ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା ସିଲ୍: ଅନିର୍ଦ୍ଧିଷ୍ଟ କାଳପାଇଁ କର୍ଫ୍ୟୁ…

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଏନେଇ ଏସପି ବି ଗଙ୍ଗାଧର ସୂଚନା ଦେଇଛନ୍ତି। ଏଣେ ସ୍ଥିତିକୁ ଦେଖି ଅଧିକସଂଖ୍ୟକ ପୁଲିସ ଫୋର୍ସ ମୁତୟନ କରାଯାଇଛି। କର୍ଫ୍ୟୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
ଏଣେ ଆଉ ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଣି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ନେଇ ଗତକାଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ମଧ୍ୟରାତ୍ରିରୁ ସମ୍ବଲପୁରରେ କର୍ଫ୍ୟୁ ଘୋଷଣା କରାଯାଇଛି। ରାତି ୧୨ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି। ଗତ ୧୨ ତାରିଖ ସନ୍ଧ୍ୟାରେ ଘଟିଥିବା ହିଂସାକାଣ୍ଡ ପରେ ସରକାରଙ୍କ ପକ୍ଷରୁ ସତର୍କତା ପଦକ୍ଷେପ ସ୍ବରୂପ ୧୪୪ ଧାରା ଜାରି କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୧୩ ତାରିଖ ସକାଳ ୧୦ଟାରୁ ସମ୍ବଲପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ୍ ସେବା ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା। ଏସବୁ ସତ୍ତ୍ବେ ସମ୍ବଲପୁରରେ ହିଂସା ଥମିନାହିଁ। ଅରାଜକତା ସୃଷ୍ଟି ହୋଇଛି। ବ୍ୟାପକ ଜଳାପୋଡ଼ା ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି।

ତେବେ ସକାଳ ୮ଟାରୁ ୧୦ଟା ଯାଏଁ ଏବଂ ଅପରାହ୍ଣ ସାଢେ ୩ଟାରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଜରୁରୀ କାମର ବାହାରକୁ ବାହାରିପାରିବେ ଲୋକେ। କର୍ଫ୍ୟୁ ସମୟରେ ଡାକ୍ତରଖାନା, ଔଷଧ ଦୋକାନ ଭଳି ଆତ୍ୟାବଶ୍ୟକ ସେବା ବ୍ୟତୀତ ସବୁ କିଛି ବନ୍ଦ ରହିବ। ଏପରି କି ବସ ଚଳାଚଳ ବନ୍ଦ ରହିବ। ସେହିପରି ଟ୍ରେନ ଯାତ୍ରୀ କଟକଣା କୋହଳ ସମୟରେ ଷ୍ଟେସନକୁ ଯାଇପାରିବେ, ଅନ୍ୟସମୟରେ ସହର ଭିତର ଦେଇଯାଇପାରିବେ ନାହିଁ। ସେପଟେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୪ ଘଂଟିଆ ହେଲପଲାଇନ ନମ୍ବର ଜାରି କରାଯାଇଛି । ହେଲପ ଲାଇନ ନଂବର ହେଉଛି ୭୬୫୫୮୦୦୭୬୦। ଅନ୍ୟପଟେ ସମ୍ବଲପୁର ସହରର ୬ଟ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି ଥାନା ଓ ସଦର ଥାନା ଅଞ୍ଚଳରେ କର୍ଫ୍ୟୁ କଟକଣା ଜାରି ରହିବ। ସ୍ଥିତିରେ ସୁଧାର ନ ଆସିବା ଯାଏଁ କର୍ଫ୍ୟୁ ଜାରି ରହିବ। ସାଧାରଣ ଜନତା, କୌଣସି ବ୍ୟକ୍ତି ବିଶେଷ ଘରୁ ନ ବାହାରିବା ପାଇଁ ପ୍ରଶାସନ ତାଗିଦ କରିଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାମ ପାଇଁ ଦିନକୁ ଦୁଇଥର କଟକଣା କୋହଳ ହେବ।

nis-ad
Leave A Reply

Your email address will not be published.