ସୁନ୍ଦରଗଡ଼ (୨୬/୦୩) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଗତ କାଲି ସନ୍ଧ୍ୟାରେ ସମାପିତ ହୋଇ ଯାଇଛି “ନବଜୀବନ”ର ବସନ୍ତ ମହୋତ୍ସବ। ପ୍ରଖ୍ୟାତ ନାଟ୍ୟକାର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଅବର୍ତ୍ତମାନରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମନେ ପଡ଼ିଥିଲେ ପ୍ରଦୀପ। ପ୍ରକାଶ ଯୋଗ୍ୟ ଯେ ସୁନ୍ଦରଗଡ଼ର ଅନ୍ୟତମ ପୁରାତନ ସାଂସ୍କୃତିକ ସଂଗଠନ “ନବଜୀବନ” ଦ୍ଵାରା ସ୍ବର୍ଗତ ପ୍ରଦୀପ ଭୋଳଙ୍କ ପ୍ରୟାସରେ ଆରମ୍ଭ ହୋଇଥିଲା ଏହି ବସନ୍ତ ମହୋତ୍ସବ। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଜନମାନସରେ ଉଦ୍ଜୀବିତ କରି ରଖିବା ସହିତ ଦେଶ ତଥା ବିଶ୍ଵଦରବାରରେ ପହଞ୍ଚାଇବା ପାଇଁ ଏହି ବସନ୍ତ ମହୋତ୍ସବ ଥିଲା ସ୍ବର୍ଗତ ପ୍ରଦୀପ ଭୋଳଙ୍କ ପରିକଳ୍ପନା। ଏହି କାର୍ଯ୍ୟକ୍ରମରେ ଆଜି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟଅତିଥି ଭାବରେ ଏବଂ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ଯୋଗ ଦେଇ ସମଲେଶ୍ଵରୀ ଦେବୀ ଓ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଓ ଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟତମ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ, ପୂର୍ବତନ ପୌରାଧ୍ୟାକ୍ଷ ଓ ସାହିତ୍ୟକାର ରାଜ କିଶୋର ଷଡ଼ଙ୍ଗୀ, ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ ପ୍ରମୁଖ ଉପସ୍ଥିତ ଥିଲେ।ଏହା ପରେ ସୁନ୍ଦରଗଡ଼ ସେଣ୍ଟ ଥେରେସା ପବ୍ଲିକ ସ୍କୁଲର ଶିକ୍ଷାର୍ଥୀ ଅତି ସୁନ୍ଦର ଭାବରେ ଗଣେଶ ବନ୍ଦନା କରିଥିଲେ। ତାପରେ ସୁରେନ୍ଦ୍ର ସିଂଙ୍କ ନିର୍ଦ୍ଦେଶନାରେ ନଟରାଜ କଳା ପରିଷଦର କଲାକାରଙ୍କ ଦ୍ଵାରା ପରିବେଷିତ ହୋଇଥିଲା ମନୋରମ ଲୋକନୃତ୍ୟ।
ଏହା ପରେ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ସ୍ମୃତିରେ ତାଙ୍କର ଜୀବନ ଉପରେ ପରିବେଷିତ ହୋଇଥିଲା ” ସ୍ମୃତିରେ ପ୍ରଦୀପ” ଯାହାକି ଉପସ୍ଥିତ ଦର୍ଶକଙ୍କ ଆଖିରେ ଆଣି ଦେଇଥିଲା ଲୋତକ।ସମସ୍ତେ ଝୁରିଥିଲେ ସୁନ୍ଦରଗଡ଼ର “ମୁନା”ଙ୍କୁ।ଏହି କ୍ଷୁଦ୍ର ନାଟିକା ହୋଇଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବବିହ୍ୱଳକାରୀ। ଏହା ପରେ ଆରମ୍ଭ ହୋଇଥିଲା ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ମର୍ମସ୍ପର୍ଶୀ ନାଟକ “ଭାବ୍”। ଅଧୁନା ସମାଜରେ ଅର୍ଥ ସମ୍ମୁଖରେ ଭାବର ମହତ୍ତ୍ୱକୁ ବଖାଣିଥିଲା ଏହି ନାଟକ “ଭାବ୍”। ” ଆଜିର ସମାଜରେ ସ୍ୱାର୍ଥସର୍ବସ୍ଵ ମଣିଷ କିପରି ସମ୍ପର୍କକୁ ଜଳାଞ୍ଜଳି ଦେଇ ଲୋଭ ଓ ଲାଭର ବଶବର୍ତ୍ତୀ ହୋଇ ପଞ୍ଚଭୂତରୁ ଆସି ପଞ୍ଚଭୂତରେ ଲୀନ ହୋଇ ଯିବା ପ୍ରକ୍ରିୟାକୁ ପାସୋରି ଦେଇଛି ତାକୁ ତାଙ୍କ ବଳିଷ୍ଠ ରଚନା ଓ ନିର୍ଦ୍ଦେଶନାରେ ଜ୍ୱଳନ୍ତ କରିଥିଲେ ସ୍ବର୍ଗତ ଭୋଳ। “ନବଜୀବନ”ର ବରିଷ୍ଠ କଳାକାର ବିଜୁ ମହାରଣା, ଲକ୍ଷ୍ମୀପ୍ରିୟା ପତି, ଲତିକା ପଟ୍ଟନାୟକ, କୁମୁଦ ପଣ୍ଡା,ରୀତା ସାହୁ, ଲିଜା ରାଣୀ ସାହୁ, ଇଚ୍ଛା ବାସନ୍ତୀ ସାହୁ, ଅଙ୍କିତା ବାରିକ, ଦେବାଶିଷ କବି, ବୃନ୍ଦାବନ ଦାଶ, ରୋନକ ପଟେଲ, ଦେବାଶିଷ ମହାଲିଙ୍ଗ ପ୍ରମୁଖଙ୍କ ନିଖୁଣ ଅଭିନୟରେ ମନ୍ତ୍ରମୁଗ୍ଧ ହୋଇଥିଲା ସଂସ୍କୃତି ଭବନ। ଦେବେନ୍ ଅମାତଙ୍କ ମଞ୍ଚସଜ୍ଜା ,ଅଶ୍ୱିନୀ ପଟେଲଙ୍କ ମଞ୍ଚ ସହଯୋଗିତା, ଶବର ନାଏକଙ୍କ ଆଲୋକ ସଜ୍ଜା ଏବଂ ରୀତା ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନା ତଥା ଗୋପକୃଷ୍ଣ ନାୟକ ଓ ବିଶ୍ୱରଂଜନ ହୋତାଙ୍କ ମଞ୍ଚ ପରିଚାଳନାରେ ସମାପିତ ହୋଇଥିଲା ଏହି ବର୍ଷର ବସନ୍ତ ମହୋତ୍ସବ। ନବଜୀବନର ଉପସଭାପତି ପ୍ରଭାତ ଭୋଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସମ୍ପାଦକ ଅଜୟ କୁମାର ବହିଦାର,ବରିଷ୍ଠ ସଦସ୍ୟ ଅସୀମ ଦାସ, ଚନ୍ଦ୍ରକାନ୍ତ ମିଶ୍ର ଏବଂ ଶ୍ୟାମ ନନ୍ଦନ ସହାୟକଙ୍କ ସହଯୋଗରେ ଆୟୋଜିତ ଏହି ମହୋତ୍ସବକୁ ଜନାର୍ଣାବ ଥିବା ସଂସ୍କୃତି ଭବନ ପ୍ରେକ୍ଷାଳୟରେ କଳାପ୍ରେମୀ ଦର୍ଶକ ମନଭରି ଉପଭୋଗ କରିବା ସହିତ ସ୍ବର୍ଗତ ପ୍ରଦୀପ ଭୋଳଙ୍କ ଅବର୍ତ୍ତମାନରେ ତାଙ୍କ ପରିକଳ୍ପନାକୁ ଆଗେଇ ନେଇ ଥିବାରୁ ସାଧୁବାଦ୍ ଜଣାଇଛନ୍ତି। ନବଜୀବନର ଉପଦେଷ୍ଟା ,ଚଳଚ୍ଚିତ୍ର ପ୍ରଯୋଜକ ତଥା ସ୍ବର୍ଗତ ପ୍ରଦୀପ ଭୋଳଙ୍କ ସହିତ ଅତି ନିକଟରୁ ସଂଶ୍ଲିଷ୍ଟ ଥିବା ଭବାନୀ ମାଝୀ ତାଙ୍କ ବିବୃତ୍ତିରେ ଆସନ୍ତା ବର୍ଷଠାରୁ ଏହି ମହୋତ୍ସବ ସମୟରେ ପ୍ରଦୀପ ଭୋଳ ସ୍ମାରକୀ ନାଟକ ପ୍ରତିଯୋଗିତା ତିନି ଦିନ ଧରି କରିବା ପାଇଁ ପ୍ରକାଶ କରିଥିଲେ।ଶେଷରେ ସମ୍ବଲପୁର କଳାକାର ପ୍ରଦୀପ ପଣ୍ଡା ସମସ୍ତ କଳାକାରଙ୍କ ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।