ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ମହିଳା ଦିବସ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ କହିଲେ ମହିଳା ମାନେ ସଶକ୍ତ ହେବାକୁ ହେଲେ ସେମାନଙ୍କର ସୁରକ୍ଷା ପାଇଁ ରହିଥିବା ଆଇନଗୁଡ଼ିକୁ ଜାଣିବା ନିହାତି ଆବଶ୍ୟକ । ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ନିଜ ନିଜର ମାନସିକତାକୁ ବଦଳାଇବାକୁ ପଡ଼ିବ କାରଣ ଏବେବି ଅଧିକାଂଶ ପରିବାରରେ ଝିଅ ଅପେକ୍ଷା ପୁଅକୁ ଅଧିକ ଗୁରୁତ୍ଵ ତଥା ପ୍ରାଧାନ୍ୟତା ଦିଆଯାଉଛି। ଡା.ସ୍ନିଗ୍ଧା ନନ୍ଦ କହିଲେ, ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ମହିଳାମାନଙ୍କର ଅବଦାନ ଅଧିକ ସେମାନେ ସୃଷ୍ଟିର ଆଧାର, ପୁରୁଷର ପ୍ରେରଣା ଦାୟିନୀ। ସେମାନେ ସବୁ କ୍ଷେତ୍ରରେ ଆଗୁଆ ରହୁଛନ୍ତି। ତଥାପି ସେମାନଙ୍କୁ ସମାଜରେ ଗୁରୁତ୍ଵ ଦିଆଯାଉନି ଯଦିଓ ଆମ ସମ୍ବିଧାନରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି । ଡିଜିଟାଲ ଟେକ୍ନୋଲୋଜି ଆମ ଜୀବନ ପାଇଁ ଏବେ ଗୁରୁତ୍ବପୂର୍ଣ ହୋଇପଡ଼ିଛି। ଅନ୍‌ଲାଇନ୍ ଶିକ୍ଷା, ବିଭିନ୍ନପ୍ରକାର ସୁଚନା ଓ ସହାୟତା, ନିଜର କ୍ରିଏଟିଭିଟିକୁ ଅଭ୍ୟାସ କରିବା, ରୋଜଗାର ପାଇଁ ନିଯୁକ୍ତି ଖୋଜିବା, କ୍ୟାରିୟର ସୂଚନା, ଉଦ୍ୟୋଗୀ ସୁଯୋଗ ଖୋଜିବା ସମେତ ଅନ୍‌ଲାଇନ୍ ଅଭିଜ୍ଞତା ଏବଂ ସୁଯୋଗ ମଧ୍ୟ ବ୍ୟାପକ ପରିସରରେ ଶିଶୁ ଏବଂ ଯୁବକ ଯୁବତୀ ମାନଙ୍କର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ମାତ୍ର ଏଥିରେ ଲିଙ୍ଗଗତ ଅସମାନତା ଦେଖାଯାଉଛି। ପୁଅମାନଙ୍କ ତୁଳନାରେ ଡିଜିଟାଲ ଟେକ୍ନୋଲୋଜିର ଉପଲବ୍ଧତା ଓ ବ୍ୟବହାର ଝିଅମାନଙ୍କର କମ ଥିବାର ଜଣାପଡ଼ୁଛି । କାରଣ ସେମାନଙ୍କୁ ପୁଅମାନଙ୍କ ଭଳି ସୁଯୋଗ ଦିଆଯାଉ ନାହିଁ। ସେହିପରି ଡା.ଧର୍ମେନ୍ଦ୍ର ତାଣ୍ଡି ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନର ସହକାରୀ ପରିଚାଳକ ଜୟକୃଷ୍ଣ ସାହୁ କହିଲେ କନ୍ଧମାଳ ଜିଲ୍ଲାର ମା’ମାନେ ସଚେତନ ତଥାପି ଉଚ୍ଚଶିକ୍ଷା କ୍ଷେତ୍ରରେ ଝିଅମାନଙ୍କୁ ଅଧିକ ସୁଯୋଗ ଦେବାର ଆବଶ୍ୟକତା ରହିଛି । ମିଶନ ଶକ୍ତି ଜିଲ୍ଲା ସଭାପତି କୁମୁଦିନି ଦିଗାଲ ଏବଂ ସମ୍ପାଦକ, ବନବାସୀ ସେବା ସମିତି ରବିନ୍ଦ୍ର କୁମାର ପଣ୍ଡା ନାରୀମାନେ ସଶକ୍ତ ହୋଇସାରିଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏବେ ମା’ମାନଙ୍କ ଦ୍ଵାରା ସବୁ ସମ୍ଭବ ହୋଇପାରିବ ବୋଲି ଆଶା ରହିଛି କାରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଏ ଦିଗରେ ପୂର୍ଣ୍ଣ ସହଯୋଗ ରହିଛି।

ଆଇନଜୀବୀ ଜୟନ୍ତୀ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କନ୍ଧମାଳ ଶ୍ରୀମତୀ ମଞ୍ଜୁଳା ପ୍ରଧାନ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ କହିଲେ, ମହିଳାମାନେ ନିଜର ଦାବି ଉପସ୍ଥାପନା କରିବାକୁ ହେଲେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଆବଶ୍ୟକ । ଯେମିତିକି କାର୍ଯ୍ୟାଳୟରେ ଯୌନ ନିର୍ଯାତନାର ଶିକାର ହେଲେ ଅଭିଯୋଗ ବାକ୍ସରେ ଅଭିଯୋଗ ପତ୍ର ପକାଇବା ଦରକାର। ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବାକୁ ପଡ଼ିବ । ସେହିପରି ଘରୋଇ ହିଂସା କ୍ଷେତ୍ରରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ। ମହିଳାମାନେ ଅହୁରି ସଶକ୍ତ ହେବା ସହିତ ଯେଉଁମାନେ ପଛରେ ରହିଯାଉଛନ୍ତି ସେମାନଙ୍କୁ ଆଗକୁ ନେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଅବସରରେ ଜିଲ୍ଲାର ସର୍ବଶ୍ରେଷ୍ଠ ସି.ଡି.ପି.ଓ., କେ.ନୂଆଗାଁ ଦ୍ରୌପଦି କହଁର, ସର୍ବଶ୍ରେଷ୍ଠ ମହିଳା ସୁପରଭାଇଜର ଅରବାନ୍-୨, ଫୁଲବାଣୀ ମୌସୁମୀ ବେହେରା, ସର୍ବଶ୍ରେଷ୍ଠ ମହିଳା ସୁପରଭାଇଜର ,ଗୋଚ୍ଛାପଡ଼ା ଶୈଳବାଳା ସାହୁ, ସର୍ବଶ୍ରେଷ୍ଠ ମହିଳା ସୁପରଭାଇଜର୍‌, ରାଇକିଆ ଉଷାରାଣୀ ସାହୁ, ସର୍ବଶ୍ରେଷ୍ଠ ଅଙ୍ଗନଓ୍ବାଡ଼ି କର୍ମୀ,ଗୁଣ୍ଡୁଗା, କେ. ନୂଆଗାଁ ଦମୟନ୍ତ ପ୍ରଧାନ, ସର୍ବଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ, କାଣିବାଲି, ଫୁଲବାଣୀ ଆଲାଦିନ୍ କହଁର ଏବଂ ସର୍ବଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ, ବାଲିଗୁଡ଼ା ଡି.ସରସ୍ପତି ଦୋରା ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଁଏ ଅର୍ଥ ରାଶି ପୁରସ୍କୃତ କରାଯାଇଥିବା ବେଳେ ଦୁଇ ଜଣ ୧୯ ବର୍ଷ ରୁ କମ୍ ବୟସର ପୁଅ ଓ ଝିଅ (ରୋଲ୍ ମଡେଲ୍) ଯଥାକ୍ରମେ ଆକାଶ ନାୟକ ଓ ନିବୋଜିତା ଦିଗାଲ ପ୍ରତ୍ୟେକଙ୍କୁ ୨ହଜାର ୫୦୦ଟଙ୍କା ଲେଖାଁଏ ଅର୍ଥ ରାଶି ପୁରସ୍କୃତ କରାଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କନ୍ଧମାଳ ପୁଷ୍ପାଞ୍ଜଳୀ ମିଶ୍ର ତାଙ୍କ ପ୍ରାରମ୍ଭିକ ସୂଚନା ପ୍ରଦାନରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଉପରେ ସୁଚନା ଦେଇଥିବାବେଳେ ଫୁଲବାଣୀ ପରିବାର ଅଦାଲତର ମୁଖ୍ୟ ପରାମର୍ଶଦାତ୍ରୀ ସରିତା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ ବେଳେ ଥାର୍ଡ ଜେଣ୍ଡର ମାନଙ୍କ ସଶକ୍ତି କରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହିତ ସେମାନଙ୍କୁ ଅନ୍ୟମାନଙ୍କ ଭଳି ଗୁରୁତ୍ବ ଦେବାକୁ ଅନୁରୋଧ କରିଥିଲେ । ଆଜିର ବୈଠକକୁ ରେଡିଓ ମୁସ୍କାନ ଶିବାନୀ ସୁଆର ଓ ଆକ୍ସନ୍ ଏଡ୍ ଜିଲ୍ଲା ସଂଯୋଜକ ସନ୍ଧ୍ୟାରାଣୀ ନାୟକ ପରିଚାଳନା କରିଥିଲେ । ଏ ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନର ସଦସ୍ୟ/ସଦସ୍ୟା,ସଂପୃକ୍ତ ସରକାରୀ ପଦାଧିକାରୀ ଉକ୍ତ ବୈଠକରେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.