କଣମଣା ପଞ୍ଚାୟତ ପ୍ରାର୍ଥୀଙ୍କ ଯାଞ୍ଚ ତାଲିକାରେ ତାଳମେଳ ରହୁନି ; ତଦନ୍ତ ଦାବି

ୱାର୍ଡ ସଭ୍ୟ ନାମାଙ୍କନ ଦାଖଲ ନେଇ ବିବାଦ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବ୍ଲକରେ ଖାଲି ପଡିଥିବା ୪ ଟି ସରପଂଚ, ଜଣେ ସମିତିସଭ୍ୟ ଓ ୩୭୯ ଟି ୱାର୍ଡ ସଭ୍ୟ ପଦବୀ ପାଇଁ ଆସନ୍ତା ମେ ୨ ତାରିଖରେ ଉପନିର୍ବାଚନ ରହିଥିବା ବେଳେ ଗତ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ଓ ଗତ ୧୦ ତାରିଖରେ ନାମାଙ୍କନ ପତ୍ର ଯାଂଚ କାର୍ଯ୍ୟକ୍ରମ ଶେଷ ହୋଇଛି । ହେଲେ, ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମ ପଂଚାୟତର ୯ ନମ୍ବର ୱାର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ନାମାଙ୍କନ ପତ୍ରର ସମୟସୀମା ସରିବା ପରେ ମଧ୍ୟ ଜଣେ ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିବା ଏବେ କଣମଣା ପଂଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ସୋମବାର ୱାର୍ଡ ମେମ୍ବର ପ୍ରାର୍ଥିନୀ ସୁରେଖା ପ୍ରଧାନ ବ୍ଲକରେ ଅଭିଯୋଗ କରିଛନ୍ତି । ଏହାର ଉଚିତ୍ ତଦନ୍ତ କରି ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଦାବି କରିଛନ୍ତି । ଆସନ୍ତା ମେ ୨ ତାରିଖରେ ୯ ନମ୍ବର ୱାର୍ଡ ରେ ଉପନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେବ । ନିର୍ବାଚନ ନିୟମ ଅନୁଯାୟୀ ଗତ ୪ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଦିନ ୧୧ ଟାରୁ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ପଂଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିବାର ନିୟମ ରହିଥିଲା । ଉକ୍ତ ୱାର୍ଡ ନିମନ୍ତେ ଦୁଇ ଜଣ ପ୍ରାର୍ଥୀନୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ନିର୍ବାଚନ ଅଧିକାରୀ ତଥା ପିଇଓ ଡକ୍ଟର ସେଠୀ ସୂଚନା ଦେଇଥିଲେ । କିନ୍ତୁ, ଗ୍ରାମ ପଂଚାୟତ କାର୍ଯ୍ୟାଳୟ କାନ୍ଥରେ ମରାଯାଇଥିବା ତାଲିକାରେ ୯ ନମ୍ବର ୱାର୍ଡ ନିମନ୍ତେ ୩ ଜଣ ପ୍ରାର୍ଥିନୀଙ୍କ ନାମ ଉଲ୍ଲେଖ କରାଯାଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆହୁରି ପରିତାପର ବିଷୟ ଏହା ଯେ, ପଂଚାୟତ କାର୍ଯ୍ୟାଳୟ କାନ୍ଥରେ ମରାଯାଇଥିବା ଏହି ତାଲିକାରେ ନିର୍ବାଚନ ଅଧିକାରୀଙ୍କ ଦସ୍ତଖତ ହୋଇନାହିଁ । ତେବେ ଏହି ତାଲିକା ଅସଲି କି ନକଲି ତାହା ପଂଚାୟତବାସୀଙ୍କୁ ଦ୍ୱନ୍ଦରେ ପକାଇଛି । ଜିଲ୍ଲା ପଂଚାୟତ ଅଧିକାରୀ ଗତ ୬ ତାରିଖ ଦିନ ଉକ୍ତ ୱାର୍ଡ ନିମନ୍ତେ ଦୁଇ ଜଣ ପ୍ରାର୍ଥିନୀ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ପ୍ରକାଶ କରିଥିବା ବେଳେ ଅନ୍ୟପଟେ ଆଜି ପଂଚାୟତ କାର୍ଯ୍ୟାଳୟ କାନ୍ଥରେ ପ୍ରକାଶ ପାଇଥିବା ୩ ଜଣ ପ୍ରାର୍ଥିନୀଙ୍କ ନାମ କୁ ନେଇ କୌଣସି ତାଳମେଳ ରହୁନଥିବା ଦେଖାଦେଇଛି । ଏହି ଘଟଣାକୁ ପୂର୍ବରୁ ବିଡିଓ ସୁଶାନ୍ତ କୁମାର ବରାଳ ତଦନ୍ତ କରାଯିବ ବୋଲି କହିଥିବା ବେଳେ ଅଭିଯୋଗକାରୀ ସୁରେଖା ପ୍ରଧାନ ମଙ୍ଗଳବାର ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ ଭେଟି ଜଣାଇଛନ୍ତି । ଏହା ସହିତ ରାଜ୍ୟ ନିର୍ବାଚନ ଅଧିକାରୀ, ୫ଟି ସଚିବ, ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.