ ଖେଳିଛନ୍ତି। ୨୦୦୨ରେ ୱିସଡେନ୍‌ ପକ୍ଷରୁ ସଚିନ୍‌ଙ୍କୁ ସାର୍‌ ଡୋନାଲ୍ଡ ବ୍ରାଡମ୍ୟାନ୍‌ଙ୍କ ପଛକୁ ଦ୍ବିତୀୟ ଶ୍ରେଷ୍ଠ କ୍ରିକେଟର୍‌ ଆଖ୍ୟା ଦିଆଯାଇଥିଲା। ସଚିନ ୬ଟି ବିଶ୍ବକପ୍‌ରେ ଖେଳିଛନ୍ତି। ୧୯୯୨ରୁ ୨୦୧୧ ମଧ୍ୟରେ ସେ ବିଶ୍ବକପ୍‌ ଖେଳିଥିଲା ବେଳେ ୨୦୧୧ ବିଶ୍ବକପ୍‌କୁ ଭାରତ ଜିତିବା ଦ୍ବାରା ତାଙ୍କର ସ୍ବପ୍ନ ସାକାର ହୋଇଥିଲା।
ସଚିନ୍‌ଙ୍କ ଜର୍ସି ନମ୍ବର ୧୦ ରହିଥିଲା ବେଳେ ତାଙ୍କ ଅବସର ପରେ ଏହି ନମ୍ବର ସମ୍ବଳିତ ଜର୍ସିକୁ ଶାର୍ଦୁଳ ଠାକୁର ପରିଧାନ କରିଥିଲେ। କିନ୍ତୁ ଅନେକ ସମାଲୋଚନା ପରେ ବିସିସିଆଇ ୨୦୧୭ରେ ୧୦ ନମ୍ବର ଜର୍ସିକୁ ଅବସର ଦେଇଥିଲା।
ଅନ୍ଧବିଶ୍ବାସକୁ ସେ ମାନୁଥିଲା ବେଳେ ବ୍ୟାଟିଂ କରିବାକୁ ଯିବା ପୂର୍ବରୁ ପ୍ରଥମେ ବାମଗୋଡ଼ରେ ପ୍ୟାଡ୍‌ ବାନ୍ଧୁଥିଲେ। ଫିରୋଜଶାହ କୋଟଲାରେ ପାକିସ୍ତାନ ବିପକ୍ଷରେ ଅନିଲ କୁମ୍ବଲେ ନେଇଥିବା ୧୦ ୱିକେଟ୍‌ ସଫଳତା ମ୍ୟାଚ୍‌ରେ ତେନ୍ଦୁଲକର ପ୍ରତ୍ୟେକ ଓଭର ପୂର୍ବରୁ କୁମ୍ବଲେଙ୍କ ଟୋପି ଓ ସ୍ବେଟରକୁ ଅମ୍ପାୟାରଙ୍କୁ‌ ହସ୍ତାନ୍ତର କରୁଥିଲେ। ଯେତେବେଳେ ସଚିନ୍‌ ଏପରି କରୁଥିଲେ, କୁମ୍ବଲେଙ୍କୁ ୱିକେଟ୍‌ ମିଳୁଥିଲା।
ସଚିନ୍‌ ତାଙ୍କ ଡାହାଣ ହାତରେ ବ୍ୟାଟିଂ ଓ ବୋଲିଂ କରୁଥିଲେ, କିନ୍ତୁ ଲେଖିବା ବେଳେ ବାମ ହାତ ବ୍ୟବହାର କରିଥା’ନ୍ତି। ୧୯୯୦ରେ ସଚିନ୍‌ ତାଙ୍କର ପ୍ରଥମ ଟେଷ୍ଟ ଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ଏକ ସାମ୍ପେନ୍‌ ବୋତଲ ମିଳିଥିଲା। କିନ୍ତୁ ତାଙ୍କୁ ୧୮ ବର୍ଷ ‌ବୟସ ହୋଇନଥିବାରୁ ସେ ଏହାକୁ ଖୋଲିପାରିନଥିଲେ। ତେବେ ୧୯୯୮ରେ ଝିଅ ସାରାର ପ୍ରଥମ ଜନ୍ମଦିନ ଅବସରରେ ସଚିନ୍‌ ଉକ୍ତ ବୋତଲକୁ ଖୋଲିଥିଲେ।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସଚିନ୍‌ ସବୁଠୁ ଅଧିକ ୬ଥର ୧୦୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ୧୯୯୭ (୧୦୦୦ ରନ୍‌), ୧୯୯୯ (୧୦୮୮ ରନ୍‌), ୨୦୦୧ (୧୦୦୩ ରନ୍‌), ୨୦୦୨ (୧୩୯୨ ରନ୍‌)‌, ୨୦୦୮ (୧୦୬୩ ରନ୍‌) ଓ ୨୦୧୦ (୧୫୬୨ ରନ୍‌)ରେ ସେ ଏହି କୀର୍ତ୍ତିମାନ ରଚିଥିଲେ।
୨୦୧୦ ସେପ୍ଟେମ୍ବର ୩ ତାରିଖରେ ସଚିନ୍‌ ପ୍ରଥମ କ୍ରୀଡ଼ାବିତ୍‌ ଭାବେ ଭାରତୀୟ ଏୟାରଫୋର୍ସରେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ରୢାଙ୍କରେ ସମ୍ମାନିତ ହୋଇଥିଲେ। ଆନ୍ତର୍ଜାତିକ ଜୀବନରେ ସଚିନ୍‌ ୨୩ଥର ୯୦ ରୁ ୧୦୦ ରନ୍‌ ଭିତରେ ଆଉଟ୍‌ ହୋଇଥିଲେ। ଏପରିକି ଦିନିକିଆରେ ସେ ତିନିଥର ୯୯ ରନ୍‌ରେ ଆଉଟ୍‌ ହୋଇଥିଲେ।

nis-ad
Leave A Reply

Your email address will not be published.