ଅତ୍ୟାବଶ୍ୟକ ଔଷଧର ବର୍ଦ୍ଧିତ ଦର ପ୍ରତ୍ୟାହାର ସମେତ ଦଶ ଦଫା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ବ୍ରହ୍ମପୁର : ଦେଶରେ ଉତ୍କଟ ଦରିଦ୍ରତା ଓ ଅଭାବ ଜନିତ ସମସ୍ୟାର ସମାଧାନପାଇଁ କୌଣସି ପଦକ୍ଷେପ ନିଆନଯାଇ ବରଂ ନିତ୍ୟବ୍ୟବହାର୍ଯ୍ୟ ଜରୁରୀ ସାମଗ୍ରୀ ଗୁଡିକର ଦରଦାମ ଦିନକୁ ଦିନ ବୃଦ୍ଧି କରାଯାଉଛି l ଏହି ପର୍ଯ୍ୟାୟରେ ଅତ୍ୟାବଶ୍ୟକ ଔଷଧର ଦର ବୃଦ୍ଧି ବିରୁଦ୍ଧରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମକୁ କର୍ପୋରେଟ କମ୍ପାନୀର ମୁନାଫା ପାଇଁ ଆକାଶଛୁଆଁ ଭାବେ ବୃଦ୍ଧି କରାଯାଉଥିବା ବେଳେ ଅତ୍ୟାବଶ୍ୟକ ଔଷଧ ମଧ୍ୟ ଏଥିରୁ ବର୍ତ୍ତୀ ନାହିଁ l ଡାଇବେଟିସ, ଆଣ୍ଟିଵlୟୋଟିକ, ଅଣସଂକ୍ରମଣ, କ୍ୟାନସର, ଶ୍ୱାସ ଜନିତ ଆଦି ଔଷଧ ଓ ମେଡିକାଲ ଡିଭାଇସ ଆଦି 800ପ୍ରକାର ଔଷଧକୁ 12.12ପ୍ରତିଶତ ଦରବୃଦ୍ଧି କରାଯିବାକୁ ଜାତୀୟ ଫାର୍ମାମୂଲ୍ୟ କତୃପକ୍ଷ ନିଷ୍ପତ୍ତି ନେଇଛି l ବିଡମ୍ବନାର କଥା ଯେ, ଅତ୍ୟାବଶ୍ୟକ ଔଷଧର ଜାତୀୟ ତାଲିକା ଗୁଡିକର ଦାମ ପାଇକାରୀ ମୂଲ୍ୟସୂଚୀ ଅନୁସାରେ ବୃଦ୍ଧି କରାଯିବାକୁ ସମଗ୍ର ଦେଶରେ ବିରୋଧ ହୋଇଛି l ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ଓ ଔଷଧ ଯୋଗାଇବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରାଥମିକ କାର୍ଯ୍ୟ l ଔଷଧ ବା ଚିକିତ୍ସା ବିନା କାହାର ଅକାଳ ମୃତ୍ୟୁ ଗଣତନ୍ତ୍ର ପାଇଁ ଲଜ୍ଜା ଜନକ l

ସମସ୍ତଙ୍କୁ ମାଗଣା ଔଷଧ ଓ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବଜେଟରେ ଜିଡିପି ର ଛଅ ପ୍ରତିଶତ ବୃଦ୍ଧି କରିବା ପାଇଁ ଦାବୀ ହେଉଥିବା ବେଳେ କେନ୍ଦ୍ର ସରକାର ଅନ୍ୟାୟ ଭାବେ ଅତ୍ୟାବଶ୍ୟକ ଔଷଧର ଦରଦାମ 12.12ପ୍ରତିଶତ ବୃଦ୍ଧି କରିଛନ୍ତି l ସାଧାରଣ ଜନତା ବର୍ଦ୍ଧିତ ଚିକିତ୍ସା ଖର୍ଚ୍ଚ ରେ ଜର୍ଜରିତ ହୋଇପଡି ଅନେକେ ଋଣଗ୍ରସ୍ତ ହେବାସହ ନିଜର ଜମି, ଗହଣା ସବୁ କିଛି ହରାଇ ବସନ୍ତି ଓ ବହୁ ଗରିବ ସାଧାରଣ ଜନତା ଚିକିତ୍ସା ନପାଇ ଅକାଳ ମୃତ୍ୟୁର ଶିକାର ହୁଅନ୍ତି l ଗଣତାନ୍ତ୍ରିକ ରାଷ୍ଟ୍ରରେ ଟଙ୍କା ଅଭାବରୁ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡିବା ଅତ୍ୟନ୍ତ ସମ୍ବେଦନମୂଳକ l ତୁରନ୍ତ ଜରୁରୀ ଆବଶ୍ୟକୀୟ ଚିକିତ୍ସା ଖର୍ଚ୍ଚକୁ ଯଥେଷ୍ଟ ମାତ୍ରାରେ କୋହଳ କରିବା ପାଇଁ ଅତ୍ୟାବଶ୍ୟକ ଔଷଧର ଦରଦାମ ଯଥେଷ୍ଟ ମାତ୍ରାରେ କମ କରି ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରିବାପାଇଁ ଦାବିକରି ପ୍ରଧାନମନ୍ତ୍ରୀଙ୍କ ଉଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ସହ ଏମକେସିଜି ମେଡିକାଲରେ ବର୍ଣ କେୟାର ୟୁନିଟ ସ୍ଥାପନ, ପ୍ରତି ବିଭାଗରେ ବରିଷ୍ଠ ଡାକ୍ତର ନିୟୋଜିତ,ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ,ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ବରିଷ୍ଠ ଡାକ୍ତରଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ, ନ୍ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗରେ ଇଣ୍ଡୋର ବିଭାଗ ଖୋଲିବା, ନିରାମୟରେ ଉତ୍ତମ ଗୁଣ ଯୁକ୍ତ ସମସ୍ତ ଔଷଧ ଯୋଗାଇବା, ନିରାମୟ ଔଷଧ କାଉଣ୍ଟରକୁ ସନ୍ଧ୍ୟା ଛଅ ଘଣ୍ଟା ପର୍ଯ୍ୟନ୍ତ ଖୋଲିବା, ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଯୋଗାଇବା, ରୋଗୀଙ୍କ ସୁବିଧା ପାଇଁ ନୂଆ ବସଷ୍ଟାଣ୍ଡ ସମ୍ମୁଖସ୍ତ ମେଡିକାଲ ଦ୍ୱିତୀୟ ଗେଟ ଖୋଲିବା, ପାର୍କିଂ ଫି ଆଦାୟ ବନ୍ଦ କରିବା ଆଦି 10ଦଫା ଦାବିନେଇ ପୃଥକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ପ୍ରଦାନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଙ୍କ ସହ ବରିଷ୍ଠ ସାମ୍ବାଦିକ ରବି ରଥ, ବଂଶୀଧର ଭୂୟାଁ,ମାଗୁଣି ନାହାକ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମନୋଜ କୁମାର ତରାଇ, ଗଗନ ଚନ୍ଦ୍ର ମଲ୍ଲିକ, ଏସ. ଶାମ୍ବାଶିବ ରାଓ,ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ,ହୃଷିକେଶ ପାତ୍ର,ସୁରେନ୍ଦ୍ର ନାଥ ପଣ୍ଡା,କେ. ଶ୍ରୀନିବାସ ରାଓ,ରବୀନ୍ଦ୍ର କୁମାର ନାୟକ,ସନ୍ତୋଷ କୁମାର ପାତ୍ର, ଗୌରୀ ଶଙ୍କର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରି ଦାବୀ ଉପସ୍ଥାପନ କରିଥିଲେ l

nis-ad
Leave A Reply

Your email address will not be published.