ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏବେ ଶିବସେନା କହିଛି ଯେ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ।
ଶିବସେନାର ବରିଷ୍ଠ ନେତା ସଞ୍ଜୟ ସରସତ୍ ଏକ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦେଇ କହିଛନ୍ତି, ‘‘ନଭେମ୍ବର ୨୦ରେ ଏକନାଥ ସିନ୍ଦେଙ୍କ ନାମରେ ବିଧାନସଭା ନିର୍ବାଚନ ଲଢ଼େଇ ହୋଇଛି। ସେ ମୁଖ୍ୟମନ୍ତ୍ରୀ ପଦକୁ ଫେରିବାର ଯୋଗ୍ୟ। ସେ କେବେ ବି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ।’’
ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ବିଜେପି ଆମର ଦାବି ପୂରଣ କରେ (ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ), ଲୋକଙ୍କ ପାଖକୁ ଏକ ଭଲ ବାର୍ତ୍ତା ଯିବ। ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲେ ଭବିଷ୍ୟତ ନିର୍ବାଚନ ଆମ ପାଇଁ ଲାଭଦାୟକ ହେବ।”
ମହାରାଷ୍ଟ୍ରରେ ପରବର୍ତ୍ତୀ ସରକାର ଗଠନର ରୂପରେଖ ନେଇ ମହାୟୁତିରେ ଏବେ ମନ୍ଥନ ଜାରି ରହିଛି। ବିଜେପିର ଶୀର୍ଷ ନେତୃତ୍ବ ଦେବେନ୍ଦ୍ର ଫଡ଼ନାବିସ୍ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶିବସେନା ଓ ଏନ୍ସିପିକୁ ସ୍ପଷ୍ଟ ସଙ୍କେତ ଦେଇଥିବା ବେଳେ ଗତକାଲି ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।
ଗତକାଲି ପୂର୍ବାହ୍ନରେ ମୁମ୍ବାଇ ରାଜଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସିନ୍ଦେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ନ ହେବା ପର୍ଯ୍ୟନ୍ତ ସିନ୍ଦେଙ୍କୁ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବାକୁ ରାଜ୍ୟପାଳ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଫଡ଼ନାବିସ ଆଲୋଚନା କରିଥିବା ବେଳେ ଆର୍ଏସ୍ଏସ୍ ମଧ୍ୟ ଫଡ଼ନାବିସ୍ଙ୍କ ସପକ୍ଷରେ ଦୃଢ଼ମତ ରଖିଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଫଡ଼ନାବିସ୍ ସବୁଠାରୁ ଆଗରେ ଥିବା ବେଳେ ସେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।