ସୁଦାନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ‘ଅପରେସନ୍ କାବେରୀ’

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ବର୍ତ୍ତମାନ ଗୃହଯୁଦ୍ଧ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ସୁଦାନରେ ଫସି ରହିଥିବା ପ୍ରାୟ ୪ହଜାର ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଆରମ୍ଭ କରିଛନ୍ତି। ଏହି ଅପରେସନ ଅଧିନରେ ଭାରତୀମାନେ ଭାରତ ଫେରିବେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ସୁଦାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ‘ଅପରେସନ୍ କାବେରୀ’ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ପ୍ରାୟ ୫୦୦ଭାରତୀୟ ପୋର୍ଟ ସୁଦାନ ସହରରେ ପହଞ୍ଚିଛନ୍ତି।
ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ସୁଦାନରେ ଫସି ରହିଥିବା ଆମ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ କାବେରୀ ଆରମ୍ଭ ହୋଇଛି। ପ୍ରାୟ ୫୦୦ଜଣ ଭାରତୀୟ ପୋର୍ଟ ସୁଦାନ ସହରରେ ପହଞ୍ଚିଛନ୍ତି। ଆହୁରି ଅଧିକ ଭାରତୀୟ ରାସ୍ତାରେ ଅଛନ୍ତି। ଆମର ଜାହାଜ ଏବଂ ବିମାନ ସେମାନଙ୍କୁ ନିରାପଦରେ ଘରକୁ ଫେରାଇ ଆଣିବାକୁ ପ୍ରସ୍ତୁତ। ସୁଦାନରେ ଥିବା ଆମର ସମସ୍ତ ଭାଇଭଉଣୀଙ୍କୁ ସାହାଯ୍ୟ କରିବାକୁ ଭାରତ ପ୍ରତିବଦ୍ଧ।
ତେବେ ବାୟୁସେନାର ଦୁଇଟି ସି-୧୩୦ ବିମାନ ଓ ନୌସେନା ଜାହାଜ ଆଇଏନ୍‌ଏସ୍ ସୁମେଧା ସୁଦାନରେ ପହଞ୍ଚିସାରିଛି। ବାୟୁସେନା ଜାହାଜ ସାଉଦି ଆରବର ଜେଦ୍ଦାଠାରେ ମୁତୟନ ଥିବାବେଳେ ଆଇଏନ୍‌ଏସ୍ ସୁମେଧା ସୁଦାନ ବନ୍ଦରରେ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ, ସୁଦାନରେ ସେନା ଓ ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ (ଆର୍‌ଏସ୍‌ଏଫ୍‌) ମଧ୍ୟରେ କ୍ଷମତା ଦଖଲକୁ ନେଇ କିଛିଦିନ ହେଲା ଭୟଙ୍କର ଗୃହଯୁଦ୍ଧ ଚାଲିଛି। ଏକଚ୍ଛତ୍ରବାଦୀ ଶାସକ ଓମର ଅଲ୍-ବାସିରଙ୍କ ପତନର ଚାରିବର୍ଷ ପରେ ଏବଂ ସେନା ବିଦ୍ରୋହ ଦ୍ବାରା ସରକାର ପତନର ଦୁଇବର୍ଷ ପରେ ନୂଆ ନାଗରିକ ସରକାର ଗଠନ ପାଇଁ ସହମତି ପ୍ରକାଶ ପାଇ ନ ପାରିବାରୁ ଏପରି ହିଂସା ଦେଖାଦେଇଛି।

nis-ad
Leave A Reply

Your email address will not be published.