ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଓୟୁଏଟିର ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ୪ ଡିଗ୍ରି ଅଧିକ ରହୁଛି। ଯାହା ଫସଲକୁ ପ୍ରଭାବିତ କରିବା ନେଇ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ୧୩ରୁ ଆସନ୍ତା ୨୦ ତାରିଖ ସୁଦ୍ଧା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଚାଷୀମାନେ ୦୬୭୪-୨୩୯୭୯୩୩ ନମ୍ବରରେ ଫସଲରେ ଖରା ଜନିତ ସମସ୍ୟା ସମ୍ପର୍କରେ ପଚାରି ପାରିବେ। ୨ ଜଣ କୃଷି ବୈଜ୍ଞାନିକ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେବେ ବୋଲି ସୂଚନା ଦେଇଛନ୍ତି ଓୟୁଏଟି କୁଳପତି ପ୍ରଭାତ ରାଉଳ।

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଓୟୁଏଟି ବିଭିନ୍ନ ପ୍ରକାର ପରାମର୍ଶ ଦେଇଛି। ଅତ୍ୟଧିକ ଉତ୍ତାପରୁ ଫସଲକୁ ରକ୍ଷା ପାଇଁ ଧାନ, ଆଖୁ, ଚିନାବାଦାମ, ମକା ଆଦି ଫସଲରେ ଅଧିକ ଜଳ ସେଚନ କରାଯିବା, ପରିବା ଫସଲରେ ଜଳସଂରକ୍ଷଣ ପାଇଁ ପାଣି ସିଞ୍ଚନ କରାଯିବ ଆଦି ପ୍ରମୁଖ। ଏଥିପାଇଁ ନଡ଼ା, ଶୁଖିଲା ପତ୍ର, କରତକଳ ଗୁଣ୍ଡ ଆଦି ବ୍ୟବହାର, ଉପଲବ୍ଧ ପାଣିର ସୁବିନିଯୋଗ ପାଇଁ ସ୍ପ୍ରିଙ୍କଲର, ବୁନ୍ଦା ଜଳସେଚନ ଅଧିକ ବ୍ୟବହାର, ଜଳ ଅପଚୟ ରୋକିବା ପାଇଁ ଚାଷ କିଆରିରେ ହିଡ଼ ସୁଦୃଢ଼ୀକରଣ ସହିତ ଗାତ ବନ୍ଦ କରିବା, ଫସଲରେ ଅନାବନା ଘାସ ବାଛି ଦିଆଯିବା ପାଇଁ ପରାମର୍ଶ ଦିଆଯାଇଛି।

ଖରା ଯୋଗୁଁ ଡାଲିଜାତୀୟ ଫସଲ, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦି ଫସଲରେ ପତ୍ର ଉଙ୍କୁଣି ସମସ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି। ପରିବା ଫସଲରେ ଅଷ୍ଟପଦୀ ପୋକର ସଂକ୍ରମଣ ଦୂର ପାଇଁ ୪୦୦ ମିଲି ପ୍ରୋପାରଜାଇଟ ୫୭ ଇସି କିମ୍ବା ୨୦୦ ମିଲି ସ୍ପାଇରୋମେସିଫେନ କୀଟନାଶକ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରିବା ପାଇଁ କୁହାଯାଇଛି। ଅତ୍ୟଧିକ ଟାଣଖରା ସମୟରେ କୃଷିକାର୍ଯ୍ୟ ଓ ବିକ୍ରିବଟା ସାମୟିକ ସ୍ଥଗିତ କରାଯିବା ପାଇଁ ଓୟୁଏଟି ପରାମର୍ଶ ଦେଇଛି।

nis-ad
Leave A Reply

Your email address will not be published.