ଗୁଡ୍ଡୁ ମୁସଲିମ ପାଇଁ ପଶ୍ଚିମ ଓଡ଼ିଶାରେ ୟୁପି ପୁଲିସ

ସମ୍ବଲପୁର: ଉତ୍ତରପ୍ରଦେଶ ପୁଲିସର ଏସଟିଏଫ କୁଖ୍ୟାତ ଅପରାଧି ଗୁଡ୍ଡୁ ମୁସଲିମକୁ ଖୋଜି ଖୋଜି ଇତି ମଧ୍ୟରେ ଓଡ଼ିଶାରେ ପହଞ୍ଚି ସାରିଛି। ଏହି କ୍ରମରେ ୟୁପି ଏସଟିଏଫ ପଶ୍ଚିମ ଓଡ଼ିଶାର ବରଗଡ ଆସିବା ବିଷୟରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର ସୂଚନା ଦେଇଛନ୍ତି। ଏ ସର୍ମ୍ପକରେ ସେ କହିଛନ୍ତି ଯେ, ୟୁପି ଏସଟିଏଫ ବରଗଡ ଆସି ସ୍ଥାନୀୟ ପୁଲିସର ସହାୟତା ନେଇଥିଲା। ଏଥିସହ ସେମାନେ ଗୁଡ୍ଡୁ ମୁସଲିମ ସମ୍ପର୍କରେ ଭେରିଫିକେସନ ପାଇଁ ଆସିଥିବା ବେଳେ ସେମାନେ ତାଙ୍କର ଯାଞ୍ଚ ସହିତ ଜଣେ ବ୍ୟକ୍ତିଙ୍କୁ ଜେରା କରି ଫେରି ଯାଇଛନ୍ତି। ସେମାନେ ଓଡ଼ିଶା ପୁଲିସକୁ ଆଇନ ଅନୁଯାୟୀ ସହାୟତା ମାଗିଥିଲେ ଏବଂ ଆମେ ସହାୟତା ଯୋଗାଇ ଦେଇଛୁ। ଏହି ପ୍ରସଙ୍ଗରେ କାହାରିକୁ ଗିରଫ କରାଯାଇ ନାହିଁ ବୋଲି ପୁଲିସ ଆଇଜି ଡ. ଦୀପକ କୁମାର ସମ୍ବଲପୁରରେ ଗଣମାଧ୍ୟମକୁ କହିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବରୁ ଅନେକ ମାଫିଆ ଓଡ଼ିଶାରେ ଆତ୍ମଗୋପନ କରିଥିବାର ନଜିର ରହିଛି। ତେବେ ଉତ୍ତରପ୍ରଦେଶର ମୃତ ମାଫିଆ ଅତିକ ଅହମ୍ମଦର ପ୍ରମୁଖ ସହଯୋଗୀ ତଥା କୁଖ୍ୟାତ ଅପରାଧି ଗୁଡ୍ଡୁ ମୁସଲିମ ଓଡ଼ିଶାର ପୁରୀରେ ଆତ୍ମଗୋପନ କରିଥିବା ଜାଣି ୟୁପି ପୁଲିସର ଏସଟିଏଫ ଓଡ଼ିଶାରେ ଆସି ପହଞ୍ଚିଛି। ଗୁଡ୍ଡୁର ମୋବାଇଲ ଫୋନ ଟ୍ରାକିଂ କରିବା ପରେ ଏସଟିଏଫ ପୁରୀରେ ପହଞ୍ଚିଥିବା ବେଳେ ପୁରୀରୁ ସେ ଖସିଯିବା ପରେ ଭୁବନେଶ୍ୱର କିମ୍ବା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଆତ୍ମଗୋପନ କରିଥିବା ସନ୍ଦେହ ପ୍ରକାଶ ପାଇଛି। ଇତି ମଧ୍ୟରେ ବରଗଡ ଜିଲାରେ ୟୁପି ଏସଟିଏଫ ଆସିବା ଓ କିଛି ବ୍ୟକ୍ତିଙ୍କୁ ଜେରା କରିଯିବା ଘଟଣା ସାରା ପଶ୍ଚିମଓଡ଼ିଶାରେ ଚହଳ ସୃଷ୍ଟି କରିଛି। ଅପରପକ୍ଷେ ଓଡ଼ିଶାକୁ ଅନେକ ସମୟରେ ଦେଶର ବିଭିନ୍ନ ସ୍ଥାନର କୁଖ୍ୟାତ ଅପରାଧି ପଶି ଆସିବା ଏବଂ ପୁଣି ଫେରାର ହୋଇଯିବାର ଅନେକ ନଜିର ରହିଥିବା ବେଳେ ଏ ପର୍ଯ୍ୟନ୍ତ ଗୁଇନ୍ଦା ବିଭାଗକୁ କିଛି ଜଣା ନ ପଡ଼ିବା ସରକାରଙ୍କ ଗୁଇନ୍ଦା ବ୍ୟବସ୍ଥା ଉପରେ ଏକ ବିରାଟ ପ୍ରଶ୍ନବାଚୀ ଉଠାଇଛି।

nis-ad
Leave A Reply

Your email address will not be published.