ବର୍ଦ୍ଧିତ ଘର ଟିକସ ଛାଡ଼ ସମେତ ଛଅ ଦଫା ଦାବିନେଇ ମହାନଗର ନିଗମ ଆଗରେ ଘଣ୍ଟ ବିକ୍ଷୋଭ…


ବ୍ରହ୍ମପୁର :, ତା.20.3.2023ରିଖ ବର୍ଦ୍ଧିତ ଘର ଟିକସ ଛାଡ଼, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ଓ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ଆଦି ଛଅ ଦଫା ଦାବିନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ 118ତମ ଘଣ୍ଟ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ସୂଚନାଯୋଗ୍ୟ ଯେ,ଗତ କୋଭିଡ ମହାମାରୀବେଳେ ଜୀବନ ମରଣର ତାଣ୍ଡବ ଚାଲିଥିବାବେଳେ ଜନତାଙ୍କ ମଧ୍ୟରେ ଏକ ପ୍ରକାର ଭୟାନକ ପରିସ୍ଥିତି ମଧ୍ୟରେ ଓଡିଶା ରାଜ୍ୟ ସରକାର ଲୋକଙ୍କ ସେହି ଦୁର୍ବଳ ପରିସ୍ଥିତିର ସୁଯୋଗ ନେଇ ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ମହାନଗର ନିଗମରେ କୌଣସି କାଉନସିଲ ମଞ୍ଜୁରୀ ନଥାଇ ଘର ଟିକସକୁ ବହୁ ଗୁଣରେ ବୃଦ୍ଧି କରି ସମସ୍ତ ପ୍ରକାର ନୀତି ନୈତିକତା ମାନବିକତାକୁ ଧ୍ବଂସ କଲେ l ଏହି ଜନ ବିରୋଧୀ ନୀତିକୁ ଦୃଢ଼ ବିରୋଧ ଫଳରେ କଟକ, ଭୁବନେଶ୍ୱରରେ ଏହି ବର୍ଦ୍ଧିତ ଘର ଟିକସକୁ ବାତିଲ କରାଗଲା, କିନ୍ତୁ ବ୍ରହ୍ମପୁରବାସୀଙ୍କ ଉପରେ ଏହି ବର୍ଦ୍ଧିତ ଘର ଟିକସକୁ ବଳବତ୍ତର ରଖାଗଲା ଓ ଟିକସ ସଂଗ୍ରହ କରାଗଲା l ଏହି ବର୍ଦ୍ଧିତ ଟିକସ ସଂଗ୍ରହକୁ ବାତିଲ ଓ ସଂଗୃହିତ

ହୋଇସାରିଥିବା ଟିକସ ରାଶି ଲୋକଙ୍କୁ ଫେରାଇବାପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଧେଶ ହେଲେ ବି ବ୍ରହ୍ଣପୁରବାସୀଙ୍କ ଠାରୁ ବେଆଇନ ଭାବେ ବର୍ଦ୍ଧିତ ଟିକସ ସଂଗ୍ରହ ଚାଲିଛି, ଯାହାକି ଏକ ଅନ୍ୟାୟ ଓ ଅଗଣତାନ୍ତ୍ରିକ ପଦକ୍ଷେପ ଅଟେ l କାରଣ ତିନୋଟି ମହାନଗର ନିଗମ ପାଇଁ ଯେତେବେଳେ ଏକା ସମୟରେ ଟିକସ ବୃଦ୍ଧି କରାଯାଇଥିଲା, ଏହି ଟିକସ ବୃଦ୍ଧି ନିଷ୍ପତ୍ତିକୁ ବେଆଇନ ଦର୍ଶାଇ ଟିକସ ସଂଗ୍ରହକୁ ବନ୍ଦ କରିବାପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଧେଶ ଦେଲେ ତା ହେଲେ ବ୍ରହ୍ମପୁରରେ ତାହା ଆଇନତଃ କିପରି ହେଲା ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ପ୍ରଶ୍ନ କରିଛନ୍ତି l ଏଣୁ ଏହି ଟିକସ ସଂଗ୍ରହକୁ ବନ୍ଦ କରି ସଂଗୃହିତ ରାଶି ଲୋକଙ୍କୁ ଫେରାଇବା ପାଇଁ ମହାନଗର ନିଗମ କାଉନସିଲ ମିଟିଂ ରେ ଦାବୀ ଉଠାଇବା ପାଇଁ ମେୟର ସଂଘମିତ୍ରା ଦଳାଇଙ୍କ ଠାରେ ମଞ୍ଚ ପକ୍ଷରୁ ଦାବୀ କରାଯାଇଛି l
ସେହିପରି ଦୀର୍ଘବର୍ଷରୁ ସରକାର ରାଜୀବ ଆବାସ ନାଁ ରେ ଖୁବ ପ୍ରଚାର କରୁଥିଲେ ବି ବହୁ ବର୍ଷରୁ ଆବେଦନ କରିଥିବା ଅନେକ ପ୍ରକୃତ ହିତାଧିକାରୀ ଏଥିରୁ ବଂଚିତ ହୋଇଛନ୍ତି ଅଥଚ କିଛି ଧନୀକ ବ୍ୟକ୍ତି ଓ ରାଜନୈତିକ ପ୍ରଭାବଶାଳି ବ୍ୟକ୍ତି କିଛି ଆବାସକୁ ଅସଦ ଉପାୟରେ ବେଆଇନଭାବେ ହାତେଇଛନ୍ତି l ଏଣୁ ତୁରନ୍ତ ପ୍ରକୃତ ହିତାଧିକାରୀମାନଙ୍କୁ ରାଜୀବ ଆବାସ ପ୍ରଦାନ କରାଯିବାକୁ ଦାବୀ ହୋଇଛି l ଆମ ରାଜ୍ୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମଙ୍କ ପାଇଁ ଦିଆଯାଉଥିବା ଭତ୍ତା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ l ଆମ ରାଜ୍ୟରେ ଦିଆଯାଉଥିବା ମାସିକ ଟ.500.00 ଦ୍ୱାରା ବର୍ତମାନର ଦରଦାମ ଓ ସ୍ୱାସ୍ଥ୍ୟ ଚିକିତ୍ସା ସମ୍ବନ୍ଧୀୟ ଆଦି ଜରୁରୀ ଆବଶ୍ୟକତା ପାଇଁ କୌଣସି ମାତ୍ରାରେ ପର୍ଯ୍ୟାପ୍ତ ନୁହଁ l ଏଣୁ ମାସିକ ଟ.500.00 ପରିବର୍ତ୍ତେ ଟ.5000.00ଭତ୍ତା ପ୍ରଦାନ କରାଯିବାକୁ ଦାବୀ କରାଯାଇଛି l ଏତଦସହ ଚଳିତ ବର୍ଷର ବର୍ଷା ଋତୁ ପୂର୍ବରୁ ସମସ୍ତ ସାହି ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବା, ପ୍ରତ୍ୟେକ ୱାର୍ଡରେ ପାଠାଗାର ନିର୍ମାଣ, ଖୋଡାସିଙ୍ଗି ଅଲେଖ ନଗର ସ୍ଥିତ ଶିଶୁ ଉଦ୍ୟାନ ସମେତ ଭଗ୍ନ ଅବସ୍ଥାରେ ଥିବା ପାର୍କ, ଶିଶୁ ଉଦ୍ୟାନ ଓ ସହରରେ ଥିବା ପୋଖରୀ ଗୁଡିକର ପୁନଃରୁଦ୍ଧାର ଆଦି ଛଅ ଦଫା ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଆଜିର ଘଣ୍ଟ ବିକ୍ଷୋଭରେ ସମାଜସେବୀ ମନୋଜ ତରାଇ ଓ ଯୁବନେତା ହୃଷିକେଶ ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ରବି ରଥ,ମାନବବାଦୀ ହେତୁବାଦୀ ସଂଗଠନର ଇ. ତେଜେଶ୍ୱର ରାଓ,ଋଷିକୂଲ୍ୟା ରୟତ ମହାସଭାର ବିଜୟ ସ୍ୱାଇଁ,ବଂଶୀଧର ଭୂୟାଁ,ବି. ସ୍ୱରାଜ୍ୟ ସୁବୁଦ୍ଧି,ମାଗୁଣି ନାହାକ,ଭାସ୍କର ଚନ୍ଦ୍ର ସାହୁ,ଏସ. ସlମ୍ବଶିବା ରାଓ, ସୁରେନ୍ଦ୍ର ନାଥ ପଣ୍ଡା, ଆର. ସତ୍ୟ ନାରାୟଣ ରାଓ, କବିରାଜ ସାହୁ, ସୁବାସ ଚନ୍ଦ୍ର ମିଶ୍ର, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗଗନ ଚନ୍ଦ୍ର ମଲ୍ଲିକ,ଏ.ସୁରେଶ,ଏମ.ଭେଙ୍କଟରାମଣା,ବି. ରାମବାବୁ, କେ. ମୋହନ ରାଓ ସୁବୁଦ୍ଧି, ଜେ. ଏସ. ରାଓ, କବିରାଜ ସେଠୀ,ରାମଚନ୍ଦ୍ର ବେହେରା,ଦିବାକର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.