୧୫ରେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ, ଛୁଟି ରହିବ ସବୁ ଅଦାଲତ

କଟକ : ଏପ୍ରିଲ ୧୫ରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଅନୁଷ୍ଠିତ ହେବ। ‌୩୦ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୭ଟି ବୁଥ୍‌ରେ ଭୋଟ ଗ୍ରହଣ ହେବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ୩୪ହଜାର ୯୦୮ଜଣ ଆଇନଜୀବୀ ମତ ଅଧିକାର ସାବ୍ୟସ୍ତ କରିବେ। କଟକରେ ୭ ହଜାର ୩୯୯ଜଣ ଓ ଭୁବନେଶ୍ବରରେ ୪ ହଜାର ୧୪୫ଜଣ ଆଇନଜୀବୀ ମତଦାନ କରିବେ। ଏହି ନିର୍ବାଚନ ପାଇଁ ଏପ୍ରିଲ ୧୫ ଦିନ ହାଇକୋର୍ଟ ଓ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଛୁଟି ରହିବ।

ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ପୁଲିଂ ଅଫିସର ଭାବେ ବିଚାରବିଭାଗୀୟ ମାଜିଷ୍ଟ୍ରେଟମାନେ ଦାୟିତ୍ବ ନିର୍ବାହ କରିବେ। ଏଥି ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଏହି ନିର୍ବାଚନରେ ପ୍ରିଫରେନ୍ସିଆଲ ଭୋଟିଂ ବ୍ୟବସ୍ଥା ରହିଥିବା ବେଳେ ୨୫ଜଣ ସଦସ୍ୟଙ୍କୁ ମତଦାତାମାନେ ନିର୍ବାଚିତ କରିବେ। ଜଣେ ମତଦାତା ଅତି କମରେ ୫ଟି ପ୍ରିଫରେନ୍ସ ପ୍ରସଂଗରେ ବାଲଟ ପେପରରେ ଉଲ୍ଲେଖ କରିବେ। ସେଭଳି ହୋଇ ନଥିଲେ ସଂପୃକ୍ତ ବାଲଟ ପେ‌ପର ଖାରଜ ହେବାର ସମ୍ଭାବନା ରହିଛି ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମତଦାନ ସମୟରେ ପାଳନ କରାଯିବାକୁ ଥିବା ନିୟମ ସଂକ୍ରାନ୍ତରେ ବିଭିନ୍ନ ବାର୍ ଆସୋସିଏସନକୁ ଅବଗତ କରାଯାଇଛି। ପୁଲିଂ ବୁଥ ଭିତରକୁ ଆଇନଜୀବୀମାନେ ମୋବାଇଲ ଫୋନ, କ୍ୟାମେରା, ଇଲେକ୍ଟ୍ରୋନିକ ସାମଗ୍ରୀ ଇତ୍ୟାଦି ନେଇ ପାରିବେ ନାହିଁ ବୋଲି ନିୟମ କରାଯାଇଛି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ସେହିଭଳି ଭାବେ ଆଇନଜୀବୀ ବାସୁଦେବ ପୂଜାରୀ ଓ ପ୍ରଫୁଲ୍ଲ କୁମାର ରଥ ସହକାରୀ ରିଟର୍ଣ୍ଣିଂ ଅଫିସର ଭାବେ ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିଛନ୍ତି।

nis-ad
Leave A Reply

Your email address will not be published.