ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ବିବାଦ, ସ୍ପଷ୍ଟୀକରଣ ଦେଲେ ଅନୁଗୋଳ ପୌରାଧ୍ୟକ୍ଷ

ଅନୁଗୁଳ : ଭୁଲ ହୋଇଗଲା। ଭବିଷ୍ୟତରେ ଆଉ ଏମିତି ଭୁଲ କରିବୁନି। ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ନିର୍ମାଣ ବିବାଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ। ଆଜି ପୌରପରିଷଦ ପକ୍ଷରୁ ସେ ଏହି ଭୁଲ ହୋଇଥିବା ନେଇ ଲିଖିତ ଭାବେ ଜଣାଇଛନ୍ତି ଓ ଦୁଃଖ ପ୍ରକାଶ କରିଛନ୍ତି। ତେବେ ସ୍ପଷ୍ଟୀକରଣ ଚିଠିରେ ଏଭଳି ଅନେକ ବରପୁତ୍ରଙ୍କ ପ୍ରକୃତ ପରିଧାନ ବଦଳରେ ସେମାନଙ୍କୁ ପ୍ୟାଣ୍ଟ ଓ କୋର୍ଟ ପିନ୍ଧିଥିବାର ପ୍ରତିମୂର୍ତ୍ତି ଭୁଲ ବଶତଃ ନିର୍ମିତ ହୋଇଯାଇଥିବା ସ୍ୱୀକାର କରି ଅଲୋଚନାକୁ ରୂପ ଦେଇଛନ୍ତି।

ଶ୍ରୀ ମହାନ୍ତ ସ୍ପଷ୍ଟୀକରଣ ଚିଠିରେ ଉଲ୍ଲେଖ କରିଛନ୍ତି, ଅନୁଗୋଳ ପୌର ପରିଷଦ ଏକ ମହତ ଉଦ୍ଦେଶ୍ୟ ରଖି ଅନୁଗୋଳ ଜିଲ୍ଲାର ବରପୁତ୍ରମାନଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଗୋପବନ୍ଧୁ ଉଦ୍ୟାନରେ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ବରପୁତ୍ରମାନଙ୍କ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା। ଯେଉଁଥିରେ ସେମାନଙ୍କ ସମ୍ପୂର୍ଣ୍ଣ ପରିଧାନ ସୂଚନା ନ ଥିଲା। ଫଳରେ କେତେକ ବରପୁତ୍ରଙ୍କର ପରିଧାନ ଧୋତି, କୂର୍ତ୍ତା ବଦଳରେ ପ୍ୟାଣ୍ଟ ଓ କୋର୍ଟ ଭୁଲ ବଶତଃ ନିର୍ମିତ ହୋଇଯାଇଥିଲା। ମୂର୍ତ୍ତି ନିର୍ମାଣ ବେଳେ ଜିଲ୍ଲାର ଅନେକ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆଯାଇଥିଲା, ହେଲେ ପରିଧାନ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିନଥିଲେ। ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯାଉଛି। ଏହା ଏକ ଅନିଚ୍ଛା କୃତ ତ୍ରୁଟି। ଭବିଷ୍ୟତରେ ଏପ୍ରକାର ଭୁଲର ପୁନରାବୃତ୍ତି ହେବନି ବୋଲି ଚିଠିରେ କୁହାଯାଇଛି।

ତେବେ ଏହି ସ୍ପଟୀକରଣରୁ କେବେଳ ନବକୃଷ୍ଣ ଚୌଧୁରୀଙ୍କ ପ୍ରତ୍ତିମୂର୍ତ୍ତିକୁ ଭୁଲ ଭାବେ ନିର୍ମାଣ କରାଯାଇନି, ବରଂ ଅନେକ ବରପୁତ୍ରଙ୍କ କ୍ଷେତ୍ରରେ ଏଭଳି ଭୁଲ କରାଯାଇଥିବା ଜଳଜଳ ଦିଶିଛି। ସେହିପରି ପ୍ରତିମୂର୍ତ୍ତି ନିର୍ମାଣ ବେଳେ ନବକୃଷ୍ଣ ଚୌଧୁରୀଙ୍କ ପରିବାରଙ୍କ ମତମତ ନିଆଯାଇ ନ ଥିବା ଓ ଅନାମଧେୟ ବୁଦ୍ଧିଜୀବୀଙ୍କ ମତ ନେଇ ମନଇଛା କାମ କରାଯାଇଥିବା ସ୍ପଷ୍ଟ ହୋଇଛି।

ସୂଚନା ଥାଉକି, ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୋଳ ପୌରପାଳିକାର ଗୋପବନ୍ଧୁ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ୟାଣ୍ଟ, ସାର୍ଟ, ବୁଟ୍ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପିତ କରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।

nis-ad
Leave A Reply

Your email address will not be published.