ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ନିମନ୍ତେ ସୁନ୍ଦରଗଡ ବନଖଣ୍ଡରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ସାମୁହିକ ସହଭାଗିତା ଓ ଗୋଷ୍ଠୀ ସଚେତନତା ଦ୍ଵାରା ହିଁ ଜଙ୍ଗଲ ନିଆଁକୁ ରୋକାଯିବ: ଡି.ଏଫ.ଓ.
ସୁନ୍ଦରଗଡ଼ : ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର, ହେମଗିର, ଲେଫ୍ରିପରା, ଗୋପାଳପୁର, ସୁନ୍ଦରଗଡ ଓ ବଡଗାଁ ବନାଞ୍ଚଳର ବିଭିନ୍ନ ଗ୍ରାମରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ବନ ସୁରକ୍ଷା ସମିତିର ବୈଠକ, ପଦଯାତ୍ରା, ସଚେତନତା ରାଲି, ପଥପ୍ରାନ୍ତ ପାଲା କାର୍ଯ୍ୟକ୍ରମ, ସଚେତନତା ପତ୍ର ବଣ୍ଟନ କାନ୍ଥ ଚିତ୍ର ମାଧ୍ୟମରେ ଜନ ଜାଗରଣ ସୃଷ୍ଟି କରାଯାଉଛି। ୬ ଟି ଯାକ ବନାଞ୍ଚଳର ୨୩୦ ଟି ଗାଁରେ ହଜାର ହଜାର ଲୋକଙ୍କୁ ସଚେତନ କରାଯାଇଥିବା ବେଳେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଯୁବ ଗୋଷ୍ଠୀ ତଥା ମହିଳା ଗୋଷ୍ଠୀ ମାନେ ସଂଘବଦ୍ଧ ହୋଇ ବହୁମୂଲ୍ୟ ଜଙ୍ଗଲ ସଂପଦକୁ ବଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ପ୍ରତ୍ଯେକ ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀ ତଥା ଫାୟାର ସ୍କାଡର ସଦସ୍ୟ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ନିମନ୍ତେ ଦିନରାତି ପରିଶ୍ରମ କରୁଛନ୍ତି। ନିଜେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଓ ସହକାରୀ ବନ ସଂରକ୍ଷକ ମୋହନ ହେମ୍ରମ ପ୍ରତ୍ଯକ୍ଷ ଭାବରେ ବିଭିନ୍ନ ସ୍ଥାନରେ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହୋଇ ଗାଁ ଲୋକ ତଥା ବିଭାଗୀୟ କର୍ମକର୍ତ୍ତାଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି। ଉଜ୍ଜଳପୁର, ହେମଗିର, ଲେଫ୍ରିପରା, ସୁନ୍ଦରଗଡ ଓ ବଡଗାଁ ବନାଞ୍ଚଳର ୧୫୬ ଟି ବନ ସୁରକ୍ଷା ସମିତିରେ ଓଡିଶା ବାନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ କାର୍ଯ୍ୟରତ ଥିବାବେଳେ ବନ ବିଭାଗ ଅଧିକାରୀ ତଥା ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତାଙ୍କ ଦ୍ଵାରା ଧାନବିଳରେ ନିଆଁ ନ ଲଗାଇବା, ମହୁଲ ସଂଗ୍ରହ ନିମନ୍ତେ ନିୟନ୍ତ୍ରଣ ମୂଳକ ନିଆଁ ଲଗାଇବା, ଗାଁ ଗାଁ ରେ ବନାଗ୍ନି ନିୟନ୍ତ୍ରଣ କମିଟି ଗଠନ କରାଯାଉଛି ତଥା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥି ସହିତ ଅଗ୍ନି ନିରୋଧକ ପଟି ତିଆରି କରି ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରଚେଷ୍ଟା ଚାଲିଛି। ସୁନ୍ଦରଗଡ ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ମୋହନ ହେମ୍ରମ ଜଙ୍ଗଲ ସୁରକ୍ଷା ନିମନ୍ତେ ସମସ୍ତେ ଏକଜୁଟ ହୋଇ ଆମର ବହୁମୂଲ୍ୟ ଜାତୀୟ ସମ୍ପତ୍ତିକୁ ସୁରକ୍ଷା ଦେବା ନିମନ୍ତେ ଆହ୍ଵାନ ଦେଇଛନ୍ତି । ସାମୁହିକ ସହଭାଗିତା ଓ ଗୋଷ୍ଠୀ ସଚେତନତା ଦ୍ଵାରା ହିଁ ଜଙ୍ଗଲ ନିଆଁକୁ ରୋକାଯାଇପାରିବ ତଥା ଗାଁ ଗାଁ ରେ ଜଙ୍ଗଲ ସୁରକ୍ଷା ହୋଇପାରିବ ବୋଲି ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ଆଇ.ଏଫ.ଏସ. ମତ ପ୍ରଦାନ କରିଛନ୍ତି।

nis-ad
Leave A Reply

Your email address will not be published.