ବୁଲୁଛନ୍ତି ବାଘ ଓ ବାଘୁଣୀ ! ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସତର୍କ କରାଇଲା ନୂଆପଡା ବନବିଭାଗ

ନୂଆପଡା: ସାବଧାନ୍! ଗାଁରେ ବୁଲୁଛି ବାଘ। ସଭିଏଁ ରୁହ ସତର୍କ। ଏମିତି କିଛି କହି ମାଇକ୍ ଦ୍ବାରା ଲୋକଙ୍କୁ ସତର୍କ କରାଉଛି ବନ ବିଭାଗ। ଏ ହେଉଛି ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁ ଏବଂ ଅଭୟାରଣ୍ୟ ସଂଲଗ୍ନ ରହିଥିବା ଜଙ୍ଗଲ ତଳି ଅଂଚଳର ଦ୍ରୁଶ୍ଯ। ଯେଉଁଠି ବାଘ ଓ ବାଘୁଣୀଙ୍କ ଆତଙ୍କ ଦିକୁ ଦିନ ବଢିବାରେ ଲାଗିଛି ।

ପୁଣି ନୂଆପଡା ବନବିଭାଗ ରେଞ୍ଜ ଆମାନାରା ଫରେଷ୍ଟ ବିଟ ଅନ୍ତର୍ଗତ ମୋହରାଡିହି ଗାଁରେ ବାଘୁଣୀ ଗୋଟିଏ ବାଛୁରୀକୁ ମାରିଖାଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ଆମାନାରା ଫରେଷ୍ଟ ବିଟ ଅନ୍ତର୍ଗତ ତରିଆମହୁଆଭଟା ଓ ପାଓାରତୋଲା ଗାଁରେ ବାଘୁଣୀ ଲୋକଙ୍କ ଗୁହାଳରେ ପଶି ୨ଟି ଗାଈ ସମେତ ଗୋଟିଏ ବାଛୁରି ଓ ଗୋଟିଏ ମଇଁଷିକୁ ଆକ୍ରମଣ କରିଥିଲା । ଆଉ ଏବେ ପୁଣି ମୋହରାଡିହି ଗାଁରେ ବାଘୁଣୀ ଗୋଟିଏ ବାଛୁରୀକୁ ମାରିଖାଇ ଦେଇଥିବା ଅଭିଯୋଗ ହୋଇଛି ।

ସୁନାବେଡା ଅଭୟାରଣ୍ୟ ସଂଲଗ୍ନ ରହିଥିବା ମୁସରଂଗି ପ୍ରସ୍ତାବିତ ସଂରକ୍ଷିତ ଜଂଗଲରେ ବାଘୁଣୀ ଦିନବେଳା ଛପି ରହୁଥିବା ବେଳେ ସଂନ୍ଧ୍ୟା ହେଲେ ଜଙ୍ଗଲ ତଳି ଅଂଚଳ ଗାଁରେ ପଶି ଲୋକଙ୍କ ଗୁହାଳ ଭିତରୁ ଗୃହପାଳିତ ପଶୁକୁ ଟାଣିନେଇ ମାରି ଖାଇ ଦେଉଛି । ଏବେ ବାଘର ଆତଙ୍କରେ ଅଭୟାରଣ୍ୟ ସଂଲଗ୍ନଥିବା ତଳି ଅଂଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ନିଦ ହଜିଯାଇଛି ।

ବାଘ ଭୟରେ ଗ୍ରାମବାସୀ ଜଂଗଲକୁ ମହୁଲ ଗୋଟେଇବାକୁ ଯାଇପାରୁନଥିବା ବେଳେ ଘରେ ତାଟି କବାଟ ଦେଇ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଅପରପକ୍ଷେ, ନୂଆପଡା ବନବିଭାଗ କର୍ମଚାରୀମାନେ ମୋହରାଡିହି ଗାଁରେ ପହଂଚି ବାଘର ପାଦ ଚିହ୍ନ ମଧ୍ଯ ଠାବ କରିଛନ୍ତି । ଏଥିସହ ବାଘର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ଗାଁ ନିକଟରେ ଟ୍ରାପ କ୍ୟାମେରା ଲଗେଇବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗେଇ ଦିଆଯାଉଛି ବୋଲି ଖଡିଆଳ ବନଖଣ୍ଡ ଡିଏଫଓ କହିଛନ୍ତି ।

ପୂର୍ବରୁ ଅନେକ ଥର ନୂଆପଡ଼ାର ବିଭିନ୍ନ ଗାଁ ମାନଙ୍କରେ ବାଘ ଆତଙ୍କ .ଦେଖିବାକୁ ମିଳିଛି। କେତେବେଳେ ମନ୍ଦିର ପାଖରେ ତ କେତେବେଳେ ଆଖପାଖ ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଛି। ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ ମଧ୍ଯ କଏଦ। ତେବେ ବାରମ୍ବାର ଏଭଳ ଘଟଣା ଘଟୁଥିବାରୁ ଗାଁ ଲୋକେ ଆତଙ୍କିତ ହୋଇ ଜୀବନ ଯାପନ କରୁଛନ୍ତି। ତେବେ ତୁରନ୍ତ ବନବିଭାଗ ପକ୍ଷରୁ ଏଦିଗରେ କିଛି ପଦକ୍ଷପ ଗ୍ରହଣ କରାଯିବା ନେଇ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

nis-ad
Leave A Reply

Your email address will not be published.